Literature: ଗଳ୍ପ କାନ୍ଥ: ଗାଳ୍ପିକ ବିରଜା ରାଉତରାୟଙ୍କ କଲମରୁ ନିଃସୃତ...

3 days ago 5
ARTICLE AD BOX

କାନ୍ଥ

ବିରଜା ରାଉତରାୟ

ଏହି ଗୁରୁବାରିଆ ଦିନ ହିଁ ଲୋକଟା ଆସିଥାଏ କଲୋନିକୁ। କିଛିବାଟ ଆଗରୁ ଆସୁଥିବାର ଏକକ ଠାଣିକୁ ସୂଚାଇଥାଏ ତା’ର ପାଦଶବ୍ଦ। ଗୋଟିଏ ପାଦରୁ ବିଚ୍ଛୁରିତ ହୋଇଥାଏ କଠାଉ ପରି ଠକ୍ ଠକ୍ ଶବ୍ଦ। ଆର ପାଦଟା ଘୋଷରା ଟାୟାରର ଖସ୍ ଖସ୍ ଶବ୍ଦ ପରି ଟିକେ କର୍କଶ ଶୁଭିଥାଏ କାନକୁ। 
ଆଦ୍ୟ ଦ୍ବିପ୍ରହରରେ ଯେତେବେଳେ ସ୍ଥିର ପଡ଼ିଯାଏ ଗାଡ଼ି ମୋଟର ଓ ଲୋକଙ୍କର ଯା’ଆସ, ଠିକ୍ ସେତିକିବେଳେ ଏହି ପରିଚିତ ଶବ୍ଦଟା ଧପାଳି ଆସେ ତା’ ପାଖକୁ।

ଏହାକୁ ଅପେକ୍ଷା କରି ଛୋଟିଆ ଡ୍ରଇଂରୁମ୍ ଭିତରେ ନିଜର ଦୁଇ ଅସ୍ଥିର ପାଦକୁ ଇତସ୍ତତଃ ପକାଇ ଚାଲୁଥାନ୍ତି କୁସୁମିତା। ଗଲା ଛଅଦିନ ଧରି ଅନ୍ତର ଭିତରେ ପୋଷି ରଖିଥିବା ରାଗଟା ବାହାରକୁ ଛିଟିକି ଆସୁଥାଏ ମଝିରେ ମଝିରେ। ଛାଁକୁ ଛାଁ ମୃଦୁ ଚିତ୍କାର କରିବା ପରି କହିଉଠୁଥାନ୍ତି, “ଆସୁ ସେ ହାରାମଜାଦା ଆଜି! ଏଡ଼େ ବହପ... ମତେ ‘ଦିଦି’ ବୋଲି ସମ୍ବୋଧନ କରିବ! ହେଲେ, ସେ ଦୁଇଶ’-ପନ୍ଦର ଘରବାଲୀକୁ ଡାକିବ ମ୍ୟାଡାମ‌! କିଏ ବା ତୋତେ ଅଧିକା ଦଉଚି ତୁ କହ ଆଜି! ଠଣ୍ ଠଣ୍ ଦଶଟଙ୍କିଆ କଏନ୍‌ଟା ତୋ ତାଟିଆରେ ପକେଇ ଦଉଚି ବୋଲି ପୂରା ଉତୁଗରବା ହୋଇଯାଇଚୁ ନାଇଁ! ଆସେ ତୁ ଆଜି..!” ସହସା ଶାଢ଼ିର କାନିଟାକୁ ଅଣ୍ଟାରେ ଖୋଷି ସେ ନିଜର ଜରଜର କ୍ରୋଧର ଅତିଷ୍ଠତାକୁ ପ୍ରଦର୍ଶନ କରି ସାରିଥାନ୍ତି ଇତିମଧ୍ୟରେ। 

ଆହୁରି ପଢ଼ନ୍ତୁ- SBI's New Rule: ଟଙ୍କା ଉଠାଣକୁ ନେଇ ଏସ୍‌ବିଆଇର ନୂଆ ନିୟମ

ଦୁଇପାଦର ସେହି ବିଷମତୁଲ୍ୟ ଅଲଗା ଅଲଗା ଶବ୍ଦ କ୍ରମଶଃ ନିକଟବର୍ତ୍ତୀ ହେଉଥାଏ ଦୁଇଶ’-ଷୋହଳ ନମ୍ବର ଘର ଆଡ଼କୁ। ସେହି ବେଖାପ ଶବ୍ଦଗୁଡ଼ା ତା’ର ବେତାଳ ଛନ୍ଦରେ ତାଙ୍କ କାନ ପାଖକୁ ଅଧିକ ଘନେଇ ଆସୁଥାଏ। ସେଥିରେ ଆଉ ଟିକେ ଉତ୍‌କ୍ଷିପ୍ତ ହେବା ପରି ତାଙ୍କର ଦୁଇ ଅତିଷ୍ଠ ପାଦ ଦ୍ରୁତ ଗତିରେ ଘେରାଟାଏ ମାରି ଦେଉଥାଏ ସେହି ଡ୍ରଇଂରୁମ୍‌ର ଚଟାଣ ଉପରେ। 

“ଆରେ... ବଦମାସ କୋଉଠିକାର! ଏପରି ଲୋକଟାକୁ ପ୍ରଶ୍ରୟ ଦେବା ହିଁ ମୋର ଭୁଲ ଥିଲା! କେଜାଣି କେତେଥର ୟା’ଙ୍କର ଟିକିଏ ପୁରୁଣା ହୋଇ ପଡ଼ିଥିବା ସାର୍ଟଗୁଡ଼ାକୁ ଲୁଚେଇକି ନ ଦେଇଛି! ମିଛୁଟାରେ ସଫେଇ ଦେଇଛି, ପିଠିପଟ କପଡ଼ା ଫାଟି ଟିକେ ଆଁ’ କରିଥିଲା ବୋଲି ଦେଇଦେଲି।” ପୁଣି ଆଉ କୋଉଥର ବି କହିଛି, “ସେଇ ଗୋଟାଏ ସାର୍ଟକୁ ଖାଲି ଘଷରା କରି ପିନ୍ଧୁଥିବ ନା କ’ଣ! ସେଥିପାଇଁ ଜଳନ୍ଧର ଭିକାରିକୁ ଦେଇଦେଲି। ପିନ୍ଧୁ ବିଚରାଟା! ମାଗିଯାଚି ଚଳୁଚି! କୋଉଠୁ ଏତେ ପଇସା ପାଇବ ଯେ!” ତାଙ୍କ ଉତ୍‌କ୍ଷିପ୍ତ ଭାବନାକୁ ବହନ କରି ଦୁଇ ଆଖିପତା ସୁଦ୍ଧା ଟେକି ହୋଇ ଉଠୁଥାଏ। 

ନାକପୁଡ଼ାରେ ଲମ୍ବା ଖର ପ୍ରଶ୍ୱାସକୁ ଉଗାଳିଛନ୍ତି କି ନାହିଁ ପୁଣି ତାଙ୍କ ଭିତରର ଅତୃପ୍ତ ତମତମ ରାଗଟା ଉତୁରି ଆସିଲା, “ଶେଷକୁ ଏଇ ମୂଲ ଶୁଝାଇବାକୁ ବାକି ଥିଲା ଜଳନ୍ଧରର ନା’! ହଉ, ଆସୁ ସେ ଛତରଛିଆ! ଦୁଇଶ’-ପନ୍ଦର ଘରବାଲୀ ଠେଇଁ କ’ଣ ଏମିତି ଦେଖି ପକେଇଲା ଯେ ମ୍ୟାଡାମ ଡାକି ପକାଇଲା! ହେଲେ, ଯାହାଠୁ ବେଶି ଉପକାର ପାଇଛୁ, ତାକୁ ଡାକିବୁ ଦିଦି! ରହ, ତୋଠୁଁ ଆଜି ଉଗାଳୁଛି... କ’ଣ ତା’ଠି ଦେଖି ଡାକିଲୁ ମ୍ୟାଡାମ! କୋଉ ଅଧିକା ପଢ଼ିଛି ଯେ... ମୁଁ ତ ଯୋଉ ବିଏକୁ, ସିଏ ତ ସେଇ ବିଏ! ଓଲଟି ଦେଖିବାକୁ ଗଲେ ଭୁବନେଶ୍ୱରରେ ଆସି ରହିବାରେ ତା’ଠାରୁ ମୁଁ ଅଧିକ ପୁରୁଣା। ତା’ ପାଇଁ କେମିତି ତୋ ଜିଭ ‘ମ୍ୟାଡାମ’ ଡାକିବାକୁ ଖଲ ଖଲେଇ ଉଠିଲା କହ?” 
ଗଲା ଛଅଦିନ ଧରି କୁସୁମିତାଙ୍କ ମନଆକାଶକୁ କଳାହାଣ୍ଡିଆ ମେଘ ପରି ଏହି ପ୍ରଶ୍ନଟା ଘୋଟି ରହିଥାଏ। 

ପ୍ରତି ଗୁରୁବାରକୁ ଜଳନ୍ଧର ଭିକାରିର ଏହି କଲୋନିକୁ ଆସିବା ବାରି। ଦୁଇ ତିନି ବର୍ଷ ଆଗରୁ ତା’ ସାଙ୍ଗରେ ଝୁମୁକା ବୋଲି ସ୍ତ୍ରୀ ଲୋକଟା ଆସୁଥିଲା। ଦୁହେଁ ଏକାଠି ମିଶି ଭିକ୍ଷାବୃତ୍ତି କରୁଥିଲେ। ଦି’ଜଣଙ୍କର କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ କିଛି ନା କିଛି ଅଙ୍ଗହାନୀ ହୋଇଥିଲା। ମଞ୍ଚେଶ୍ୱର ରେଳଲାଇନ୍ ପାଖ ବସ୍ତିରେ ତା’ ଝୁମ୍ପୁଡ଼ିକୁ ଲାଗି ୟା’ର ରହିଥିଲା। ଥଇଥାନ ପାଇଁ ସରକାର ନୀଳାଦ୍ରି ନିଳୟ ଯୋଜନା କରିବାରୁ ଝୁମୁକା ଉଠିଗଲା କୁଷ୍ଠ କଲୋନୀକୁ। ଖାଇବା ପିଇବା ସବୁ ସରକାର ବୁଝିଲେ। ତେଣୁ ତା’ ସହ ବୁଲି ଭିକ ମାଗିବାଟାକୁ ଛାଡ଼ି ସାରିଥିଲା।

ଆହୁରି ପଢ଼ନ୍ତୁ- Gangster Manpal Dhilla: ବିବାହ ପରେ ଜେଲକୁ ଫେରିଯିବେ କୁଖ୍ୟାତ ଗ୍ୟାଙ୍ଗଷ୍ଟର 

କିନ୍ତୁ ଜଳନ୍ଧର ନିଜକୁ ସେହି ସରକାରୀ ଛତ୍ରରେ ସାମିଲ କଲା ନାହିଁ। ଭାରି ଚାଲାଖି ମଣିଷ ସେ! ହିସାବ କରି ଦେଖିଲା, ସେଠିକି ଗଲେ ଯଥେଷ୍ଟ ଆର୍ଥିକ କ୍ଷତିକୁ ଡାକି ଆଣିବ। ଏମିତି ସାତ ଦିନର ସାତଟି ବାରକୁ ଆଖପାଖ ସାତଦିଗକୁ ଖେଳାଇ ଦେଇଛି। ତା’ ହିସାବରେ ଆଜିକାଲି ଭିକ ପାଇଁ ଘର ଆଗରେ ତାଟିଆ ପତେଇଲେ ଅତି କମ୍‌ରେ ପାଞ୍ଚ କି ଦଶଟଙ୍କିଆ କଏନ୍ ପଡୁଚି। ପଚାଶ ଘର ବୁଲିଗଲେ ଟଙ୍କା ଅଢ଼େଇ ଶହରୁ ପାଁ’ଶ ଥୁଆ! ଯାଉଥିଲା, ସରକାରୀ ଘରେ ଛତର ଖାଇବାକୁ!

ଗୁରୁବାରକୁ ପାଳିଥାଏ ତା’ର ଭିଏସ୍‌ଏସ୍ ନଗରର ଏହି ନୀଳକଣ୍ଠେଶ୍ୱର ମନ୍ଦିର ପାଖ କଲୋନିକୁ। ମନ୍ଦିର ଦେଇ କଲୋନି ଭିତରକୁ ପଶିଲେ, ପ୍ରଥମ ବାଙ୍କମୁଣ୍ଡରେ ପଡ଼େ ଦୁଇଶହ ଷୋହଳ ନମ୍ବର ଘର। ସେଇଠୁ ଆରମ୍ଭ ହୁଏ ତା’ର ଡାକ। ଦୁଇଶହ ଷୋହଳରୁ ଘରର କ୍ରମିକ ନମ୍ବର ତଳରାସ୍ତାର ଦୁଇପଟକୁ ଖସି ଖସି ଘର ନମ୍ବର ଶହେ ଏକାବନରେ ସରେ। ଦୁଆର ଦୁଆର ଛିଡ଼ା ହୋଇ ଦୀର୍ଘବର୍ଷ ମାଗିବାର ଅଭିଜ୍ଞତାରୁ ଜାଣି ସାରିଛି କୋଉ ଘରେ କିଏ ରହେ। ସେହି ଅନୁସାରେ ତା’ର ଘରୱାରି ଡାକ ବି ବଦଳେ। ଯେମିତି ଶହେ ପଞ୍ଚାଶୀ ଘରର ଗୃହକର୍ତ୍ତ୍ରୀଜଣକ ବୟସ୍କା ଥିବାରୁ ଓ ତା’ ପରର ଶହେ ଚଉରାଶୀ ଘରେ ଜଣେ ପକ୍ୱବୃଦ୍ଧ ଅବସ୍ଥାନ କରନ୍ତି। ସେଠି ପହଞ୍ଚୁ ପହଞ୍ଚୁ ସେଥିପାଇଁ ସେ ସ୍ୱର ଲମ୍ବେଇଥାଏ, “ଦୁଇଶ ପଞ୍ଚାଅଶି ଘର ମାଉସୀ ଭିକ୍ଷା ଟିକେ ଦିଅ!” କହି ସାରି ଆରଘରକୁ ଡେଇଁଲା ବେଳକୁ “ଶହେ ଚଉରାଅଶୀ ନମ୍ବର ଅଜା, ନାତି ପାଇଁ କିଛି ଦେ...!” ଏହିପରି ଭିକ୍ଷା ପାଇଁ ଘରୱାରି ଡାକରେ ତା’ର ବାରିହୋଇ ପଡ଼ିଥାଏ ଭିନ୍ନତା। ଭିକ୍ଷାକଳାର ଏକ ରକମ ବିଶେଷତା। 

ଗଲା ଗୁରୁବାର ସେହିପରି ସେ ଦୁଇଶ’-ଷୋହଳ ଓ ତା’ ପଛକୁ ଥିବା ପନ୍ଦର ନମ୍ବର ଘରବାଲୀ ଦୁଇଜଣଙ୍କୁ ଦିଦି ସମ୍ବୋଧନ କରିବା ବଦଳରେ ଷୋହଳକୁ ଦିଦି ତ ପନ୍ଦରକୁ ମ୍ୟାଡାମ ସମ୍ବୋଧନ କରିଥିଲା। କାରଣ, କେଉଁ ସମ୍ବୋଧନରେ କିଏ କେତେବେଳେ ଅଧିକ ଭଳିବ ସେହି ପୂର୍ବାନୁମାନ ବିଦ୍ୟାଟା ତା’ର ଥାଏ। 
ସେଦିନ ଦୁଇଶ’-ପନ୍ଦର ଘର ଆଗରେ ପହଁଚିଲା ବେଳକୁ ସେହି ଘରବାଲୀ ମହିଳାଜଣକ ଭ୍ୟାନିଟି ବ୍ୟାଗ୍ ପକେଇ ସ୍ୱାମୀଙ୍କ ସହ ସ୍କୁଟି ପଛରେ ବସି ସାରିଥାନ୍ତି। ଖାଲି ଏକ୍ସିଲେଟରଟା ମୋଡ଼ିବା ଆରମ୍ଭ ହେବାକୁ ଥାଏ। କାଳେ, ମିଳିବାକୁ ଥିବା ସେହି ଘରର ଭିକ୍ଷା ଛୁଟ୍ ହୋଇଯିବ ଭାବି ସେ ପ୍ରତ୍ୟୁତ୍ପନ୍ନମତିତାର ସହ “ଦୁଇଶ’-ପନ୍ଦର ଘର ମ୍ୟାଡାମ‌ଙ୍କ ଦୟାରୁ କିଛି ଆଜି ମିଳୁ...” କହି ତାଟିଆଟାକୁ ଲମ୍ବାଇ ଦେଇଥିଲା।
ସତକୁ ସତ ତା’ର ଏହି ବୁଦ୍ଧିଟା ବି କାମ ଦେଇଥିଲା। ମୁହଁ ସାମ୍ନାକୁ ବୁଲାଇ ସାରିଥିବା ଘରବାଲୀଜଣକ ସେହି ସମ୍ବୋଧନରେ ଗାଡ଼ିରୁ ଓହ୍ଲାଇ ପଡ଼ି ତତ୍‌କ୍ଷଣାତ୍ ଭ୍ୟାନିଟି ବ୍ୟାଗ୍‌ରୁ କାଗଜ କୋଡ଼ିଏ ଟଙ୍କାଟେ କାଢ଼ି ରଖି ଦେଇଥିଲେ। 

ଆହୁରି ପଢ଼ନ୍ତୁ- Heavy rain: ମାଲକାନଗିରି ଜିଲ୍ଲାର ଅନେକ ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ

ଏହି ଡାକର ଧ୍ୱନି ଛାଡ଼ି ଆସିଥିବା ପଛଘରକୁ ତରଙ୍ଗାୟିତ ହୋଇ ସାରିଛି, ଏ କଥା ଅନୁମାନ କରିବା ଥିଲା ମୁସ୍କିଲ। 
ଆଜି ପୁଣି ପୁରୁଣା ଅଭ୍ୟାସ ମୁତାବକ ଦୁଇଶ’-ଷୋହଳ ନମ୍ବର ଘର ଆଗରେ ନିଜର ବେସୁରା ଦୁଇ ପାଦର ଶବ୍ଦକୁ ବିରାମ ଦେଇ ଛିଡ଼ା ହୋଇଛି କି ନାହିଁ, ସେପଟୁ ବ୍ୟଗ୍ର ଥିବା କୁସୁମିତା ଆଉଜା କବାଟକୁ ଖୋଲି ଗେଟ୍ ଯାଏଁ ଝପଟି ଆସିଲେ। ଯେଉଁ ଯେଉଁ କଥା ସବୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଘାଣ୍ଟି ଚକଟି ଚାଲିଥିଲା ତାଙ୍କ ମଗଜକୁ, ସେଇଗୁଡ଼ାକ ଖଣ୍ଡେ ଖଣ୍ଡେ ଜଳନ୍ଧର ଉଦ୍ଦେଶ୍ୟରେ ନିକ୍ଷେପ କରିବା ପାଇଁ ଅଧୈର୍ଯ୍ୟ ହୋଇ ଉଠୁଥାନ୍ତି। ତାଙ୍କ ମୁଖମଣ୍ଡଳରେ ବି ସେହିପରି ପ୍ରତିକ୍ରିୟାର ଆଭା।

ରାସ୍ତା ଦୁଆର ମୁହଁରୁ ଛିଡ଼ା ହୋଇ ଘରବାଲୀଙ୍କୁ ନିରୀକ୍ଷଣ କରିବା ଭିତରେ ଜଳନ୍ଧରର ପାଟିରୁ ସ୍ୱତଃ ବିସ୍ଫରି ଆସିଲା, “ଦୁଇଶ’-ଷୋହଳ ନମ୍ବର ମ୍ୟାଡାମଙ୍କର ଦୟା ହେଉ!”
ହଠାତ୍ ଏଇ ଶବ୍ଦ ଶୁଣି କ୍ଷିପ୍ର ଗତିରେ ଆସୁଥିବା କୁସୁମିତାଙ୍କ ଦୁଇପାଦ ଅଟକିଗଲା ଯେପରି। ଚାହୁଁଚାହୁଁ ମୁହଁକୁ ଢାଙ୍କି ରହିଥିବା ବିଷଣ୍ଣ ମେଘର ପଟଳଟା କୁଆଡ଼େ ଅପସରି ଗଲା। ପୁଣି ପୁରୁଣା ସ୍ୱାଭାବିକ ପ୍ରଫୁଲ୍ଲତା ଖେଳି ଉଠୁଥିବା ତାଙ୍କ ମନରେ କିନ୍ତୁ ଦୋହରି ଉଠୁଥାଏ ଏକ ନିରବ ବିସ୍ମୟ! “ଆରେ, ଏଇଟା କିପରି ଜାଣିଲା, ମ୍ୟାଡାମ ଡାକକୁ ନେଇ ସେ ଶାଢ଼ିର କାନି ପରି ମନରେ ଗଣ୍ଠି ପକାଇ ରଖିଛନ୍ତି ବୋଲି! କାହାକୁ ତ ବାହାରେ କହି ନାହାନ୍ତି ନିଜର ଏ ତୁଳନାତ୍ମକ ଦୁଃଖକୁ! ଖାଲି ସେଦିନ ରାତିରେ ସ୍ୱାମୀଙ୍କ ସହ କଥା ହେବା ବେଳେ ଏଇ କଥାଟାକୁ ଅଭିମାନ କରି ଶୁଣାଇଥିଲେ। ହଁ, ସେତିକିବେଳେ ଆରପଟ ଘରେ ଗିନାଟିଏ ପଡ଼ିବାର ଶବ୍ଦଟେ ଶୁଭିଥିଲା ଯାହା କାନକୁ! ମଝିରେ ତ କାନ୍ଥଟାଏ ଥିଲା ନା!”

ସେଇ କଥାକୁ ଭାବି ସାମାନ୍ୟ ସନ୍ଦେହ ଆଖିରେ ସେ ଘରର ଡ୍ରଇଂରୁମ୍‌ର କାନ୍ଥଟାକୁ ଚାହିଁ ରହିଲେ।
ସେ‌ତେବେଳକୁ ଜଳନ୍ଧର ତା’ର ଦୁଇ ବେତାଳ ପାଦର ରିଦିମ୍‌କୁ ବଢ଼ାଇ କାନ୍ଥ ଆରପଟେ ଥିବା ଦୁଇଶ’-ପନ୍ଦର ନମ୍ବର ଘରଆଡ଼କୁ ଅଗ୍ରସର ହେଉଥାଏ।

ମୋ: ୯୬୫୮୮୧୦୨୪୪

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.