ARTICLE AD BOX
ତାଳିର ତିନିଟି ସ୍କେଚ୍
ଲଲାଟେନ୍ଦୁ ସାହୁ
୧
ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ଜିତିଥିବା ଶାସକ ଦଳ ପାଞ୍ଚବର୍ଷ ଭିତରେ ଲକ୍ଷେ ଲୋକଙ୍କୁ କର୍ମନିଯୁକ୍ତି ଦେବା ଥିଲା- ଗଲା ନିର୍ବାଚନର ଥୋପ। ନିର୍ବାଚନୀ ସଭାକୁ ଅଣାଯାଇଥିବା ଆଶାୟୀ ବେକାରୀ ଯୁବକ ଯୁବତୀ ଗଲାଥର ପ୍ରବଳ ତାଳିମାରି ସ୍ୱାଗତ କରିଥିଲେ ଏ ପ୍ରସ୍ତାବକୁ। ଏ ଭିତରେ ପୁଣି ପାଞ୍ଚବର୍ଷ ପୂରି ଭୋଟ ହେବାକୁ ଯାଉଛି। ବିଭିନ୍ନ ନିର୍ବାଚନୀ ସଭା ପାଇଁ ଆଶାୟୀ ପ୍ରାର୍ଥୀମାନେ ବେକାର ଯୁବକ ଯୁବତୀମାନଙ୍କୁ ସବୁଥର ପରି ଏଥର ବି ପ୍ରଲୋଭନ ଦେଖାଇ ଡାକିବେ। ଭଡ଼ାରେ ଲୋକ ଯୋଗାଉଥିବା ଭୋଟରଙ୍କୁ ସଭାକୁ ପଠେଇବା ପାଇଁ ଜଣେ ଦଲାଲ ବିପୁଳ ଗୁଟଖା ଦାବିକଲା। କହିଲା- ସଭାରେ ଦୀର୍ଘ ସମୟ ପାଟି ବନ୍ଦ କରି ବସିବା ବଡ଼ କଷ୍ଟ ହେଉଥିବାରୁ, ତା’ ଲୋକଙ୍କୁ ଗୁଟଖା ଦିଆଯାଉ। ପ୍ରାର୍ଥୀ କଥାର ଗୁରୁତ୍ୱ ବୁଝି ଆଶାୟୀ ନେତା ବନ୍ଦୋବସ୍ତ କଲେ। ସଭାରେ ଏଥର ଉପସ୍ଥିତ ଯୁବକ ଯୁବତୀ ମାଗଣାରେ ଗୁଟଖା ପାଇଲେ ଓ ତାକୁ ହାତରେ ଦଳି, ତାଳି ମାରି ମାରି କଳରେ ପୂରେଇଲେ। ଏ କାର୍ଯ୍ୟକ୍ରମ ଏକକାଳୀନ ଏତେ ବିପୁଳମାତ୍ରାରେ ସଂଘଟିତ ହୋଇଥିଲା ଯେ ସଭାସାରା ଖାଲି ତାଳିମୟ। ସେ ତାଳି ଥିଲା ଉପେକ୍ଷିତ ବିକାଶକୁ ଶକ୍ତ ଚାପୁଡ଼ାର ଶବ୍ଦ!
ଆହୁରି ପଢ଼ନ୍ତୁ- 46% of homes on sale are 3 BHKs: ୪୬% ନୂଆ ଘର ୩ ବିଏଚ୍କେ : ୭୫ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟ ଘର ଚାହିଦା ଅଧିକ
୨
ଆଦ୍ୟ ମୋଗଲ ସମ୍ରାଟଙ୍କ ଶାସନ କାଳର କଥା। ଭବ୍ୟ ରାଜ-ପ୍ରାସାଦ, ଅଭେଦ୍ୟ ପ୍ରାଚୀର, କାଚକେନ୍ଦୁ ଭର୍ତ୍ତି ପାଣିର ସୁଦୀର୍ଘ ସରୋବରମାନ ସଦ୍ୟ ସଦ୍ୟ ତିଆରି ହୋଇ ସମ୍ରାଟଙ୍କ ଉପଭୋଗ୍ୟ ଭାବରେ ଉତ୍ସର୍ଗୀକୃତ ହୋଇସାରିଥାଏ। ସେତିକିବେଳେ ରଙ୍ଗମହଲର ସୀସା ଆଲମାରି ପଛକଡ଼େ ଗୋଟେ ମଶା ନୂଆକରି ଜନ୍ମଲାଭ କରିଥାଏ। ରାଜପ୍ରାସାଦରେ ଜନ୍ମିଥିବା ସେ ଛୁଆ ପାଇଁ ତା’ ମା’ ବି ଖୁବ୍ ଗର୍ବିତ। ସମୟକ୍ରମେ ସେ ତା’ର ପ୍ରଥମ ଉଡ଼ାଣ ଆରମ୍ଭ କଲା। ତୋରଣ ବାଟେ ପ୍ରାସାଦ ବାହରକୁ ଯାଇ ପୁଣି ଭିତରକୁ ପଶିଲା। ଦେଖିଲା ସଜାଗ ପ୍ରହରୀ ତୋପ, ବନ୍ଧୁକ ଓ ବର୍ଚ୍ଛାଧରି ପୂରା ଜାଗ୍ରତାବସ୍ଥାରେ ଅଛନ୍ତି। ତାକୁ କାମୁଡ଼ିବାକୁ ଗଲାବେଳେ ସେ ବନ୍ଧୁକ ଉଠାଇଲା। ବିଚରା ଛୁଆ ମଶାଟି ଡରି ପ୍ରାସାଦ ଭିତରକୁ ରଙ୍ଗମହଲ ହୋଇ ଗୁପ୍ତ ମହଲରେ ପହଞ୍ଚିଲା। ଅନେକ ନ ଦେଖିବା କଥା ଦେଖିଲା। ତରୁଣୀଙ୍କଠୁ ରକ୍ତଶୋଷିବା ଆଶାରେ ଯାହା ପାଖକୁ ଗଲା ସେ ତାକୁ ତାଳିମାରି ତଡ଼ିଲା। ବିଚରା କିଛି ନ ଖାଇ ଉଡ଼ି ଉଡ଼ି ପୁରା କ୍ଳାନ୍ତ ହୋଇ ବସିଛି କି ନାହିଁ ତା ମା’ କେଉଁଠି ଥିଲା ଉଡ଼ି ଆସି ତା’ର ପ୍ରଥମ ଉଡ଼ାଣ କେମିତି ଥିଲା ବୋଲି ପଚାରିଲା। କୁନି ମଶାଟି କହିଲା- “ଅତି ଚମତ୍କାର ଉଡ଼ାଣ। ମୋ ଉଡ଼ାଣକୁ ନେଇ ସମସ୍ତେ ଅତ୍ୟନ୍ତ ଖୁସି ବ୍ୟକ୍ତ କଲେ ଓ ତାଳିମାରି ମୋତେ ସ୍ୱାଗତ କଲେ। ଆସନ୍ତା କାଲି ମୁଁ ମହାରାଜା ଓ ମହାରାଣୀଙ୍କ କୋଠରି ଅଭିମୁଖେ ଯାତ୍ରାକରି ଏହାଠୁ ଅଧିକ ତାଳି ଆଶା କରୁଛି।’’
୩
ଆହୁରି ପଢ଼ନ୍ତୁ- Disease: ପୂର୍ବାପେକ୍ଷା ଏବେ ବାରମ୍ବାର ପାଇଖାନା ଯିବାକୁ ପଡୁଛି କି? ଏହି ରୋଗର କାରଣ ହୋଇପାରେ
ନୂଆକରି ଅସନ୍ତୁଷ୍ଟ ଜଣେ କର୍ମୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କଲେ। ତାଙ୍କର ସମର୍ଥନ ପାଇଁ କିମ୍ବା ତାଙ୍କ ଆୟୋଜିତ ସଭାରେ କେହି ଜଣେ ତାଳି ମାରିବାକୁ ନଥିଲେ। ଏଣୁ ବିରୋଧୀ ପ୍ରାର୍ଥୀମାନେ ଏହି ନବାଗତଙ୍କୁ ନେଇ ତିଳେ ହେଲେ ଆତଙ୍କିତ ନଥିଲେ। ଜମି-ବାଡ଼ି ବିକି, ସ୍ତ୍ରୀଙ୍କର ଗହଣା ବନ୍ଧା ରଖି ନିର୍ବାଚନ ସମୟାଗତେ ସେ ବି ବଡ଼ ସାଧାରଣ ସଭାଟେ କରାଇଲେ। ସମର୍ଥକ ଭଳି ପ୍ରତୀୟ ହେଉଥିବା ଆଶାତୀତ ନରନାରୀ ସେଥିରେ ଯୋଗଦେଇଥିଲେ। ଯଦିଓ ସେମାନେ ନିଜ ନିଜର ଗାଡ଼ିରେ ମାଗଣା ତେଲ ପକେଇବା ସହିତ ନିଜର ପ୍ରାପ୍ୟ ନଗଦ ଟଙ୍କା ଆକାରରେ ନେଇଥିଲେ। ସେହି ସୁଯୋଗର ସଫଳ ଉପଯୋଗ କରି ଆୟୋଜକ ଭାଷଣର ବହୁଳାଂଶ ଓ ତତସଂଲଗ୍ନ ପ୍ରତିଯୋଗିତାପୂର୍ଣ୍ଣ ପ୍ରାୟୋଜିତ ତାଳିମରା କାର୍ଯ୍ୟକ୍ରମକୁ ଭିଡ଼ିଓ କରି ସୋସିଆଲ୍ ମିଡ଼ିଆରେ ଖୁବ୍ ବଜେଇ ବଜେଇ ନିର୍ବାଚନରେ ଜିତିଗଲେ। ତାଳିର ଏ ପ୍ରଭାବଶାଳୀ ସାମର୍ଥ୍ୟ ଯେ କେତେ ଶକ୍ତିଶାଳୀ ଏକଥା ଶୁଣିଲେ ହାରିଥିବା ପ୍ରାର୍ଥୀମାନେ ବାଉଳି ଉଠୁଛନ୍ତି।
ମୋ: ୮୩୨୮୯୭୧୭୧୦
ଅଧିକ ଦେଖନ୍ତୁ-

47 minutes ago
2


