ARTICLE AD BOX
ୱାସିଂଟନ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ସେମାନଙ୍କର ଚତୁର୍ଥ ସନ୍ତାନକୁ ସ୍ୱାଗତ କରିଛନ୍ତି। ଦମ୍ପତି ସୋସିଆଲ ମିଡିଆରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ସମ୍ପର୍କରେ ଘୋଷଣା କରିଛନ୍ତି। ପିଲାଟିର ନାମ ଆଲେକ୍ ନୀଲ୍ ଭାନ୍ସ ରଖାଯାଇଛି। ଏହା ସହିତ, ଜେଡି ଭାନ୍ସ ୧୫୬ ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଆମେରିକୀୟ ଉପରାଷ୍ଟ୍ରପତି ହୋଇଛନ୍ତି ଯିଏ ପଦବୀରେ ଥିବା ସମୟରେ ପିତା ହୋଇଛନ୍ତି। ଆଲେକ୍ ନୀଲ୍ ଭାନ୍ସ ଜେଡି ଏବଂ ଉଷା ଭାନ୍ସଙ୍କ ଚତୁର୍ଥ ସନ୍ତାନ। ସେମାନଙ୍କର ପୂର୍ବରୁ ତିନୋଟି ସନ୍ତାନ ଅଛନ୍ତି। ସେମାନଙ୍କର ବଡ଼ ପୁଅ ଇଭାନ୍ର ବୟସ ୯ ବର୍ଷ, ଦ୍ୱିତୀୟପୁଅ ବିବେକର ବୟସ ୬ ବର୍ଷ ଏବଂ ଝିଅ ମିରାବେଲ୍ର ବୟସ ୪ ବର୍ଷ।
ଆମେ ବହୁତ ଖୁସି ଅନୁଭବ କରୁଛୁ
ଜେଡି ଭାନ୍ସ ଏବଂ ଉଷା ଭାନ୍ସ ଏକ ମିଳିତ ବିବୃତି ଜାରି କରି କହିଛନ୍ତି, ଆମ ପୁଅ ଆଲେକ୍ ନିଲ୍ ଭାନ୍ସ ଜନ୍ ହୋଇଥିବା ନେଇଘୋଷଣା କରି ଆମେ ବହୁତ ଖୁସି ଅନୁଭବ କରୁଛୁ। ଉଷା ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ଆମର ତିନି ପିଲା ମଧ୍ୟ ସେମାନଙ୍କ ଛୋଟ ଭାଇର ଆଗମନରେ ବହୁତ ଖୁସି। ଦମ୍ପତି ୱାଲ୍ଟର ରିଡ୍ ନ୍ୟାସନାଲ୍ ମିଲିଟାରୀ ମେଡିକାଲ୍ ସେଣ୍ଟରର ଡାକ୍ତର, ନର୍ସ ଏବଂ ସମଗ୍ର ମେଡିକାଲ୍ କର୍ମଚାରୀଙ୍କୁ ଏବଂ ହ୍ୱାଇଟ୍ ହାଉସ୍ ମେଡିକାଲ୍ ଟିମ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
୪୧ ବର୍ଷୀୟ ଜେ.ଡି. ଭାନ୍ସ ଦୀର୍ଘ ଦିନ ଧରି ଆମେରିକାରେ ଜନ୍ମହାର ହ୍ରାସ ସମ୍ପର୍କରେ ଚିନ୍ତା ପ୍ରକାଶ କରିଆସୁଛନ୍ତି। ସେ ଓହାଇଓରୁ ୨୦୨୧ ସିନେଟ୍ ନିର୍ବାଚନ ସମୟରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ଉପରାଷ୍ଟ୍ରପତି ହେବା ପରେ, ସେ ୨୦୨୫ ମାର୍ଚ୍ଚ ଫର୍ ଲାଇଫ୍ କାର୍ଯ୍ୟକ୍ରମରେ କହିଥିଲେ,ଆମେରିକାରେ ଅଧିକ ଶିଶୁ ଜନ୍ମ ହୁଅନ୍ତୁ ବୋଲି ମୁଁ ଚାହୁଁଛି।
ପୂର୍ବରୁ, ୧୮୭୦ ମସିହାରେ, ତତ୍କାଳୀନ ଉପରାଷ୍ଟ୍ରପତି ଶେଲର କଲଫାକ୍ସଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ପୁଅ ଶେଲର କଲଫାକ୍ସ ତୃତୀୟ ଜନ୍ମଗ୍ରହଣ କରିଥିଲେ। ହ୍ୱାଇଟ୍ ହାଉସ୍ ଐତିହାସିକ ଆସୋସିଏସନ ଅନୁଯାୟୀ, ଏହା ପୂର୍ବରୁ, ଉପରାଷ୍ଟ୍ରପତି ଜନ୍ ସି. କାଲହୁନଙ୍କ ପୁଅ, ୱିଲିୟମ୍ ୧୮୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ।
ଅଧିକ ପଢନ୍ତୁ: Chinese Encroachment: ଆମ ଜମିକୁ ୬ ବର୍ଷ ହେଲା ଦଖଲ କରାଯାଉଛି: ଚୀନ୍ ଅନୁପ୍ରବେଶର ପର୍ଦ୍ଦାଫାସ୍ କଲେ ଅରୁଣାଚଳର ଆଦିବାସୀ ସମ୍ପ୍ରଦାୟ

22 hours ago
1


