ARTICLE AD BOX
ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ଭୂସ୍ଖଳନ ପ୍ରଭାବିତ ଓ ବିଚ୍ଛିନ୍ନ ଗ୍ରାମଗୁଡ଼ିକରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ନିରାପଦ ପାନୀୟଜଳ ଯୋଗାଣ ଓ ଜଳଉତ୍ସ ବିଶୋଧନ ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ୱର ପଞ୍ଚାୟତର କୁମ୍ଭାରଖାଡ଼ି ଘାଟିରେ ଭୂସ୍ଖଳନ ଯୋଗୁଁ ଅଞ୍ଚଳର କେତେକ ଗ୍ରାମର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବାଲିଗୁଡ଼ା ଉପଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ଏକ ଉଚ୍ଚସ୍ତରୀୟ ଦଳ ସକାଳ ୬ଟା ୩୦ରେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନେତୃତ୍ୱରେ ତହସିଲଦାର, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ ତାଙ୍କ ଟିମ୍, ଓଡ୍ରାଫ୍, ଡାକ୍ତରୀ ଏବଂ ପୋଲିସ ଦଳକୁ ନେଇ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଏକାଧିକ ଭୂସ୍ଖଳନ ସ୍ଥାନ, ବିପଦସଙ୍କୁଳ ପାହାଡ଼ିଆ ରାସ୍ତା ଓ ଘଞ୍ଚ ଜଙ୍ଗଲ ଅତିକ୍ରମ କରି ଉଦ୍ଧାରକାରୀ ଦଳ ପ୍ରାୟ ୧୫ କିଲୋମିଟର ପାଦରେ ଚାଲି ବିଚ୍ଛିନ୍ନ ହୋଇଥିବା ୫ଟି ଗ୍ରାମ ଦେଇ ଶେଷ ଗ୍ରାମ ଡାଙ୍ଗେସୁରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀଙ୍କ ଅବସ୍ଥା ଅନୁଧ୍ୟାନ କରି ଖାଦ୍ୟ, ଔଷଧ ଓ ପାନୀୟଜଳ ବଣ୍ଟନ କରାଯାଇଥିଲା। ଡାଙ୍ଗେସୁ ଗ୍ରାମରେ ଫସି ରହିଥିବା ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ସକାଳ ୮ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟଜାରି ରହିଥିଲା।
Cyclone Arnab: ବାତ୍ୟା ‘ଅର୍ଣ୍ଣବ’ରେ ଦୋହଲିଲା ଭାରତର ପୂର୍ବ ଉପକୂଳ, ନାସା ଜାରି କଲା ମହାକାଶରୁ ଉଠାଯାଇଥିବା ଚିତ୍ର
ଏହି ସମୟରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିଜ ଟିମ୍ ସହ ଶେଷ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ନଳକୂପ, ପରିମଳ କୂପ ଓ ସୌରଚାଳିତ ପାନୀୟଜଳ ପ୍ରକଳ୍ପଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ। ପାନୀୟଜଳ ବୋତଲ ଓ ବ୍ଲିଚିଂ ପାଉଡର ବଣ୍ଟନ, ଜଳଉତ୍ସ ବିଶୋଧନ ଏବଂ କ୍ଷତିଗ୍ରସ୍ତ ପାନୀୟଜଳ ପ୍ରକଳ୍ପଗୁଡ଼ିକର ତୁରନ୍ତ ମରାମତି ପାଇଁ ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ପିପିଲିପଙ୍ଗା ଓ ବଡ଼ମାହା ଅଞ୍ଚଳରେ ଜଳମଗ୍ନ ହୋଇଥିବା ଚାଷଜମିର ସ୍ଥିତି ମନ୍ତ୍ରୀ ନିଜେ ଅନୁଧ୍ୟାନ କରିଥିଲେ। ରାଇକିଆ ବ୍ଲକର ମାଣିକେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହି ଅଞ୍ଚଳ ପରିଦର୍ଶନ କରି ସେ କ୍ଷୟକ୍ଷତିର ଆକଳନ ଓ ସ୍ଥିତିର ସମୀକ୍ଷା କରିଥିଲେ। ସେହିପରି, ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରାପଦ ଓ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳଉତ୍ସଗୁଡ଼ିକର ବିଶୋଧନ କରାଯାଉଛି।

59 minutes ago
1


