ARTICLE AD BOX
କଟକ: ପୂର୍ବତନ ଆୟୁଷ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ(ଓଡ଼ିଶା ପ୍ରଶାସନିକ ସେବା) ଅଧିକାରୀ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ରାଜ୍ୟ ସରକାର ୨୦୨୦, ଅଗଷ୍ଟ ୧୩ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଅବସର ବୟସ ପୂରଣ କରିବା ପର୍ଯ୍ୟନ୍ତ ଅର୍ଥାତ ୨୦୨୧, ଜାନୁଆରି ୩୧ ଯାଏ ଶ୍ରୀ ଷଡ଼ଙ୍ଗୀ ଚାକିରିରେ କାର୍ଯ୍ୟରତ ଥିଲେ ବୋଲି ଗ୍ରହଣ କରି ତାଙ୍କ ଚାକିରି ନିୟମିତ କରାଯିବ ଓ ଚାରି ମାସ ଭିତରେ ସମସ୍ତ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ।
ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଷଡ଼ଙ୍ଗୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ୨୦୧୯, ସେପ୍ଟେମ୍ବର ୨୪ର ମାର୍ଗଦର୍ଶିକା ଉଲ୍ଲଂଘନ କରି ଶ୍ରୀ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା। ବାଧ୍ୟତାମୂଳକ ଅବସର ପ୍ରଦାନ ବେଳେ ଭୁବନେଶ୍ବର ମହିଳା ଥାନାରେ ଏକ ମାମଲାକୁ ଛାଡ଼ି ଶ୍ରୀ ଷଡ଼ଙ୍ଗୀଙ୍କ ବିରୋଧରେ ଅନ୍ୟ କୌଣସି ଫୌଜଦାରୀ ବା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବିଚାରାଧୀନ ନଥିଲା। ମହିଳା ଥାନା ମାମଲାରେ ତାଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ଦାଖଲ ହୋଇ ନଥିଲା।
ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ବାଧ୍ୟତାମୂଳକ ଅବସର
ଆବେଦନକାରୀଙ୍କୁ ସମୟ ପୂର୍ବରୁ ଅବସର ଦେବା ପାଇଁ ତାଙ୍କ ବିରୁଦ୍ଧରେ ଅନ୍ୟ କୌଣସି ପ୍ରମାଣ ବା ତଥ୍ୟ ଉପଲବ୍ଧ ନଥିଲା। ଏଭଳି ସ୍ଥିତିରେ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦ରେ ଆୟୁଷ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନା ପୁଲିସ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗିରଫ ପରେ ଶ୍ରୀ ଷଡ଼ଙ୍ଗୀ ଜାମିନରେ ଛାଡ଼ ପାଇଥିଲେ। ତାଙ୍କୁ ରାଜ୍ୟ ସରକାର ୨୦୨୦, ଅଗଷ୍ଟ ୨୧ରେ ଚାକିରିରୁ ନିଲମ୍ବିତ କରିଥିଲେ।
ଅବସର ଗ୍ରହଣ କରିବାକୁ ମାତ୍ର ଚାରି ମାସ ବାକି ଥିବା ବେଳେ ଅନ୍ତରୀଣ କମିଟି ରିପୋର୍ଟ ଆଧାରେ ଶ୍ରୀ ଷଡ଼ଙ୍ଗୀଙ୍କୁ ସରକାର ୨୦୨୦, ଅଗଷ୍ଟ ୧୩ରେ ବାଧ୍ୟତାମୂଳକ ଅବସର ପ୍ରଦାନ କରିଥିଲେ। ଆଇନ ଉଲ୍ଲଂଘନ କରି ତଥା ୨୦୧୯ର ମାର୍ଗଦର୍ଶିକା ପାଳନ ନ କରି ତାଙ୍କୁ ସମୟ ପୂର୍ବରୁ ଅବସର ଦିଆଯାଇଥିବାରୁ ଏହା ଗ୍ରହଣୀୟ ନୁହେଁ ଦର୍ଶାଇ ଶ୍ରୀ ଷଡ଼ଙ୍ଗୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୧୯୮୭ରେ ଓଏଏସ ଅଧିକାରୀ ଭାବେ ଯୋଗ ଦେଇଥିବା ଶ୍ରୀ ଷଡ଼ଙ୍ଗୀ ବିଭିନ୍ନ ସମୟରେ ପଦୋନ୍ନତି ପାଇଥିଲେ। ୨୦୧୪ରେ ଆଇଏଏସକୁ ପଦୋନ୍ନତି ପାଇଁ ତାଙ୍କ ନାମ ସୁପାରିସ ମଧ୍ୟ କରାଯାଇଥିଲା।
୨୦୧୭ରେ ଓଏଏସ ସ୍ବତନ୍ତ୍ର ସଚିବ କ୍ୟାଡରକୁ ତାଙ୍କର ପଦୋନ୍ନତି ହୋଇଥିଲା। ୨୦୨୦ରେ ଆୟୁଷ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା। ଦୀର୍ଘବର୍ଷର କାର୍ଯ୍ୟକାଳ ଭିତରେ ତାଙ୍କ ବିରୋଧରେ କୌଣସି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବା ଫୌଜଦାରୀ ମାମଲା ନଥିବା ବେଳେ ୨୦୨୦ରେ ଏକ ଫୌଜାଦରୀ ମାମଲା ପରେ ଆଇନରେ ଥିବା ପ୍ରକ୍ରିୟା ଅନୁସରଣ ନ କରି ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା ବୋଲି ହାଇକୋର୍ଟରେ ଶ୍ରୀ ଷଡ଼ଙ୍ଗୀଙ୍କ ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଥିଲେ।

41 minutes ago
1


