ARTICLE AD BOX
ନୂଆଦିଲ୍ଲୀ: ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ରହିଥିବା ଆଇନଗତ ନିଯୁକ୍ତି ଗ୍ୟାରେଣ୍ଟିକୁ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଏବଂ ସମ୍ମାନର ମୌଳିକ ଅଧିକାର ସହିତ ସମାନ ସ୍ତରରେ ରଖାଯାଇପାରିବ କି ନାହିଁ ସେ ନେଇ ଆଜି ସୁପ୍ରିମ୍କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ସମ୍ବିଧାନ କାର୍ଯ୍ୟ କରିବାର ଅଧିକାରକୁ ମୌଳିକ ଅଧିକାର ଭାବେ ସ୍ୱୀକୃତି ଦେଇନାହିଁ। ଏହା ବଦଳରେ ସମ୍ବିଧାନ ଏହାକୁ ରାଷ୍ଟ୍ରର ନିର୍ଦ୍ଦେଶାତ୍ମକ ନୀତି ଅଧୀନରେ ରାଷ୍ଟ୍ରର ଦାୟିତ୍ୱ ମଧ୍ୟରେ ସ୍ଥାନିତ କରିଛି।
ବିଚାରପତି ବାଗଚୀ ମତାମତ ଦେଇଛନ୍ତି ଯେ ସମ୍ବିଧାନ କାର୍ଯ୍ୟ କରିବାର ଅଧିକାରକୁ ମୌଳିକ ଅଧିକାର କରିନାହିଁ ଏବଂ ବାସ୍ତବରେ ଏହା କେବଳ ଏକ ଗଣତାନ୍ତ୍ରିକ ଆକାଂକ୍ଷା । ଏହା ହାସଲ କରିବା ପାଇଁ ରାଷ୍ଟ୍ର ଏକ ନୀତି ପ୍ରଣୟନ କରିଥାଏ ଏବଂ ସେହି ଆଧାରରେ ପଦକ୍ଷେପ ନିଆଯାଏ। ତେଣୁ ଏହାକୁ ଧାରା ୨୧ ସହିତ ସମାନ ସ୍ତରରେ ରଖିବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି। କାର୍ଯ୍ୟ କରିବାର ଅଧିକାରକୁ ଏକ ପ୍ରବର୍ତ୍ତନଯୋଗ୍ୟ ଅଧିକାର ସ୍ତରକୁ ଉନ୍ନୀତ କରିବାର ବ୍ୟାପକ ସାମ୍ବିଧାନିକ ପ୍ରଭାବ ଉପରେ ମଧ୍ୟ ଜଷ୍ଟିସ ବାଗଚୀ ମତ ରଖିଛନ୍ତି। ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଅଧୀନରେ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ ଏବଂ ବିଳମ୍ବିତ ମଜୁରି ପାଇଁ କ୍ଷତିପୂରଣ ସମ୍ପର୍କିତ ଏକ ଆବେଦନର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏଭଳି ଟିପ୍ପଣୀ ଆସିଛି। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ିଥିଲେ ଯେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ବଦଳରେ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିସନ’ (ଭିବି-ଜି ରାମ୍ ଜି) କରାଯିବା ଦ୍ୱାରା ଏହି ଆବେଦନ ବିଫଳ ହୋଇନାହିଁ।
Kaveri Dispute: କାବେରୀ ଜଳ ବିବାଦ: ସୁପ୍ରିମ୍କୋର୍ଟ ଗଲା ତାମିଲନାଡ଼ୁ ସରକାର
ଅଦାଲତଙ୍କ ସମ୍ମୁଖରେ ଥିବା ଆବେଦନ ଦୁଇଟି ବିଷୟ ଉପରେ ଆଧାରିତ, ଯେଉଁଥିରେ ପୂର୍ବ ଯୋଜନାର ମଜୁରି ବିଳମ୍ବ ପ୍ରଦାନ ପାଇଁ କ୍ଷତିପୂରଣ ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକ ଦ୍ୱାରା ବିଜ୍ଞପ୍ତିତ ସର୍ବନିମ୍ନ ମଜୁରିଠାରୁ ଶ୍ରମିକମାନଙ୍କୁ କମ୍ ପ୍ରଦାନ କରାଯାଇପାରିବ କି ନାହିଁ ତାହା ଅନ୍ତର୍ଭୁକ୍ତ। ତେବେ ଏହି ବିଷୟ ପୂର୍ବ ନିଷ୍ପତ୍ତିରେ ସୀମାବଦ୍ଧ ଏବଂ ଏହାର କାର୍ଯ୍ୟକାରିତାରେ ବିଫଳତା ଏକ ନୂତନ ବିବାଦ ସୃଷ୍ଟି କରିବ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୧ରୁ ପୂର୍ବ ଯୋଜନା ବଦଳରେ ନୂତନ ଆଇନ କାର୍ଯ୍ୟକାରୀ ହୋଇଛି, ଯାହା ପୂର୍ବର ୧୦୦ ଦିନ ବଦଳରେ ପ୍ରତି ଗ୍ରାମୀଣ ପରିବାରକୁ ୧୨୫ ଦିନ ପର୍ଯ୍ୟନ୍ତ ନିଯୁକ୍ତି ଗ୍ୟାରେଣ୍ଟି ପ୍ରଦାନ କରୁଛି।

1 hour ago
2

