Literature: Srujana Saptapadi: ସୃଜନ ସପ୍ତପଦୀରେ ବିଶିଷ୍ଟ ଲେଖକ ନୀଳାଦ୍ରିଭୂଷଣ ହରିଚନ୍ଦନ। ତାଙ୍କ ସହ କିଞ୍ଚିତ୍‌ ଆଳାପ...

28 minutes ago 1
ARTICLE AD BOX

ଇତିହାସର ଉପାସନା ମୋର ରକ୍ତଗତ 

ନୀଳାଦ୍ରିଭୂଷଣ ହରିଚନ୍ଦନ ନାଆଁକୁ ସଂକ୍ଷେପରେ ଆପଣ ‘ନୀଳଚନ୍ଦନ’ କରିଛନ୍ତି। ଆଦ୍ୟ ଜୀବନରେ ଏଇ ନାଆଁ ଆପଣ କବିତା ପୁସ୍ତକରେ ଉପଯୋଗ କରିଥିଲେ ଏବଂ ପରିଣତ ବୟସରେ ଏଇ ନାଆଁ ଉପଯୋଗ କରି ସ୍ମୃତିଲେଖ ବି ଲେଖିଛନ୍ତି। ତେବେ କେଉଁ ନାଆଁଟି ଆପଣଙ୍କର ଅଧିକ ପ୍ରିୟ?

ମୁଁ ରେଭେନ୍‌ସା ଓ ଭଦ୍ରକ କଲେଜରେ ଅଧ୍ୟାପକ ଥିବାବେଳେ ଏହି ‘ନୀଳଚନ୍ଦନ’ ଛଦ୍ମ ନାମଟି ଲେଖିବାକୁ ଆରମ୍ଭ କଲି। ଭଦ୍ରକ କଲେଜରେ କେତେକ ଛାତ୍ରଛାତ୍ରୀ ‘ତରୁଣ ସାହିତ୍ୟ ସଂସଦ’ ନାମକ ଏକ ସାହିତ୍ୟ ସଂସଦ ଗଢ଼ିଥିଲେ। ଏମାନେ ସାହିତ୍ୟ ସଂସଦର ସାପ୍ତାହିକ ବିଜ୍ଞପ୍ତିରେ ସଭାପତି ଭାବେ ମୋର ଏହି ‘ନୀଳଚନ୍ଦନ’ ନାମକୁ ବ୍ୟବହାର କରୁଥିଲେ। ବିଶ୍ବଭାରତୀ, ଶାନ୍ତିନିକେତନରେ ଯୋଗଦେବା ପରେ ବିଶ୍ବଭାରତୀ ଓଡ଼ିଆ ସାହିତ୍ୟ ପରିଷଦର ପ୍ରାଚୀରପତ୍ରରେ ମୁଖ୍ୟ ସଂପାଦକ ରୂପେ ‘ନୀଳଚନ୍ଦନ’ ନାମକୁ ଉଲ୍ଲେଖ କରାଯାଉଥିଲା। ଏହି ସମୟରେ ରବିବାର ପ୍ରଜାତନ୍ତ୍ରରେ ମୁଁ ନୀଳଚନ୍ଦନ ନାମରେ ‘ଶାନ୍ତିନିକେତନ ପତ୍ର’ ବୋଲି ଏକ ଧାରାବାହିକ ଲେଖା ଲେଖୁଥିଲି। ମୋର, ଦ୍ବିତୀୟ କବିତା ପୁସ୍ତକର ନାମ ଶ୍ରଦ୍ଧାରେ ‘ନୀଳଚନ୍ଦନର ଭୁଲ୍ ଠିକଣା’ ରଖିଥିଲି। ମୁଁ ଏହି ନାମଟି ମୋର ଲେଖକ ଜୀବନରେ ବ୍ୟବହାର କରୁ ନ ଥିଲେ ବି ଏହା ମୋର ଅଧିକତର ପ୍ରିୟ।

ଆହୁରି ପଢ଼ନ୍ତୁ- Love Jihad: ମୁଁ ନିଜ ଇଚ୍ଛାରେ ବୁର୍ଖା ପିନ୍ଧିଛି, ମାଙ୍କ 'ଲଭ୍ ଜିହାଦ' ଅଭିଯୋଗକୁ ଖଣ୍ଡନ କଲା ଝିଅ ଶ୍ରାବଣୀ

ଆପଣ କବିତା, ପ୍ରବନ୍ଧ, ନାଟକ, ଆଲୋଚନା, ଅନୁବାଦ, ଆତ୍ମଜୀବନୀ- ବିବିଧ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। କିନ୍ତୁ ସାହିତ୍ୟର କେଉଁ କ୍ଷେତ୍ରରେ ଆପଣ ଅଧିକ ସ୍ବଚ୍ଛନ୍ଦ ଅନୁଭବ କରନ୍ତି?

ମୁଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଲେଖା ଲେଖିଛି। କିନ୍ତୁ ନାଟକ ଲେଖିବାରେ ମୁଁ ସବୁଠାରୁ ଅଧିକ ସ୍ବାଚ୍ଛନ୍ଦ୍ୟ ଅନୁଭବ କରିଛି।

ଓଡ଼ିଆ ନାଟକରେ ‘ଇତିହାସର ପ୍ରତିଧ୍ବନି’ ବିଷୟରେ ଆପଣ ଗବେଷଣା କରି ଡକ୍ଟରେଟ୍ ପାଇଥିଲେ। ପରେ, ଯେଉଁସବୁ ନାଟକ ଲେଖିଲେ- ସେଥିରେ କେତୋଟିରେ ଇତିହାସକୁ ନେଇ ଆପଣଙ୍କର ଅନୁସନ୍ଧିତ୍ସା ପ୍ରକଟିତ। ‘ସତ୍ୟ ସଂଶୟ ସାଲବେଗ’ ଓ ‘ଭୀମ ଭୋଇଙ୍କ ସନ୍ଧାନରେ’ ପରି ନାଟକ ଏହାର ପ୍ରମାଣ। ଜଣେ ନାଟ୍ୟକାର ଭାବେ ଆପଣ କେତେ ନାଟ୍ୟକାର ଓ କେତେ ଗବେଷକ?

ନାଟକ ଲେଖିଲା ବେଳେ ମୁଁ ନାଟକୀୟ ଭାଷା ଓ ନାଟକୀୟତା ଉପରେ ଗୁରୁତ୍ବ ଦେଇଥାଏ। ସେହି ଭିତରେ ନାଟକୀୟ ସତ୍ତାଟି ଉଦ୍‌ଭାସିତ ହୁଏ। ନାଟକ ଇତିହାସ ନୁହେଁ, ଇତିହାସ କେବଳ ଭାବ ବା ବସ୍ତୁ ଭାବରେ ନାଟ୍ୟ ସର୍ଜନରେ ନିମଜ୍ଜିତ ହୋଇ ରହିଥାଏ।

ସ୍ବାଧୀନତା ସଂଗ୍ରାମୀ ପର୍ଶୁରାମ ହରିଚନ୍ଦନ ଆପଣଙ୍କର ପିତା। ଏ ଇତିହାସବୋଧ କ’ଣ ପରିବାରର ଅବଦାନ?

ନିଶ୍ଚୟ। ମୋର ଜନ୍ମ ଏକ ଇତିହାସ ପ୍ରସିଦ୍ଧ ସାମନ୍ତ ପରିବାରରେ। ମୋର ପୂର୍ବପୁରୁଷମାନେ ଇଂରେଜ ଶାସକମାନଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ସଂଗ୍ରାମ କରି ଯାବଜ୍ଜୀବନ ଦ୍ବୀପାନ୍ତର ଦଣ୍ଡ ଭୋଗିଛନ୍ତି। ଇତିହାସର ଉପାସନା ମୋର ରକ୍ତଗତ।

ଆହୁରି ପଢ଼ନ୍ତୁ- Love Jihad: ମୁଁ ନିଜ ଇଚ୍ଛାରେ ବୁର୍ଖା ପିନ୍ଧିଛି, ମାଙ୍କ 'ଲଭ୍ ଜିହାଦ' ଅଭିଯୋଗକୁ ଖଣ୍ଡନ କଲା ଝିଅ ଶ୍ରାବଣୀ

ରେଭେନ୍‌ସା କଲେଜଠାରୁ ଆରମ୍ଭ କରି ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ, ଶାନ୍ତିନିକେତନ ପର୍ଯ୍ୟନ୍ତ ଆପଣ ଦୀର୍ଘ ପ୍ରାୟ ୪୦ ବର୍ଷରୁ ଊର୍ଦ୍ଧ୍ବ ଅଧ୍ୟାପନା କରିଛନ୍ତି। ସାହିତ୍ୟ ଓ ଅଧ୍ୟାପନା- କେଉଁଟିକୁ ଆପଣ ନିଜ ଜୀବନରେ ଅଧିକ ଗୁରୁତ୍ବ ଦେବେ?

ଅଧ୍ୟାପନା ବୃତ୍ତିକୁ ମୁଁ ଗଭୀର ଅନୁରାଗ ସହିତ ଗ୍ରହଣ କରିଛି। ଛାତ୍ରଛାତ୍ରୀଙ୍କର ଜ୍ଞାନପିପାସାକୁ ପରିତୃପ୍ତ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଛି। ମାତୃଭାଷାର ସାହିତ୍ୟ ସହିତ ସଂସ୍କୃତ, ଇଂରାଜୀ, ବଙ୍ଗଳା ଓ ହିନ୍ଦୀ ଭାଷାର ସାହିତ୍ୟ ଓ ଇତିହାସକୁ ଅନୁଧ୍ୟାନ କରିଛି। ମୋର ପ୍ରଥମ ପ୍ରେମ ହେଉଛି ଅଧ୍ୟାପନା ଓ ଦ୍ବିତୀୟ ପ୍ରେମ ସାହିତ୍ୟ ସୃଷ୍ଟି।
ଦୀର୍ଘ ୩୫ ବର୍ଷ ତଳେ ଆପଣ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ‘ସମାଲୋଚନା’ ପ୍ରବନ୍ଧ ସଂକଳନ ପାଇଁ ପାଇଥିଲେ। ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ବକାଳ ଧରି ସାହିତ୍ୟର

ଏତେଏତେ କ୍ଷେତ୍ରରେ ଆପଣ ଲେଖନୀ ଚାଳନା କଲେ।   ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କଲେ। ଆପଣଙ୍କର କ୍ରମାଗତ ଅବଦାନ ସତ୍ତ୍ବେ ଯେଭଳି ଭାବେ ସମ୍ମାନିତ ଓ ପୁରସ୍କୃତ ହେବା କଥା ସେଭଳି ହୋଇନାହାନ୍ତି। ଏ ସମ୍ପର୍କରେ କ’ଣ କହିବେ?

ଏହା ସତ୍ୟ ଯେ ଅନେକ ପୁରସ୍କାର ମୁଁ ପାଇନାହିଁ। କାହିଁକି ପାଇନି ସେକଥା ମୁଁ ଜାଣେନାହିଁ। ସେଥିପାଇଁ ମୋର ପ୍ରୟାସ ମଧ୍ୟ ନାହିଁ। କେବେ ଯଦି ସେହି ପୁରସ୍କାରର ବିଚାରକମାନଙ୍କ ମନରେ ସ୍ବତଃସ୍ଫୂର୍ତ୍ତ ଭାବରେ ବିଚାର ଆସେ, ତାହା ହେଲେ ହୁଏତ ସମ୍ଭବ ହେବ।

‘ଆଉ ଗୋଟିଏ ଜନ୍ମର ଅପେକ୍ଷା’ ନାଁରେ ଆପଣଙ୍କର ଏକ କବିତା ପୁସ୍ତକ ଅଛି। ପରବର୍ତ୍ତୀ ଜନ୍ମରେ ଆପଣ ଏଇ ସାରସ୍ବତ ଜଗତରୁ ଆଉକିଛି ଆଶା ରଖନ୍ତି କି?

ମଣିଷ ବଞ୍ଚିରହେ ଆଶାରେ ଆ‌ଶାରେ। ସେ ଆଶା କିନ୍ତୁ ଅପୂର୍ଣ୍ଣ ରହିଯାଏ। ସେଇଥିପାଇଁ ସେ ଅପେକ୍ଷା କରେ ଆଉଗୋଟେ ଜନ୍ମ ପାଇଁ। 

ସାକ୍ଷାତ: ସୁନନ୍ଦା ପ୍ରଧାନ

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.