ARTICLE AD BOX
ଭୁବନେଶ୍ବର: ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା ଏବଂ ସଫଳତା ପଥରେ ଅଗ୍ରସର ଥିବା ଲନ୍ ବଲ୍ ଖେଳର ଏକ ଭିତ୍ତିଭୂମୀ ରାଜଧାନୀରେ ପ୍ରତିଷ୍ଠା ପାଇଁ ଅହେତୁକ ବିଳମ୍ବ ହେଉଥିବାରୁ ଏ ନେଇ ଓଡ଼ିଶା ରାଜ୍ୟ ବୋଲିଂ ସଂଘ (ଓଏସ୍ବିଏ) ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି।
ଶୁକ୍ରବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ତାଙ୍କ ବାସଭବନରେ ଭେଟି ଓଏସ୍ବିଏ ସମ୍ପାଦକ ସୁମିତ ରଂଜନ ପୁରୋହିତ, ଖୋର୍ଦ୍ଧା ଜିଲ୍ଲା ବୋଲିଂ ସଂଘ ସମ୍ପାଦକ ସୁରେଶ ସ୍ବାଇଁ, ଖେଳାଳିରୁ ପ୍ରଶିକ୍ଷକ ହୋଇଥିବା କୈଳାଶ ମାଝୀ ରାଜ୍ୟ ସଂଘର ସଫଳତା, ଖେଳାଳିଙ୍କ ପ୍ରଦର୍ଶନର ତାଲିକା ପ୍ରଦାନ ପୂର୍ବକ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ରେ ଏକ ଲନ୍ ବଲ୍ କୋର୍ଟ ନିର୍ମାଣ ପାଇଁ ଦାବି କରିଥିଲେ। ମନ୍ତ୍ରୀ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ସକରାତ୍ମକ ସଙ୍କେତ ଦେଇଥିଲେ।
ସୂଚନାଯୋଗ୍ୟ କିଛି ବର୍ଷ ତଳେ ଓଡ଼ିଶା ସରକାର ଘୋଷଣା କରିଥିଲେ ଭୁବନେଶ୍ବର ଓ ବଲାଙ୍ଗୀରଠାରେ ଲନ୍ ବଲ୍ କୋର୍ଟ ନିର୍ମାଣ କରାଯିବ। ଚଳିତ ବର୍ଷ ଜାନୁଆରି ମାସରେ ବଲାଙ୍ଗୀରଠାରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ସ୍ତରର ଲନ୍ ବଲ୍ କୋର୍ଟକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଥିଲେ। ୨୦୨୪ ମସିହାରେ କଳିଙ୍ଗ ଷ୍ଟାଡିୟମ୍ ଲନ୍ ଟେନିସ୍ କୋର୍ଟ ପରିସରରେ ଅସ୍ଥାୟୀ ଲନ୍ ବଲ୍ କୋର୍ଟ ସହିତ ରାଜ୍ୟ ପ୍ରତିଯୋଗିତା ମଧ୍ୟ ସଫଳତାର ସହ ଆୟୋଜିତ ହୋଇଥିଲା।
ତେବେ କଳିଙ୍ଗ କଂପ୍ଲେକ୍ସ ପରିସରରେ ଏକ ଆନୁଷ୍ଠାନିକ ସ୍ଥାୟୀ ଲନ୍ ବଲ୍ କୋର୍ଟ ପାଇଁ ସରକାର ରଖିଥିବା ପ୍ରସ୍ତାବ ଶୀତଳ ଭଣ୍ଡାରକୁ ଚାଲିଯାଇଥିବାରୁ ରାଜଧାନୀରେ ଖେଳାଳିମାନେ ଅଭ୍ୟାସରୁ ବଞ୍ଚିତ ହେଉଛନ୍ତି ଏବଂ ଆୟୋଜକମାନେ ମଧ୍ୟ ଭିତ୍ତିଭୂମି ପ୍ରତିବଂଧକର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ପ୍ରତିଯୋଗିତାରେ ବଲାଙ୍ଗୀର ଖେଳାଳିଙ୍କ ଆଧିପତ୍ୟ ରହିଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଖେଳାଳି ପ୍ରଥମ ଥର ଚଳିତ ବର୍ଷ ୨ ପଦକ ଜିତି ନୂଆ ଧାରା ଆରମ୍ଭ କରିଥିଲେ। କିନ୍ତୁ ସ୍ଥାୟୀ ଲନ୍ ବଲ୍ ଭିତ୍ତିଭୂମିର ଅଭାବ କାରଣରୁ ଏହି ଖେଳ ରାଜଧାନୀରେ ବିଶେଷ ଅଗ୍ରଗତିର ପ୍ରଭାବ ପକାଇପାରିନାହିଁ।
World athletics: ଅଗଷ୍ଟ ୨୨ରେ କଳିଙ୍ଗ ଷ୍ଟାଡିୟମ୍ରେ ବସିବ କ୍ରୀଡ଼ାର ମହାକୁମ୍ଭ
ଦ୍ବିତୀୟତଃ ମାତ୍ର ୬ ବର୍ଷର ଯାତ୍ରା ଭିତରେ ରାଜ୍ୟରେ ଲନ୍ ବଲ୍ ଖେଳ ଜାତୀୟ କ୍ରୀଡ଼ା ଓ ଜାତୀୟ ପ୍ରତିଯୋଗିତା ପଦକ ଜିତିପାରିଥିବାରୁ ଏହା ବିଶେଷ ଭାବେ ଦୃଷ୍ଟି ଆକର୍ଷଣର ହକ୍ଦାର ହୋଇଛି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଅନେକ ଖେଳରେ ଓଡ଼ିଶା ଜାତୀୟ ପଦକ ପାଇଁ ସଂଘର୍ଷ କରୁଥିବାବେଳେ ଓଡ଼ିଶା ଲନ୍ ବଲ୍ ଦଳ ୨୦୨୪ରେ ଗୋଆ ଜାତୀୟ କ୍ରୀଡ଼ାରୁ ୩ କାଂସ୍ୟ ଏବଂ ୨୦୨୫ ଉତ୍ତରାଖଣ୍ଡ ଜାତୀୟ କ୍ରୀଡ଼ାରୁ ୨ ରୌପ୍ୟ ପଦକ ଜିତିଥିଲା। ଏପରିକି ବିଗତ ଦୁଇ ଜାତୀୟ ଲନ୍ ବଲ୍ ପ୍ରତିଯୋଗିତାରୁ ୨ ରୌପ୍ୟ ଏବଂ ୮ କାଂସ୍ୟ ପଦକ ଜିତି କ୍ରମାଗତ ସଫଳତା ଅର୍ଜନ କରିଚାଲିଛି।
ଏହି କ୍ରମରେ ରାଜ୍ୟର ପ୍ରଥମ ଲନ୍ ବଲ୍ ଖେଳାଳି ଭାବେ ରାଜେଶ୍ବରୀ ସେଠ୍ ଚଳିତ ବର୍ଷ ଏସୀୟ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇବା ଏବଂ ରୋଶନୀ ସାହୁ ସମ୍ଭାବ୍ୟ ଦଳରେ ସୁଯୋଗ ପାଇବା ଉଲ୍ଲେଖନୀୟ ଅଗ୍ରଗତିର ସଙ୍କେତ ଥିଲା। ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ କଳିଙ୍ଗ ଷ୍ଟାଡିୟମ୍ରେ ତୁରନ୍ତ ଲନ୍ ବଲ୍ କୋର୍ଟ ପ୍ରତିଷ୍ଠା କରିବାକୁ ଓଏସ୍ବିଏ ସମ୍ପାଦକ ଶ୍ରୀ ପୁରୋହିତ ଦାବି କରିଛନ୍ତି।

1 hour ago
2


