ARTICLE AD BOX
କଟକ: ପଦୋନ୍ନତି ପାଇଁ ୨୦୦୧, ସେପ୍ଟେମ୍ବର ୩ ପୂର୍ବରୁ ନିଯୁକ୍ତି ପାଇଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ପାଇଁ ଓଟିଇଟି ପାସ ଯୋଗ୍ୟତା ଆବଶ୍ୟକ ନୁହେଁ ଦର୍ଶାଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏହି ପ୍ରସଂଗରେ ରାଜ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଏଥି ସହିତ ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକର ଏଲିମେଣ୍ଟାରି କ୍ୟାଡର ଶିକ୍ଷକଙ୍କ ଲେଭଲ-୪ରୁ ଲେଭଲ-୩ ବରିଷ୍ଠ ପ୍ରଧାନଶିକ୍ଷକ ପଦୋନ୍ନତି ପ୍ରସଂଗରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚୂଡାନ୍ତ ଗ୍ରେଡେସନ ତାଲିକା ଆଧାରରେ ତଥା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସେପ୍ଟେମ୍ବର ୩ର ଅନୁମୋଦନ ନିର୍ଦ୍ଦେଶ ଅନୁଯାୟୀ ଲେଭଲ-୩ ଶିକ୍ଷକଙ୍କ ପଦୋନ୍ନତି ପ୍ରସଂଗରେ ଆଉ ନ ଅଗେଇବାକୁ ସମ୍ବଲପୁର ଡିଇଓ ଓ ଧନକଉଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୯କୁ ମାମଲାର ଚୂଡାନ୍ତ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବବ୍ରୁବାହାନ ଭୋଇଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ସମ୍ବଲପୁର ଜିଲ୍ଲାର ନିର୍ଗୁନପଡ଼ା ସରକାରୀ ଉଚ୍ଚପ୍ରାଥମିକ ସ୍କୁଲରେ ଲେଭଲ-୪ ସ୍ନାତକ ତାଲିମପ୍ରାପ୍ତ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଗ୍ରେଡେସନ ତାଲିକାର ୭୭ତମ ସ୍ଥାନରେ ଥିବା ଆବେଦନକାରୀ ଓଟିଇଟି ପାସ କରି ନଥିବାରୁ ତାଙ୍କୁ ଲେଭଲ-୩ ବରିଷ୍ଠ ପ୍ରଧାନ ଶିକ୍ଷକ ପଦକୁ ପଦୋନ୍ନତି ସଂପର୍କିତ ଚୂଡାନ୍ତ ତାଲିକାରେ ସ୍ଥାନ ମିଳି ନଥିଲା। ପଦୋନ୍ନତି ପାଇଁ ପ୍ରକାଶିତ ଚୟନ ତାଲିକାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ସେପ୍ଟେମ୍ବର ୩ରେ ଅନୁମୋଦନ କରିଥିଲେ।
ଓଟିଇଟି ପାସ କରି ନଥିବାରୁ ପଦୋନ୍ନତିରୁ ବଞ୍ଚିତ କରାଯିବା ସଂପର୍କିତ ସମ୍ବଲପୁର ଡିଇଓଙ୍କ ନିର୍ଦ୍ଦେଶ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟରେ ଏହି ମାମଲା ଦାୟର କରିଛନ୍ତି। ସୁପ୍ରିମକୋର୍ଟଙ୍କ ‘ୟୁପି ବନାମ ଇଶାତ-ଇ-ତାଲିମ ଟ୍ରଷ୍ଟ’ ମାମଲାର ରାୟ ଅନୁସାରେ ଯଦି ଜଣେ ଶିକ୍ଷକ ୨୦୦୧, ସେପ୍ଟେମ୍ବର ୩ ପୂର୍ବରୁ ନିଯୁକ୍ତି ପାଇଥିବେ ତେବେ ଓଟିଇଟି ପାସ ନିୟମ ତାଙ୍କ ପାଇଁ ଲାଗୁ ନୁହେଁ ବୋଲି ଆବେଦନକାରୀ ହାଇକୋର୍ଟରେ ଦର୍ଶାଇଛନ୍ତି।
Ramayan: 'ରାମାୟଣ' ପାଇଁ ଡବିଂ ଆରମ୍ଭ କଲେ ରକୁଲ୍ ପ୍ରୀତ୍ ସିଂହ: ସୋସିଆଲ୍ ମିଡିଆରେ ସେୟାର୍ କଲେ ଫଟୋ
ଏହି ପ୍ରସଂଗରେ ବମ୍ବେ ହାଇକୋର୍ଟ ୨୦୨୬, ଜୁଲାଇ ୯ରେ ପ୍ରଦାନ କରିଥିବା ରାୟ ସଂକ୍ରାନ୍ତରେ ମଧ୍ୟ ଶୁଣାଣି ବେଳେ ଆବେଦନକାରୀଙ୍କ ତରଫରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ୨୦୦୧ ପୂର୍ବରୁ ନିଯୁକ୍ତି ପାଇଥିବାରୁ ପଦୋନ୍ନତି ପାଇଁ ତାଙ୍କ କ୍ଷେତ୍ରରେ ଓଟିଇଟି ପାସ ନିୟମ ବାଧ୍ୟତାମୂଳକ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏଭଳି ଶିକ୍ଷକଙ୍କ କ୍ଷେତ୍ରରେ ଓଟିଇଟି ପାସ ନିୟମ ଲାଗୁ ବା ନୁହେଁ ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଡକ୍ଟର ପୁରୁଷୋତ୍ତମ ଚୁଳି ଓ ପ୍ରୀତି ପୁଣ୍ୟତୋୟା ମାମଲା ପରିଚାଳନା କରୁଛନ୍ତି।

1 hour ago
1


