Judgement: ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ସ୍ଥାନାନ୍ତର ପ୍ରସଂଗରେ କଣ ନୀତି ଓ ମାର୍ଗଦର୍ଶିକା ରହିଛି ଜଣାଇବେ ସରକାର

18 minutes ago 1
ARTICLE AD BOX

କଟକ: ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ସ୍ଥାନ ନିର୍ଦ୍ଧାରଣ ଓ ସ୍ଥାନାନ୍ତର ପ୍ରସଂଗରେ କଣ ପ୍ରକ୍ରିୟା ଅନୁସରଣ କରାଯାଉଛି ସେ ନେଇ ରାଜ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଏହି ପ୍ରସଂଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କଣ ପକ୍ଷ ରହିଛି ତାହା ହାଇକୋର୍ଟ ଜାଣିବାକୁ ଚାହଁଛନ୍ତି। 

ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ ହାଜର ରହିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତିରାଜ ସଚିବ ନଭେମ୍ବର ୨୬ରେ ବ୍ୟକ୍ତିଗତ ଭାବେ ବା ଅଭାସୀ ମାଧ୍ୟମରେ ମାମଲାର ଶୁଣାଣି ବେଳେ ହାଇକୋର୍ଟରେ ଉପସ୍ଥିତ ରହିବେ। ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଧାରା ୪(୩) ଅଧିନରେ ଗ୍ରାମପଞ୍ଚାୟତ ମୁଖ୍ୟାଳୟର ସ୍ଥାନ ନିର୍ଦ୍ଧାରଣ କିମ୍ବା ପରିବର୍ତ୍ତନକୁ କୌଣସି ନୀତି, ମାର୍ଗଦର୍ଶିକା, ସଂକଳ୍ପ କିମ୍ବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶାବଳୀ ପରିଚାଳନା କରୁଛି କି ନାହିଁ ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏମିତି କିଛି ବ୍ୟବସ୍ଥା ନାହିଁ ତେବେ ଏପରି କିଛି ନୀତି ପ୍ରଣୟନ କରିବାକୁ ସରକାରଙ୍କ ନିକଟରେ ପ୍ରସ୍ତାବ ରହିଛି କି ନାହିଁ ସେ ନେଇ ସତ୍ୟପାଠରେ ଉଲ୍ଲେଖ କରାଯିବ। ଯଦି ଏପରି ନୀତି ପ୍ରଣୟନ କରାଯିବା ପାଇଁ ପ୍ରସ୍ତାବ ରହିଛି ତେବେ ସମୟସୀମା କେତେ ସେ ନେଇ ଅବଗତ କରାଯିବ। 

ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ସ୍ଥାନାନ୍ତର ପୂର୍ବରୁ ବର୍ତ୍ତମାନ ଅନୁସରଣ କରାଯାଉଥିବା ପ୍ରକ୍ରିୟା ସଂକ୍ରାନ୍ତରେ ମଧ୍ୟ ସତ୍ୟପାଠରେ ସ୍ପଷ୍ଟ କରିବାକୁ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଡ଼ିବନ୍ଧୁ ଦାସ ଓ ଅନ୍ୟମାନଙ୍କ ତରଫରୁ ଦାୟର ରିଟ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରଛନ୍ତି। ପଞ୍ଚାୟତିରାଜ ସଚିବଙ୍କ ବ୍ୟକ୍ତିଗତ ହାଜିରା ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ଅଧିକାରୀଙ୍କ ଉପରେ କୌଣସି ପ୍ରଶ୍ନ ଉଠାଇବା ଉଦ୍ଦେଶ୍ୟରେ ଦିଆଯାଇନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସମଗ୍ର ରାଜ୍ୟର ଗ୍ରାମ ପଞ୍ଚାୟତଗୁଡ଼ିକୁ ପ୍ରଭାବିତ କରୁଥିବା ଏକ ପ୍ରଶ୍ନ ଉପରେ ସରକାରଙ୍କ ସୁଚିନ୍ତିତ ଆଭିମୁଖ୍ୟ ଜାଣିବା ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶ ବୋଲି ହାଇକୋର୍ଟ କହିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ନୟାଗଡ଼ ଜିଲ୍ଲାର ଗୋଡିପାଲ୍ଲୀ ଗ୍ରମାଞ୍ଚାୟତର ମୁଖ୍ୟାଳୟ ସ୍ଥାନାନ୍ତର ସଂପର୍କିତ ପଞ୍ଚାୟତିରାଜ ବିଭାଗର ୨୦୧୧, ମେ ୯ର ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ ମନା କରି ଜଣିକିଆ ବିଚାରପତି ୨୦୧୪, ମାର୍ଚ୍ଚ ୪ରେ ରାୟ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ଆବେଦନକାରୀ ଦୁଇ ଜଣିଆ ଖଣ୍ଡପୀଠରେ ଏହି ରିଟ ଅପିଲ ଦାୟର କରିଥିଲେ। ଏହି ଗ୍ରାମପଞ୍ଚାୟତ ଗଠନ ନେଇ ୨୦୦୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାରମ୍ଭରୁ ମୁଖ୍ୟାଳୟକୁ ନେଇ ବିବାଦ ଦେଖା ଦେଇଥିଲା। ଧାରା ୪(୩) ଅନୁସାରେ ଗ୍ରାମପଞ୍ଚାୟତର ମୁଖ୍ୟାଳୟ ନିର୍ଦ୍ଧାରଣ ଓ ସ୍ଥାନାନ୍ତର ହେଉଥିବା ବେଳେ ଏ ନେଇ କୌଣସି ନୀତି ବା ମାର୍ଗଦର୍ଶିକା ସରକାର ପ୍ରଣୟନ କରି ନଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.