ARTICLE AD BOX
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ):ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସହରର ସଞ୍ଜୟଗାନ୍ଧୀ କଲୋନିରେ ଘରେ କେହି ନଥିବା ସୁଯୋଗ ନେଇ କବାଟ ତାଲା ଭାଙ୍ଗି ବଡ଼ଧରଣର ଚୋରି ଅଭିଯୋଗ ହୋଇଛି। ଘର ମାଲିକା ଏସ୍. ସନ୍ତୋସିନୀ କିଛି କାର୍ଯ୍ୟରେ ବିଶାଖାପାଟଣା ଯାଇଥିବା ବେଳେ ଏହି ଚୋରି ହୋଇଥିବା ନେଇ ସେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ସନ୍ତୋସିନୀ ଘରେ ନଥିବା ବେଳେ ଦୁର୍ବୃତ୍ତମାନେ ଘରର କବାଟ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଶନିବାର ସକାଳେ ପଡ଼ୋଶୀମାନେ ଘରର ତାଲା ଭଙ୍ଗା ଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ସନ୍ଧ୍ୟାରେ ସନ୍ତୋସିନୀ ଘରକୁ ଫେରିବା ପରେ ଚୋରି ସମ୍ପର୍କରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁଯାୟୀ, ଘରୁ ନଗଦ ୫ ଲକ୍ଷ ୫୦ ହଜାର ଟଙ୍କା, ପ୍ରାୟ ୭ ଭରି ଓଜନର ସୁନା ଅଳଙ୍କାର, ୧୫ଟି ରୂପା ପାଉଞ୍ଚି ସମେତ ଅନ୍ୟାନ୍ୟ ରୂପା ସାମଗ୍ରୀ ଚୋରି ହୋଇଛି। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ କେସ୍ ନଂ-୩୨୭/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାସ୍ଥଳ ଯାଞ୍ଚ କରାଯିବା ସହ ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ତେବେ ଅଭିଯୋଗରେ ଦର୍ଶାଯାଇଥିବା ନଗଦ ଟଙ୍କା, ସୁନା ଓ ରୂପା ସାମଗ୍ରୀର ପରିମାଣ ଏବଂ ପ୍ରକୃତରେ କେତେ ସମ୍ପତ୍ତି ଚୋରି ହୋଇଛି, ସେନେଇ ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

1 week ago
4


