ARTICLE AD BOX
ପାକିସ୍ତାନ: ପାକିସ୍ତାନରେ ବର୍ତ୍ତମାନ କାରାବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ସୋମବାର ଦିନ ଦେଶର ପ୍ରମୁଖ ଅଦାଲତଗୁଡ଼ିକର ମୁଖ୍ୟ ବିଚାରପତିମାନଙ୍କ ନିକଟରେ ନିଜର ଏବଂ ନିଜ ପତ୍ନୀ ବୁଶରା ବିବିଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି।
ଇମ୍ରାନ ଖାନଙ୍କ ଓକିଲ ବାରିଷ୍ଟର ସଲମାନ ସଫଦର ସୋମବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏହି ଖୋଲା ଚିଠି ସେୟାର କରିଛନ୍ତି। ସେ ଗତ ସପ୍ତାହରେ ଆଦିଆଲା ଜେଲରେ ଇମ୍ରାନ ଖାନଙ୍କୁ ଭେଟିଥିଲେ।
'ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ମୁଁ ଜୀବିତ ଅବସ୍ଥାରେ ବାହାରକୁ ଆସି ନପାରେ'
ସୁପ୍ରିମକୋର୍ଟ, ଫେଡେରାଲ କନଷ୍ଟିଚ୍ୟୁସନାଲ କୋର୍ଟ (ସାମ୍ବିଧାନିକ ଅଦାଲତ) ଏବଂ ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ଉଦ୍ଦେଶ୍ୟ କରି ଲେଖିଥିବା ଚିଠିରେ ଇମ୍ରାନ ଖାନ ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଇମ୍ରାନ ଚିଠିରେ ଉଲ୍ଲେଖ କରି ଲେଖିଛନ୍ତି, "୭୪ ବର୍ଷ ବୟସରେ ଯଦି ଏପରି ପରିସ୍ଥିତି କ୍ରମାଗତ ଭାବେ ଲାଗି ରୁହେ ତେବେ ମୁଁ ଏଠାରୁ ଜୀବିତ ଫେରିବି କି ନାହିଁ ତାହା ସନ୍ଦେହ। ଦୀର୍ଘ ଦିନ ଧରି ଏକାକୀ କାରାବାସ ଏବଂ ଚିକିତ୍ସା ସୁବିଧା ନ ମିଳିବା କାରଣରୁ ମୋ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଛି। ରକ୍ତଚାପ ବିପଜ୍ଜନକ ସ୍ତରରେ ପହଞ୍ଚିଛି ଏବଂ ଡାକ୍ତରମାନେ ମସ୍ତିଷ୍କ ରକ୍ତସ୍ରାବ କିମ୍ବା ହୃଦଘାତର ଆଶଙ୍କା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି।
ଇମ୍ରାନ ଖାନ ନିଜ ପତ୍ନୀ ବୁଶରା ବିବିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଅଭିଯୋଗ କରିଛନ୍ତି,‘ ଯେ ବୁଶରା ବିବିଙ୍କ ଦୃଷ୍ଟିଶକ୍ତି କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି । ଆପଣଙ୍କ ସମ୍ମାନନୀୟ ବିଚାରପତିମାନଙ୍କ ଠାରୁ କୌଣସି ବିଶେଷ ଅନୁଗ୍ରହ ଚାହୁଁନାହିଁ। ନ୍ୟାୟର ସ୍ୱାର୍ଥରେ, ମୋର ଏକମାତ୍ର ଅନୁରୋଧ ହେଉଛି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶଗୁଡ଼ିକ କାର୍ଯ୍ୟକାରୀ ହେଉ ଏବଂ ମୁଁ ମୋର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଉପଯୁକ୍ତ ଚିକିତ୍ସା ପାଏ।
ଦିନକୁ ୨୨ ଘଣ୍ଟା ଏକାକୀ କାରାବାସରେ ରଖାଯିବା ନେଇ ଅଭିଯୋଗ
ଇମ୍ରାନ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଦିନକୁ ୨୨ ଘଣ୍ଟା ଏକାକୀ କାରାବାସରେ ରଖାଯାଉଛି। ତାଙ୍କୁ ପରିବାର ସଦସ୍ୟ ଏବଂ ଓକିଲମାନଙ୍କୁ ଭେଟିବାକୁ ଦିଆଯାଉନାହିଁ, ଏପରିକି ତାଙ୍କୁ ବହି ପଢ଼ିବା କିମ୍ବା ଟେଲିଭିଜନ ଦେଖିବାର ସୁଯୋଗ ମଧ୍ୟ ଦିଆଯାଉନାହିଁ।ତାଙ୍କ ଆଇନଜୀବୀଙ୍କ ସହ ସାକ୍ଷାତ ଉପରେ ମଧ୍ୟ କଟକଣା ଲଗାଯାଇଛି।
ତୋଶାଖାନା-୨ ମାମଲାରେ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୭ ବର୍ଷର କାରାଦଣ୍ଡାଦେଶ ଦିଆଯାଇଛି। ଏହି ମାମଲାଟି ଏକ ମୂଲ୍ୟବାନ 'ବୁଲଗରି' ଅଳଙ୍କାର ସେଟ୍ ହାସଲ କରିବା ସହ ଜଡ଼ିତ। ଯାହାକୁ ୨୦୨୧ ମସିହାରେ ଏକ ସରକାରୀ ଗସ୍ତ ସମୟରେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ (ଯୁବରାଜ) ଇମ୍ରାନଙ୍କୁ ଉପହାର ଦେଇଥିଲେ।

25 minutes ago
1


