ARTICLE AD BOX
ବିଶ୍ବରେ ସ୍ବଳ୍ପ କେତୋଟି ସ୍ଥାନ ଥିବ ଯେଉଁଗୁଡ଼ିକ ମୌସୁମୀ ବୃଷ୍ଟିକାଳରେ ଅମରାବତୀ ରୂପ ଧାରଣ କରୁଥିବ। ସେଭଳି ଗୋଟିଏ ସ୍ଥାନ ହେଉଛି ତାମିଲନାଡୁର କୋଡ଼ାଇକନାଲ୍ ଶୈଳନିବାସ। ବାସ୍ତବରେ ବର୍ଷାଋତୁ ତା’ର ରୂପରେଖ ବଦଳାଇ ଦିଏ। ତାମିଲ୍ ଭାଷାରେ କୋଡ଼ାଇକନାଲ୍ର ଅର୍ଥ ‘ଅରଣ୍ୟର ଉପହାର’। ଏଠାକାର ବନରାଜିରେ ଅବସ୍ଥିତ ହ୍ରଦ ଓ ଜଳପ୍ରପାତ ଉଚ୍ଛଳ ଜଳାଶୟର ପ୍ରକୃତ ଚମକ ଦିଶେ ବର୍ଷାକାଳେ। ବର୍ଷାଦିନ ହିଁ ଜଳପ୍ରପାତଗୁଡ଼ିକୁ ଅଧିକ ଶୋଭାବନ କରେ। ସେସବୁ ଦେଖିଲେ ମନ ଆନନ୍ଦରେ ପୂରିଉଠେ। ପ୍ରବଳ ବର୍ଷା ଯୋଗୁଁ ବନଭୂଇଁ କମନୀୟ ଦିଶିବା ସଙ୍ଗେ ସଙ୍ଗେ ପର୍ଯ୍ୟଟକମାନଙ୍କ ପାଇଁ ଅତି ଚମକଦାର ପରିବେଶ ସୃଷ୍ଟିକରେ।
World Tribal Day: ମହଦେବଡ଼ିହିର ମହେନ୍ଦ୍ର ସର୍ଦ୍ଦାର; 'ଅଲ୍ ଅନଲ୍’ ଲିପି ଭୂମିଜ ସମାଜକୁ ଦେଲେ ନୂଆ ପରିଚୟ
କୋଡ଼ାଇ ହ୍ରଦ: ପଲାନୀ ପର୍ବତମାଳା ପରିବେଷ୍ଟନୀ ମଧ୍ୟରେ ରହିଛି ମାନବ-ଖୋଦିତ ଏହି ତାରକାକୃତି ହ୍ରଦ। କୋଡ଼ାଇ ହ୍ରଦର ପ୍ରଶାନ୍ତ ଜଳରାଶି ନୌବିହାର, ଆଖପାଖ ଦୃଶ୍ୟାବଳୀ ଅବଲୋକନ ଓ ଫଟୋ ଉତ୍ତୋଳନ ନିମନ୍ତେ ବେଶ୍ ଭଲ। ସେଠାରେ ଖୋଲିଥିବା ଅସଂଖ୍ୟ ଫୁଡ୍ ଷ୍ଟଲ୍ରୁ ଷ୍ଟ୍ରିଟ୍ଫୁଡ୍ ଖାଇବା ବି କମ୍ ମଜାଦାର ଓ ତୃପ୍ତିକର ନୁହେଁ। ଗରମ ପକୁଡ଼ି ଓ ମସଲା ଚା ବାସ୍ନା ପାଖରେ ପର୍ଯ୍ୟଟକଙ୍କ ମନ ଅଟକିଯାଏ। ବର୍ଷା ଛାଡ଼ିଯାଇଥିଲେ ବା ନ ହେଉଥିବା ବେଳେ ହ୍ରଦ ଚାରିପଟେ ଅାୟୋଜିତ ଅଶ୍ବାରୋହଣ ଓ ସାଇକେଲ୍ ଚାଳନା ଭଳି କ୍ରୀଡ଼ା କାର୍ଯ୍ୟକ୍ରମରେ ବି ପର୍ଯ୍ୟଟକମାନେ ଅଂଶଗ୍ରହଣ କରନ୍ତି। ହ୍ରଦ ଆଖପାଖ ପ୍ରାକୃତିକ ସୌନ୍ଦର୍ଯ୍ୟ କେବଳ ମନରେ ନୁହେଁ ଶରୀରରେ ମଧ୍ୟ ପୁଲକ ଭରିଦିଏ।
ବେରିଜମ୍ ହ୍ରଦ: ଶ୍ୟାମଳ ଅରଣ୍ୟ ମଧ୍ୟରେ ଅବସ୍ଥିତ ମଧୁରଜଳ ହ୍ରଦ ବେରିଜମ୍ ହେଉଛି ଗୟଳ, ହସ୍ତୀ ଓ ବାନର ଭଳି ଜୀବଜନ୍ତୁଙ୍କୁ ଦେଖିବା ପାଇଁ ଉପଯୁକ୍ତ ସ୍ଥାନ। ଦୈନିକ ୫୦ଜଣଙ୍କ ପାଇଁ ପ୍ରବେଶାନୁମତି ଥିବାରୁ ଗାଡ଼ିଯୋଗେ ଏଠାକୁ ଆସିବା ଲାଗି ବନ ବିଭାଗ ନିକଟରୁ ଆଗୁଆ ଅନୁମତି ଅାଣିବାକୁ ପଡ଼େ। ଏଠାରେ ପର୍ଯ୍ୟଟକଙ୍କୁ ସ୍ବାଗତ କରେ ପ୍ରଶାନ୍ତ ନିରବତା ଓ ସ୍ନିଗ୍ଧ ଦୃଶ୍ୟାବଳୀ। ଇଚ୍ଛାକଲେ ସାଥିରେ କିଛି ଖାଦ୍ୟଦ୍ରବ୍ୟ ଆଣି ଏଠାରେ ପିକ୍ନିକ୍ ବି କରାଯାଇ ପାରିବ। ଏ ହ୍ରଦ ପରିଦର୍ଶନ କରିବାର ଉପଯୁକ୍ତ ସମୟ ହେଉଛି ଅଗଷ୍ଟ ମାସ।
ରୁପା-ଝର ଜଳପ୍ରପାତ: ବେରିଜମ୍ ହ୍ରଦ ଓ କୋଡ଼ାଇ ହ୍ରଦ ମିଳିତ ହୋଇ ପଲାର୍ ନଦୀ ସୃଷ୍ଟି କରିଛନ୍ତି। ଏଇ ନଦୀ ହିଁ ହେଉଛି ମନୋମୁଗ୍ଧକର ରୁପା-ଝର ଜଳପ୍ରପାତର ଉତ୍ସ। ୧୮୦ ଫୁଟ୍ ଉଚ୍ଚରୁ ଝରିପଡୁଥିବା ଏହି ଜଳପ୍ରପାତର ଶୋଭା ଅତି ବିସ୍ମୟକର। ଏଠାରେ ଅନେକ ଫଟୋଜେନିକ୍ ଭିୟୁ ପଏଣ୍ଟ୍ ଥିବାରୁ ଫଟୋଗ୍ରାଫର୍ମାନେ କଦାପି ନିରାଶ ହେବେନାହିଁ। ଲିରିଲ୍ ପ୍ରପାତ: ଲିରିଲ୍ ଝର ବା ପ୍ରପାତ କଥା ଉଲ୍ଲେଖ ନ କଲେ କୋଡ଼ାଇକନାଲ୍ ଦର୍ଶନୀୟ ସ୍ଥାନ ପ୍ରସଙ୍ଗ ଅପୂର୍ଣ୍ଣ ରହିଯିବ। ଏ ପ୍ରପାତର ପ୍ରକୃତ ନାଁ ପମ୍ବର ପ୍ରପାତ। ଲିରିଲ୍ ସାବୁନ ନିମନ୍ତେ ପ୍ରସାରିତ ବିଜ୍ଞାପନ ଏହି ପ୍ରପାତରେ ସୁଟିଙ୍ଗ୍ ହେବା ପରଠାରୁ ଏ ସ୍ଥାନଟି ଅଚିରାତ୍ ଲୋକପ୍ରିୟ ହୋଇଗଲା। ଏଠାରେ ପଥର ସବୁ ପ୍ରାକୃତିକ ଭାବେ ପାବଚ୍ଛ ଭଳି ରହିଥିବାରୁ ଏହାକୁ ପାବଚ୍ଛ ଜଳପ୍ରପାତ ବି କୁହାଯାଏ। ଲିରିଲ୍ ପ୍ରପାତରୁ ଜଳ ଖୁବ୍ ଉଚ୍ଚରୁ ତଳେ ଥିବା ଗୋଟିଏ ଛୋଟିଆ ଗାଡ଼ିଆରେ ପଡୁଛି। ଏଥିରେ ପଶି ସନ୍ତରଣ କଲା ଭଳି କ୍ରୀଡ଼ାକୌତୁକ କରିବା ଖୁବ୍ ଆନନ୍ଦପ୍ରଦ।
Weekly Horoscope 2026 August 09 to August 15: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଗମନାଗମନ ଓ ରହଣି: ଦେଶର ବିଭିନ୍ନ ପ୍ରାନ୍ତ ସହ ଏହା ସଂଯୁକ୍ତ। ବିମାନ ଯୋଗେ ଗଲେ କୋଡ଼ାଇକନାଲ୍ଠାରୁ ପ୍ରାୟ ୧୧୫ କିଲୋମିଟର୍ ଦୂର ମଦୁରାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିପାରିବେ। ଅଥବା ୧୭୦ କିଲୋମଟର୍ ଦୂର କୋଏମ୍ବାଟୁର୍ ଆନ୍ତର୍ଜାତିକ ବିମାନବନ୍ଦରରେ ମଧ୍ୟ ଅବତରଣ କରିପାରିବେ। ସେଠାରୁ ସଡ଼କ କିଂବା ରେଳପଥରେ କୋଡ଼ାଇକନାଲ୍ ଅଭିମୁଖେ ଯାତ୍ରା କରିହେବ। ସଡ଼କପଥରେ ସିଧାସଳଖ ସେଠାକୁ ଯାଇହେବ ମାତ୍ର ରେଳପଥରେ ଗଲେ କୋଡାଇକନାଲ୍ଠାରୁ ୬୪ କିଲୋମିଟର୍ ଦୂରରେ ଥିବା ପଲାନି ଷ୍ଟେସନ୍ କିଂବା ୮୦ କିଲୋମିଟର୍ ଦୂରବର୍ତ୍ତୀ କୋଡ଼ାଇ ରୋଡ୍ ଷ୍ଟେସନ୍ରେ ପହଞ୍ଚି ହେବ। େସଠାରୁ ସଡ଼କ ପଥରେ ଯାଇ କୋଡ଼ାଇ- କନାଲ୍ରେ ପହଞ୍ଚିହେବ।

1 hour ago
2


