Literature: ଗଳ୍ପ ଦୀପାବଳି: ଗା‌ଳ୍ପିକ ଗିରିଜା ଶଙ୍କର ମିଶ୍ରଙ୍କ କଲମରୁ ନିଃସୃତ...

1 day ago 1
ARTICLE AD BOX

ଦୀପାବଳି

ଗିରିଜା ଶଙ୍କର ମିଶ୍ର

ଦୀପାବଳି ଆସିଲେ ମନେପଡ଼େ ମୋ ପିଲାଦିନ। ଯୌଥ ପରିବାର ଆମର। ବାପା, ମା’, କକେଇ (ଛୁଆବାପା), ଖୁଡ଼ୀ, ଭାଇ-ଭଉଣୀମାନଙ୍କୁ ନେଇ ଆମ ପରିବାର। ପରିବାରର ମୁରବି ବାପା। ବାପା ସ୍ବଭାବତଃ ବାଣବିରୋଧୀ। ସେ କୁହନ୍ତି, “ବାଣ ଫୁଟେଇବା, ଟଙ୍କା ନିଆଁରେ ଜାଳିବା ସହ ସମାନ। ଦୀପାବଳି ଅନ୍ଧକାର ଉପରେ ଆଲୋକର ବିଜୟ ପର୍ବ। ତେଣୁ ଚଉଦିଗ ଆଲୋକିତ କରି ପାଳ ଦୀପାବଳି।” ସେ ଆଣନ୍ତି ମାଟିଦୀପ ଓ ଜଡ଼ାତେଲ। ଆମ ଭାଇଭଉଣୀଙ୍କ ମନ କିନ୍ତୁ ସେଥିରେ ଜମାରୁ ବୁଝେନି। ଛୁଆବାପା ବୁଝନ୍ତି ଆମ ଦୁଃଖ। ସେ ଆଣନ୍ତି ବାଣ। ଝୁର୍ଝୁରି, ଫୁଲ୍‌ଝରି, ସାପ ବାଣ, ଦିଆଶିଲି ବାଣ, ଶୁନୁଫୋଟକା, ପେନ୍‌ସିଲି ବାଣ, ଚକ୍ରି, ହାତଚକ୍ରି, କୁମ୍ପି... ଏମିତି କେତେକ’ଣ ଛୋଟପିଲାଙ୍କ ବାଣ। ବଡ଼ନନା ପାଇଁ ଅତିବେଶିରେ ତାଳଫୋଟକା କି ଚାଇନା ଫୋଟକାରୁ ଅଳ୍ପକିଛି। ସବୁତକ ବାଣ ଭାଇଭଉଣୀ ବାଣ୍ଟିକରି ନଉ। ସବୁମିଶି ଶହେଟଙ୍କା ଭିତରେ। ଅଧିକ ହେଲେ କାଳେ ବାପା ବିଗିଡ଼ିବେ ସେ ପାଇଁ ଭାରି ଡର ଛୁଆବାପାଙ୍କର। ହେଲେ ସେତିକିରେ କି ଯେ ଆନନ୍ଦ ଆମର!
କାହିଁଗଲା ସେ ସରଳ ଆନନ୍ଦର ଆସର। ଏବେ ଦୀପାବଳି ମାନେ ଲକ୍ଷ ଲକ୍ଷ ଟଙ୍କାର ବାଣପୋଡ଼ା। 

ଆହୁରି ପଢ଼ନ୍ତୁ- Traditional Food for Tribal Prisoners: ଜେଲରେ ଆଦିବାସୀ ବନ୍ଦୀଙ୍କୁ ପାରମ୍ପରିକ ଖାଦ୍ୟ: ଗୃହ ବିଭାଗକୁ ରାଜ୍ୟ ମାନବାଧିକାର ଆୟୋଗଙ୍କ ନୋଟିସ୍‌

ସିନ୍ଦୂରା ଫାଟିଲା। ଶୋଇଲାଘର ପୂର୍ବପଟ ଝରକା ଦେଇ ଚେନାଏ ସକାଳୁଆ ଆଲୁଅ ପଶିଆସି ମୋ ମୁଦା ଆଖି ଝଲସାଇ ଦେଲା। ସ୍ଲିପିଂ ବ୍ଲାଇଣ୍ଡ ଫୋଲ୍‌ଡ (ଆଖିପଟି) ସ୍ୱତଃ ଅଣ୍ଡାଳିଲା ମୋ ହାତ।
‘‘ସେଟା ମୋ ହାତରେ। ଦିଆଯିବ ନାହିଁ ଉଠିପଡ଼।’’
ଚମକି ପଡ଼ିଲି। ନିଇତି ମୋଠୁଁ ଡେରିରେ ଉଠୁଥିବା ମୋ ପତ୍ନୀ ରମ୍ୟା- ସତେକି ରାତିରେ ତାକୁ ନିଦ ନାହିଁ- ଶୀଘ୍ର ଉଠିପଡ଼ି ମତେ କହୁଚି, ଉଠ ଉଠ, କେତେ କାମ ଆଜି। ସରିଲା ପରେ ପୁଣି ଯିବା ବାଣକିଣି। 
ଦୀପାବଳି ପ୍ରତି ମୋର ପିଲାଦିନୁ ଦୁର୍ବଳତା। ବାପାଙ୍କଠାରୁ ଶୁଣିଶୁଣି ଏହାର ଆଧ୍ୟାତ୍ମିକ ଦିଗ କଥା। 
ମାତ୍ର ରମ୍ୟା ସେକଥା ଭାବେନି। ତା’ର ଲୋଡ଼ା ଏକାଠି ହେଇ ସାଙ୍ଗସାଥୀ ଗହଣରେ ଖାନାପିନା-ହସଖୁସିର ମାହୋଲ୍। ସେଥିଲାଗି ବାହାନାଟିଏ ଲୋଡ଼ା। ଯେମିତି ଦୀପାବଳି। ଯେମିତି ହୋଲି କି ଖ୍ରୀଷ୍ଟମାସ। ଖର୍ଚ୍ଚ ହୁଏ ଖୁବ୍ ହେଲେ, ଖର୍ଚ୍ଚବାର୍ଚ୍ଚକୁ ସେ ପରବାୟ କରେନି। ତା’ର ଲୋଡ଼ା ଖୁବ୍ ମଜା ମସ୍ତି।
ସନ୍ଧ୍ୟାକୁ ମୋ ଘରେ ଜମିବ ଗହଳି। ଘର ଫାଟିବ ହସରେ। ତା’ପରେ ଖିଆପିଆ। ଖରାବେଳୁ ବନିବ ନାନାଦି ସୁଆଦିଆ ଡିସ୍। ଘର ସଜାହେବ, ରଙ୍ଗିନ ଲିଚୁ ଆଲୁଅରେ ହେବ ଝଲମଲ। 

ରମ୍ୟା ତରତର କଲା। ବାହାରିଲୁ ଦିହେଁ।
ବାଙ୍ଗାଲୋର ବୃକଫିଲ୍‌ଡ ଅଞ୍ଚଳର ନାମୀ ସ୍ୱିଟ୍-ଷ୍ଟଲ୍ ‘କାନ୍ତି ସ୍ୱିଟ୍‌ସ’ରୁ ହରେକ୍ ପ୍ରକାର ମିଠା କିଣିଲା ରମ୍ୟା। ‘ରାଗମ୍ ମଲ୍’ରୁ ଦୁଇ ତିନି କିସମର ଫଳ ଓ ଚାଇନା ଲାଇଟ୍ କିଣିସାରି ଗଲୁ ଅସ୍ଥାୟୀ ଭାବରେ ବସୁଥିବା ବାଣ ବଜାରକୁ।
ବି.ବି.ଏମ୍.ପି ପଡ଼ିଆଟି ବର୍ଷ ସାରା ଖାଲି ପଡ଼ିଥାଏ, ଦୀପାବଳି ଆସିଲେ ଲାଗିଯାଏ ଗହଳଚହଳ। ଭର୍ତ୍ତି ହେଇଯାଏ ଧାଡ଼ିକିଧାଡ଼ି ବାଣ ଦୋକାନରେ। ସେଠି ଭିଡ଼ ଯେ ଭିଡ଼ କାହିଁରେ କ’ଣ।

ଆହୁରି ପଢ଼ନ୍ତୁ- IRCTC: ଯାତ୍ରୀଙ୍କ ଜୀବନ ସହ ଖେଳ! ଖାଦ୍ୟ ଥାଳିରୁ ବାହାରିଲା ଲୁହା ଜାଲି

ଗହଳି ଭିତରକୁ ଯିବାଲାଗି ବିରକ୍ତ ଲାଗେ ମତେ।
‘‘ତୁମେ କିଣ, ମୁଁ ଅଛି ବାହାରେ।’’ କହି ମୁଁ ମୁହାଁଇଲି ସ୍କୁଟର୍ ଥୋଇବାଲାଗି ଖୋଲାଜାଗାକୁ।
ବହୁତ ବଡ଼ ବାଣଦୋକାନଟିଏକୁ ଗଲା ରମ୍ୟା। ଭଳିକିଭଳି ଚକ୍ରି-କୁମ୍ପି-ହାବେଳି, ଟେଲିଫୋନ୍-ଆକାଶଛତା ଆକାଶଲଣ୍ଠନ ଏବଂ ଆଉରି କେତେକେତେ ଦାମିକିଆ ବାଣ ବୋଝେଇ ସେ ବଜାରରେ। ରମ୍ୟାର ବାଣକିଣା ସରୁ ନ ଥାଏ। ଏଣେ ମୋ ବିରକ୍ତି ଭାବ ବଢ଼ିବଢ଼ି ଚାଲୁଥାଏ। ମୁଁ ଛିଡ଼ା ହେଇଥାଏ ଖୁମ୍ବ ଭଳି ମୋ ସ୍କୁଟର୍ ପାଖେ।

ମୋ ବିରକ୍ତି ବଢ଼ାଇଲା ଅପର୍ଚ୍ଛନିଆ ଦିଶୁଥିବା ଲୋକଟିର ‘ସାର୍ ସାର୍’ ଡାକ। ବାଙ୍ଗରା ହେଇ ମୋଟା ଲୋକଟିଏ। ହାତରେ ଧରିଥାଏ ଗୋଛାଏ ହାତତିଆରି ପେନ୍‌ସିଲ ବାଣ। ନିକୁଟି ହେଲାଭଳି କହିଲା ଅଧା ହିନ୍ଦୀ ଅଧା କନ୍ନଡ଼ରେ, ‘‘ଗୋଟିକୁ ଜମାରୁ ୧୦ ଟଙ୍କା ସାର୍। ଦୋକାନରେ ୨୦ ଟଙ୍କା। ନିଅନ୍ତୁ କିଛି, ଏଥିରେ ନିଆଁ ଧରେଇ ବମ୍ ଲଗେଇବେ ଦୂରରୁ ଛିଡ଼ାହେଇ ଯେ ହାତରେ ଫୁଟିବା ଭୟ ନ ଥିବ। ପିଲାଙ୍କର ବି ଭାରି ପ୍ରିୟ ଏ ପେନ୍‌ସିଲ ବାଣ।’’

ମୁଁ ବମ୍ ଫୁଟାଏନି, ତେଣୁ ମୋର ଦରକାର ନାହିଁ- କହିଦେଇ ମୁଁ ତା’ଠାରୁ ମୁକ୍ତି ଚାହୁଥିଲି। ମାତ୍ର ସେ ନଛୋଡ଼ବନ୍ଦା। ସେ ନିକୁଟି ହେଲା- ନିଅନ୍ତୁ କିଛି ସାର୍। ଗରିବ ଲୋକ। ତାକୁ କହିଲି- ହଉ ଦେ ପାଞ୍ଚଟି। ସେ କହିଲା- ଶହେ ଟଙ୍କାର ନିଅନ୍ତୁ ସାର୍ ୧୦ଟି ବଦଳରେ ୧୨ଟି ଦେବି। ‘ହଉ ହଉ ଦେ’ କହି ପକେଟ୍‌ରୁ ପର୍ସ କାଢ଼ି ଦେଖିଲି ଖାଲି ୫୦୦ ଟଙ୍କିଆ ନୋଟ୍ କେଇଖଣ୍ଡ ଅଛି। ଦେବି କି ଦେବିନାହିଁ ଭାବୁଥିଲି, ସେ କହିଲା- ଅବିଶ୍ୱାସ କରନ୍ତୁନି ସାର୍। ଭୋକ ପାଇଁ ମେହେନତ କରେ, ହେଲେ ଠକେନି କି ଚୋରି କରେନି। ଦିଅନ୍ତୁ ଭଙ୍ଗେଇ ଆଣୁଛି। ଆଉ ଉଁ ଚୁଁ ନକରି ବଢ଼ାଇଦେଲି ତା’ ହାତକୁ ପାଞ୍ଚଶହ ଟଙ୍କିଆ ନୋଟ୍ ଖଣ୍ଡିକ। ସେ ଚାଲିଗଲା ତରତରରେ।

ଆହୁରି ପଢ଼ନ୍ତୁ- Diabetes Management: ସକାଳର ରକ୍ତରେ ଶର୍କରା କିପରି ନିୟନ୍ତ୍ରଣ କରିବେ? ଜାଣନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ

ରମ୍ୟାର ତେଣେ ବାଣବଛା ସରୁ ନ ଥାଏ। ସମୟ ବିତୁଥାଏ। ମୋର ବିରକ୍ତି ବଢୁଥାଏ। ଲୋକଟି ବି ଆସୁ ନ ଥାଏ। ହଠାତ୍ ଆସିଲା ମନକୁ, କୁଆଡ଼େ ଗଲା ଏଯାଏଁ ସେ ଲୋକ? ଚିତା କାଟିଲା ନିଶ୍ଚେ। ଶହେ ଟଙ୍କାର ପେନ୍‌ସିଲ ବାଣ ବି ତ ମତେ ଦେଇନି। ତା’ ମାନେ ଗଲା ପାଞ୍ଚଶହ ଟଙ୍କା। ରମ୍ୟାର ଫୋନ୍ ଆସିଲା- ଆସ। କ’ଣ କରିବି? କେମିତି ଏଠୁ ଛାଡ଼ିକି ଯିବି? ଅପେକ୍ଷା କରିଛି ଯେ ଲୋକଟିକୁ। ପୁଣି ଥରେ ରମ୍ୟାର ଫୋନ୍, ‘‘ଏମାନେ ଅନ୍-ଲାଇନ୍ ପେମେଣ୍ଟ ଲାଗି ମନା କରୁଛନ୍ତି, ତୁମେ ଆସ। କ୍ୟାସ୍ ଦେବ।’’ ବାଧ୍ୟହେଇ ଗଲି। ଆଠ ହଜାର ଦୁଇଶହ ପଇଁତିରିଶ ଟଙ୍କା ଗଣିଦେଲି ଓ ବାଣ ବେଗ୍ ଧରି ଫେରିଲି ସ୍କୁଟର୍ ପାଖକୁ। ସେଠି ମତେ ଅପେକ୍ଷା କରିଥିଲା ଲୋକଟି।
‘‘ସାର୍! କେହି ଶୁଖିଲାକୁ ପାଞ୍ଚଶହ ଟଙ୍କା ଭଙ୍ଗେଇ ଦଉ ନ ଥିଲେ। ବହୁତ କୁହାବୋଲା କରି ଆଣିଲି। ନିଅନ୍ତୁ ଆପଣଙ୍କ ବାଣ ଆଉ ଚାରିଶ ଟଙ୍କା।’’

ସନ୍ଧ୍ୟାରେ ଜମିଲା ବାଣଫୁଟା ଆସର। ଆପାର୍ଟମେଣ୍ଟର ପ୍ରାୟ ସବୁ ମଣିଷ ଓ ପିଲା ଜମିଲେ ଆସି ତଳେ କୁଢ଼କୁଢ଼ ବାଣ ଧରି। ମୁଁ ପିଲାଙ୍କ ହାତରେ ଧରେଇ ଦେଲି ହାତତିଆରି ପେନ୍‌ସିଲ ବାଣ ଆଉ ତାଗିଦ୍ କଲି, ଖବରଦାର୍ କେହି ବମ୍‌ଫମ୍ ପାଖକୁ ଯିବ ନାହିଁ। ବାରଟି ପେନ୍‌ସିଲ ବାଣରୁ ତିନି ଚାରିଟି ଫୁସୁକିଗଲା। ଦେଖଣାହାରିଙ୍କ ଭିତରୁ ଅନେକେ ହସିହସି କଟାକ୍ଷ କଲେ, କୋଉ ଦୋକାନରୁ ଆଣିଥିଲେ? ନିଶ୍ଚେ ସେଠିକାର ବୁଲାବେପାରୀଠୁ କିଣିଥିବେ ୟାକୁ। ସେଗୁଡ଼ା ସୁଦ୍ଦୁ ଠକ। ପଇସା ପାଣିରେ ପଡ଼ିଲା।

ଦୂରରେ ଜଳୁଥିବା, ଫୁଟୁଥିବା, ଉପରକୁ ନିଆଁ ଝୁଲ ଉଠୁଥିବା, ଆକାଶକୁ ରଙ୍ଗିନ କରି ଦେଉଥିବା ଓ ତହିଁରୁ ବେଶ୍ କେତେଟା ପୁଣି ଫୁସୁକି ଯାଉଥିବା ବାଣକୁ ଏକଲୟରେ ଚାହିଁ ମୁଁ ଭାବୁଥାଏ- ହଁ... ପଇସା ପାଣିରେ ପଡ଼ିବା ଅବା ନିଆଁରେ ଜଳିଯିବା ଭିତରେ କେତେବା ଫରକ! 

ମୋ: ୭୩୫୮୬୧୬୪୩୧

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.