ARTICLE AD BOX
କେନ୍ଦୁଝର: ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ୧୨ଟି ସ୍ଲୁଇସ୍ ଗେଟ୍ ଲାଗିସାରିଛି। ଦୁଇଟି ଡିପ୍ରେସନ୍ ସୁଇଚ୍ କାମ ଚଳିତ ମାସରେ ଶେଷ ହେବ। ମୁଖ୍ୟ କେନାଲ୍ ନିର୍ମାଣ ମଧ୍ୟ ଏକପ୍ରକାର ଶେଷ ହୋଇସାରିଛି। କେନ୍ଦୁଝରର ଏକ ଜନସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍ଶୀଘ୍ର କାନପୁର ପ୍ରକଳ୍ପ ଉଦ୍ଘାଟନ ହେବ ବୋଲି ଘୋଷଣା କରିବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲୋକାର୍ପଣ କରିବେ ବୋଲି ସୂଚନା ମିଳିଛି।
Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍କେ ବିଧାୟକ ଗିରଫ
ଶେଷ ପର୍ଯ୍ୟାୟରେ ମୁଖ୍ୟ କେନାଲ୍ ନିର୍ମାଣ
ଲାଗିସାରିଛି ୧୨ ସ୍ଲୁଇସ୍ ଗେଟ୍
ଉପକୃତ ହେବେ ୨,୪୪,୫୦୦ ଚାଷୀ
ଯୋଡ଼ା ବ୍ଲକ୍ର ବାସୁଦେବପୁରଠାରେ ବୈତରଣୀ ନଦୀରେ ଗତ ୪୦ ବର୍ଷ ହେଲା କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଛି। ଏଥିପାଇଁ ୧୬ଟି ଗାଁ ଉଚ୍ଛେଦ ହୋଇଛି। ଏହି ପ୍ରକଳ୍ପ ଦ୍ବାରା ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର ଓ ପାଟଣା ବ୍ଲକ୍ର ୨୨୨ଟି ଗାଁର ୨ ଲକ୍ଷ ୪୪ ହଜାର ୫୦୦ ଚାଷୀ ଉପକୃତ ହେବେ। ୨୯ ହଜାର ୫୭୮ ହେକ୍ଟର ଜମି ଜଳସେଚିତ ହେବ। ଡିପ୍ରେସନ୍ ସୁଇଚ୍ ଲାଗିଲେ, ବର୍ଷସାରା ବୈତରଣୀ ନଦୀର ତଳମୁଣ୍ଡକୁ ପ୍ରକଳ୍ପରୁ କିଛି କିଛି ପାଣି ଛଡ଼ାଯିବ। ଏହାଦ୍ବାରା ତଳମୁଣ୍ଡରେ ଚାଷକାମ ପ୍ରଭାବିତ ହେବ ନାହିଁ। ପ୍ରକଳ୍ପର ମୁଖ୍ୟ କେନାଲ୍ ଦୈର୍ଘ୍ୟ ୭୮.୨୧ କିଲୋମିଟର ଥିବାବେଳେ ଏହାର ୯୫ ପ୍ରତିଶତ କାମ ଶେଷ ହୋଇଛି। ୩୪୨ କିମି ଶାଖା କେନାଲ୍ ଓ ଉପଶାଖା କେନାଲ୍ ମଧ୍ୟରୁ ୨୬୦ କିମି କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ପ୍ରାୟ ୧୦୦ କିମି ଶାଖା, ଉପଶାଖା କେନାଲ୍ ପାଇଁ ଜଙ୍ଗଲ ଜମି ସମସ୍ୟା ରହିଥିଲା। ବନ ବିଭାଗର ଅନୁମତି ମିଳିବା ପରେ ଜମି ଅଧିଗ୍ରହଣ ଶେଷ ହୋଇଛି।
Protest: ଚିତାରେ ଶୋଇଲେ, ଫାଶୀରେ ଝୁଲିବାର ଅଭିନୟ କଲେ ଆଦିବାସୀ
ଅବଶିଷ୍ଟ ଶାଖା କେନାଲ୍ କାର୍ଯ୍ୟ ୮ ମାସ ମଧ୍ୟରେ ଶେଷ ହୋଇଯିବ। କାମ ବାକିଥିବା ଶାଖା କେନାଲ୍କୁ ଛାଡ଼ି ଅନ୍ୟ ସବୁ କେନାଲ୍ରେ ପାଣି ଛଡ଼ାଯିବ। ଗତବର୍ଷ ପରୀକ୍ଷାମୂଳକ ଭାବେ ପାଣି ଛଡ଼ାଯାଇଥିଲା। ମୁଖ୍ୟ କେନାଲ୍ରେ ୪୫ କିଲୋମିଟର ପର୍ଯ୍ୟନ୍ତ ପାଣି ଯାଇଥିଲା। ଆଉ କିଛିଦିନ ପରେ ମୁଖ୍ୟ କେନାଲ୍ରେ ପୁଣି ପାଣି ଛଡ଼ାଯାଇ ପରୀକ୍ଷା କରାଯିବ। ଯେଉଁଠାରେ ସମସ୍ୟା ହେବ, ସେଠାରେ ଚ୍ୟାନେଲ୍ କରି ପାଣି ଛଡ଼ାଯିବ ବୋଲି କାନପୁର ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ମହେନ୍ଦ୍ର କୁମାର ବେହେରା କହିଛନ୍ତି। ପ୍ରକଳ୍ପ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଲୋକାର୍ପଣ ପାଇଁ କେବଳ ଦିନ ଧାର୍ଯ୍ୟ ହେବାକୁ ବାକି ରହିଛି ବୋଲି ପ୍ରକଳ୍ପ ମୁଖ୍ୟ ଇଂ. ବେହେରା ସୂଚନା ଦେଇଛନ୍ତି।

9 hours ago
1


