ARTICLE AD BOX
କୋଲକାତା:ଦୁର୍ଗାପୂଜା ବୁଲିବା, ମାଆଙ୍କ ଦର୍ଶନ କରିବା ଆଉ ଏକାଠି ଖୁସିର ମୁହୂର୍ତ୍ତ ବିତାଇବା ପାଇଁ ଘରୁ ବାହାରିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ହେଲେ କିଏ ଜାଣିଥିଲା, ଏହି ଯାତ୍ରା ତାଙ୍କ ଜୀବନର ସବୁଠାରୁ ଦୁଃଖଦ ସ୍ମୃତି ପାଲଟିଯିବ! ଆଖି ପିଛୁଳାକେ ବଦଳିଗଲା ଦୃଶ୍ୟ। ଚାରିଆଡ଼େ ଚିତ୍କାର, ଠେଲାପେଲା ଆଉ ଜୀବନ ବଞ୍ଚାଇବା ପାଇଁ ଆକୁଳ ଚେଷ୍ଟା। ଭିଡ଼ ଭିତରେ ହଜିଗଲା ଅନେକ ଜୀବନ। କୋଲକାତାର ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଘଟିଥିବା ଦଳାଚକଟା ଅନେକ ପରିବାରର ଖୁସି ଛଡ଼ାଇ ନେଇଛି। ଏହି ଭୟାବହ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବେ ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଛି।
ଚିତ୍କାର କରୁଥିଲେ, କାନ୍ଦୁଥିଲେ
ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଚକଦାହରୁ କୋଲକାତା ଆସିଥିଲେ। ପତ୍ନୀଙ୍କ ଇଚ୍ଛା ଅନୁସାରେ ଚୋରବାଗାନ ପୂଜା ମଣ୍ଡପ ଅଭିମୁଖେ ଯାଇଥିଲେ। ଏହି ସମୟରେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଲୋକେ ମଣ୍ଡପ ଭିତରକୁ ଧସେଇ ପଶିବାରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ତାଙ୍କ କହିବା ଅନୁସାରେ, ଭିଡ଼ର ଚାପ ଏତେ ବଢ଼ିଯାଇଥିଲା ଯେ ନିଃଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ପଛପଟୁ ଠେଲାପେଲା ଆରମ୍ଭ ହେବାରୁ ସେ ତଳେ ପଡ଼ିଯାଇଥିଲେ ଏବଂ ପତ୍ନୀ ତାଙ୍କଠାରୁ ଅଲଗା ହୋଇଯାଇଥିଲେ। ଦଳାଚକଟା ପରେ ସେ ନିଜ ପତ୍ନୀଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଚାରିଆଡ଼େ ଲୋକେ ଚିତ୍କାର କରୁଥିଲେ, କାନ୍ଦୁଥିଲେ ଏବଂ ନିଜ ପରିଜନଙ୍କୁ ଖୋଜୁଥିଲେ। ଶେଷରେ ସେ ପତ୍ନୀଙ୍କୁ ତଳେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତୁରନ୍ତ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇପାରି ନଥିଲା। ଆମ୍ବୁଲାନ୍ସ ମିଳିବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ପତ୍ନୀଙ୍କୁ ମୃତ ଅବସ୍ଥାରେ ଅଣାଯାଇଥିବା ଡାକ୍ତର ଜଣାଇଥିଲେ। ସେହି ଦୁଃଖଦ ମୁହୂର୍ତ୍ତକୁ ମନେ ପକାଇ ସ୍ୱାମୀ କହିଥିଲେ, ଘରୁ ବାହାରିବା ବେଳେ ସେମାନେ ବହୁତ ଖୁସି ଥିଲେ। ଏକାଠି ପୂଜା ଉପଭୋଗ କରିବାର ଯୋଜନା ଥିଲା। କିନ୍ତୁ ଏହା ତାଙ୍କ ପତ୍ନୀଙ୍କ ସହ ଶେଷ ଦୁର୍ଗାପୂଜା ହେବ ବୋଲି ସେ କେବେ ଭାବି ନଥିଲେ।
ଆଖି ଆଗରେ ମାଆଙ୍କୁ ହରାଇଲେ ପୁଅ
ଏହି ଦଳାଚକଟାରେ ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ ସୋନୁ ପାଲ୍ ନିଜ ମାଆଙ୍କୁ ହରାଇଛନ୍ତି। ୨୫ ବର୍ଷୀୟ ସୋନୁ ମାଆଙ୍କ ସହ ଦୁର୍ଗାପୂଜା ଦେଖିବାକୁ ଯାଇଥିଲେ। ହଠାତ୍ ବର୍ଷା ଆରମ୍ଭ ହେବାରୁ ମଣ୍ଡପ ଭିତରକୁ ଯିବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଭିଡ଼ର ଚାପ ବଢ଼ିବା ସହ ଲୋକେ ପରସ୍ପର ଉପରେ ପଡ଼ିବାକୁ ଲାଗିଥିଲେ। ସୋନୁ ନିଜେ ମଧ୍ୟ ଭିଡ଼ ତଳେ ଚାପି ହୋଇଯାଇଥିଲେ। କୌଣସିମତେ ନିଜକୁ ସମ୍ଭାଳି ମାଆଙ୍କୁ ଖୋଜିବା ବେଳେ ସେ ତାଙ୍କୁ ତଳେ ପଡ଼ିଥିବା ଦେଖିଥିଲେ। ଲୋକେ ତାଙ୍କ ମାଆଙ୍କ ଉପରେ ଚଢ଼ି ଦୌଡ଼ି ଯାଉଥିଲେ। ମାଆଙ୍କୁ ବଞ୍ଚାଇବା ପାଇଁ ଚାହିଁଥିଲେ ମଧ୍ୟ ଭିଡ଼ ଯୋଗୁଁ ସେ ତାଙ୍କ ପାଖରେ ପହଞ୍ଚି ପାରି ନଥିଲେ। ସୋନୁଙ୍କ କଥାରେ ଫୁଟି ଉଠିଥିଲା ଜଣେ ପୁଅର ଅସହାୟତା ଓ ଅସହ୍ୟ ଯନ୍ତ୍ରଣା। ସେ କହିଥିଲେ, ମୁଁ ମୋ ମାଆଙ୍କୁ ଆଖି ଆଗରେ ମରୁଥିବାର ଦେଖିଲି।
ଉତ୍ସବର ମାହୋଲରୁ ମୃତ୍ୟୁର ବିଭୀଷିକା
ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଯେଉଁଠି କିଛି ସମୟ ପୂର୍ବରୁ ଉତ୍ସବର ମାହୋଲ ଥିଲା, ସେଠାରେ ଲୋକେ ନିଜ ପରିଜନଙ୍କୁ ଖୋଜି କାନ୍ଦୁଥିଲେ। ରାସ୍ତାରେ ଜୋତା, ଚପଲ ଓ ଚିରା ପୋଷାକ ବିଛାଡ଼ି ହୋଇ ପଡ଼ିଥିବା ବେଳେ ଅନେକ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା।

1 hour ago
1


