ARTICLE AD BOX
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ତାଙ୍କ ସ୍ୱାମୀ ତଥା ରାଜନେତା ରାଘବ ଚଢ଼ା ଚଳିତ ବର୍ଷ କରୱା ଚୌଥକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଘରେ ନୁହେଁ, ବରଂ ଆକାଶରେ ଉଡ଼ୁଥିବା ବିମାନ ଭିତରେ ୩୫ ହଜାର ଫୁଟ୍ ଉଚ୍ଚତାରେ ଏହି ପର୍ବ ପାଳିଛନ୍ତି ଏହି ଦମ୍ପତି। ବିମାନ ଉଡ଼ାଣରେ ବିଳମ୍ବ ହେବାରୁ ଉଭୟ ନିର୍ଦ୍ଧାରିତ ସମୟରେ ଘରେ ପହଞ୍ଚି ପାରିନଥିଲେ। ଫଳରେ ବିମାନ ଭିତରେ ହିଁ କରୱା ଚୌଥର ପରମ୍ପରା ପାଳନ କରିବା ସହ ପରିଣୀତି ନିଜ ଉପବାସ ଭାଙ୍ଗିଥିଲେ।
ଏହି ନିଆରା ମୁହୂର୍ତ୍ତର ଭିଡିଓ ପରିଣୀତି ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ଉଭୟ ବିମାନ ଭିତରେ କରୱା ଚୌଥ ପାଳନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସହ ସେ ସ୍ୱାମୀ ରାଘବଙ୍କ ପାଇଁ ଏକ ଭାବପ୍ରବଣ ବାର୍ତ୍ତା ମଧ୍ୟ ଲେଖିଛନ୍ତି।
ବିମାନରେ ସମସ୍ତ ବିଧି ପାଳନ
ପରିଣୀତି ଲେଖିଛନ୍ତି, “ଆମେ ଯେଉଁଠି ଥାଉ ନା କାହିଁକି, ସେଇଠି ହିଁ କରୱା ଚୌଥ। ଏପରିକି ୩୫ ହଜାର ଫୁଟ୍ ଉଚ୍ଚତାରେ ଥିଲେ ମଧ୍ୟ।” ରାଘବଙ୍କୁ ପ୍ରଶଂସା କରି ସେ ଆହୁରି କହିଛନ୍ତି ଯେ, ସେ ତାଙ୍କର ସମସ୍ତ ସ୍ୱପ୍ନକୁ ସତ କରିଛନ୍ତି ଏବଂ ଜଣେ ଅତ୍ୟନ୍ତ ଭଲ, ସ୍ନେହୀ ଓ ଉତ୍ତମ ମଣିଷ। ବିମାନରେ ଥିବାରୁ ଘରେ ଚନ୍ଦ୍ର ଦର୍ଶନ କରିବା ସମ୍ଭବ ହୋଇନଥିଲେ ମଧ୍ୟ ଆକାଶରେ ହିଁ ଏହି ଦମ୍ପତିଙ୍କୁ ଚନ୍ଦ୍ର ଦେଖିବାର ସୁଯୋଗ ମିଳିଥିଲା। ସେଠାରେ ଉଭୟ ପୂଜାର୍ଚ୍ଚନା କରିବା ସହ କରୱା ଚୌଥର ସମସ୍ତ ବିଧି ପାଳନ କରିଥିଲେ। ପରିଣୀତିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

1 hour ago
1


