ARTICLE AD BOX
କୋଲକାତା: କୋଲକାତାର ସତ୍ୟଜିତ୍ ରାୟ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ (ଏସ୍ଆର୍ଏଫ୍ଟିଆଇ)ଠାରେ ରବିବାର ଛାତ୍ର ଓ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ (ଏବିଜିପି) ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏବିଜିପି ସେମାନଙ୍କର ଏକ କାର୍ଯ୍ୟକ୍ରମ ପାଇଁ ପ୍ରତିଷ୍ଠାନର ମୁଖ୍ୟ ଅଡିଟୋରିୟମ୍କୁ ଭଡ଼ାରେ ନେଇଥିଲେ। ଦୁଇ ପକ୍ଷ ପରସ୍ପର ବିରୋଧରେ ହିଂସା ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି।
ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ, କାର୍ଯ୍ୟକ୍ରମରେ ବକ୍ତାମାନେ ଉସୁକାଇବା ପରି ମନ୍ତବ୍ୟ ଦେଇଥିଲେ ଓ ସେମାନେ ପ୍ରତିବାଦ କରିବାକୁ ଏବିଜିପି ସଦସ୍ୟ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏବିଜିପି କହିଛି, ଛାତ୍ରମାନେ ସେମାନଙ୍କ ପୋଷ୍ଟର ଚିରି ଦେଇଥିଲେ, କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା ଓ ସେମାନଙ୍କ ସଦସ୍ୟ ଉପରେ ଆକ୍ରମଣ କରିଥିଲେ। ଉତ୍ତେଜନା ବୃଦ୍ଧି ପାଇବାରୁ ଛାତ୍ରଛାତ୍ରୀ ପ୍ରତିଷ୍ଠାନର ଫାଟକ ବନ୍ଦ କରିଦେଇଥିଲେ ଓ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ନାରାବାଜି କରିଥିଲେ।
ଏହି ଘଟଣା ପରେ ଏସ୍ଆର୍ଏଫ୍ଟିଆଇରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଇଛି। ଛାତ୍ରମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଏବିଜିପି ସଦସ୍ୟ ଛାତ୍ରମାନଙ୍କୁ ଦେଶଦ୍ରୋହୀ, ସହରୀ ନକ୍ସଲ, ଆତଙ୍କବାଦୀ ବୋଲି କହିଥିଲେ। ଛାତ୍ରମାନେ ଆହୁରି ଦାବି କରିଛନ୍ତି ଯେ, ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ଓ କିଛି ପ୍ରଫେସରଙ୍କ ଉପରେ ଆକ୍ରମଣ ହୋଇଥିଲା। ଏବିଜିପି ସଦସ୍ୟ କହିଛନ୍ତି, ସେମାନଙ୍କର ଚାରିଜଣ ସଦସ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଏସ୍ଆର୍ଏଫ୍ଟିଆଇ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାରେ କେହି ଗୁରୁତର ହୋଇନାହାନ୍ତି।

7 hours ago
1


