ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଯନ୍ତରମନ୍ତରରୁ ଆନ୍ଦୋଳନସ୍ଥଳର ମାନ୍ୟତା ହଟାଇ ଦିଆଯିବାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ଏହା ବଦଳରେ ରାମଲୀଳା ମଇଦାନ, ବୁରାଡ଼ି ମଇଦାନ ଓ ପୂର୍ବ ଦିଲ୍ଲୀର ସିବିଡି ମଇଦାନକୁ ଆନ୍ଦୋଳନ ସ୍ଥଳ ଭାବେ ଚିହ୍ନଟ କରିଛି ଦିଲ୍ଲୀ ପୁଲିସ। ତେବେ ନୂଆ ସ୍ଥାନଗୁଡ଼ିକର ଦୂରତା, ଭଡ଼ା, ଆଗୁଆ ବୁକିଂ, ଉପଲବ୍ଧତା ଓ ପ୍ରଭାବ ଆନ୍ଦୋଳନକାରୀଙ୍କ ପାଇଁ ଚିନ୍ତାଜନକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀ ପୁଲିସ କମିସନର ଅନୁରାଗ କୁମାର ଅକ୍ଟୋବର ୧୧ରେ ଜାରି କରିଥିବା ନିର୍ଦ୍ଦେଶ ଅନୁସାରେ ଏହି ପରିବର୍ତ୍ତନ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଗଠିତ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ପୁଲିସ କହିଛି।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଶାସକ ବିଜେପି ଲୋକଙ୍କ ଅସନ୍ତୋଷରୁ ଦୂରେଇ ରହିବା ପାଇଁ ଆନ୍ଦୋଳନକାରୀଙ୍କୁ ଦୂରରେ ରଖିବାକୁ ଚାହୁଛି ବୋଲି ସେ ଅଭିଯୋଗ କରିଛନ୍ତି। କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ମଧ୍ୟ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଯନ୍ତରମନ୍ତରର ମାନ୍ୟତା ହଟାଇଦେଲେ ମଧ୍ୟ ପ୍ରତିବାଦର ମନୋଭାବକୁ ଦମନ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
ନୂଆ ସ୍ଥାନଗୁଡ଼ିକର ଦୂରତା ମଧ୍ୟ ଏକ ସମସ୍ୟା। ଯନ୍ତରମନ୍ତର ସଂସଦଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବାବେଳେ ରାମଲୀଳାମଇଦାନ ପ୍ରାୟ ୬ କିଲୋମିଟର, ସିବିଡି ମଇଦାନ ପ୍ରାୟ ୧୪ କିଲୋମିଟର ଓ ବୁରାଡ଼ି ମଇଦାନ ପ୍ରାୟ ୨୩ କିଲୋମିଟର ଦୂରରେ ରହିଛି। ଯନ୍ତରମନ୍ତରରେ ପ୍ରାୟ ୩ ହଜାର ଲୋକ ଏକାଠି ହୋଇପାରୁଥିବାବେଳେ ନୂଆ ସ୍ଥାନଗୁଡ଼ିକର କ୍ଷମତା ଅଧିକ। ଫଳରେ ଅଳ୍ପ ସଂଖ୍ୟକ ଆନ୍ଦୋଳନକାରୀ ଏଠାରେ ଏକାଠି ହେଲେ ସେମାନଙ୍କ ପ୍ରତିବାଦର ପ୍ରଭାବ କମ୍ ଦେଖାଯାଇପାରେ। ବିଶେଷକରି ବୁରାଡ଼ି ଓ ସିବିଡି ମଇଦାନରୁ ସଂସଦ ଓ କେନ୍ଦ୍ରୀୟ ପ୍ରଶାସନିକ କାର୍ଯ୍ୟାଳୟ ନିକଟରେ ପ୍ରତିବାଦର ପ୍ରଭାବ ପହଞ୍ଚାଇବା ତୁଳନାତ୍ମକ ଭାବେ କଷ୍ଟକର ହୋଇପାରେ।
ଅନ୍ୟପକ୍ଷରେ, ରାମଲୀଳା ମଇଦାନରେ ବଡ଼ ଧରଣର କାର୍ଯ୍ୟକ୍ରମ ପାଇଁ ଦୈନିକ ୫୦ ହଜାର ଟଙ୍କା ଭଡ଼ା ସହ ୫୫ ହଜାର ଟଙ୍କା ଫେରସ୍ତଯୋଗ୍ୟ ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡ଼ୁଛି। ଟିକସ ସହ ଗୋଟିଏ ଦିନ ପାଇଁ ପ୍ରାରମ୍ଭିକ ଖର୍ଚ୍ଚ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ହେଉଛି। ସୋମବାର ପ୍ରକାଶିତ ରିପୋର୍ଟ ଅନୁସାରେ, ବର୍ଷ ଶେଷ ପର୍ଯ୍ୟନ୍ତ ରାମଲୀଳା ମଇଦାନରେ ବୁକିଂ ପାଇଁ ମାତ୍ର ତିନୋଟି ଦିନ ଖାଲି ଥିଲା। ଏହାର ଅର୍ଥ, ଆନ୍ଦୋଳନକାରୀଙ୍କୁ ମନଇଚ୍ଛା ଯେକୌଣସି ଦିନ ପାଇଁ ସ୍ଥାନ ମିଳିବା କଷ୍ଟକର ହୋଇପାରେ।
ଆମ୍ ଆଦ୍ମୀ ପାର୍ଟିର ଦିଲ୍ଲୀ ମୁଖ୍ୟ ସୌରଭ ଭରଦ୍ୱାଜ ରାମଲୀଳା ମଇଦାନରେ ପୂର୍ବରୁ ଧାର୍ଯ୍ୟ କାର୍ଯ୍ୟକ୍ରମ ଯୋଗୁଁ ପ୍ରତିବାଦ ପାଇଁ ସ୍ଥାନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି। ବ୍ୟବସାୟୀ ସଂଗଠନ ଚେମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି ଏବଂ ଅଲ୍ ଇଣ୍ଡିଆ ମୋଟର ଆଣ୍ଡ୍ ଗୁଡ୍ସ ଟ୍ରାନ୍ସପୋର୍ଟ ଆସୋସିଏସନ୍ ମଧ୍ୟ ରାମଲୀଳା ମଇଦାନରେ ବଡ଼ ସମାବେଶ ଯୋଗୁଁ ବ୍ୟବସାୟ, ମାଲ୍ ପରିବହନ ଓ ଯାତାୟାତ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ କରିଛନ୍ତି।
୨୦୧୭ରେ ଜାତୀୟ ସବୁଜ ପ୍ରାଧିକରଣ ଯନ୍ତରମନ୍ତରରେ ଆନ୍ଦୋଳନ ଉପରେ କଟକଣା ଲଗାଇଥିଲେ। କିନ୍ତୁ ୨୦୧୮ରେ ସୁପ୍ରିମ୍କୋର୍ଟ ସମ୍ପୂର୍ଣ୍ଣ ନିଷେଧାଦେଶକୁ ରଦ୍ଦ କରି ଆନ୍ଦୋଳନକାରୀଙ୍କ ଅଧିକାର ଓ ସ୍ଥାନୀୟ ବାସିନ୍ଦାଙ୍କ ଶାନ୍ତିପୂର୍ଣ୍ଣ ଜୀବନ ମଧ୍ୟରେ ସନ୍ତୁଳନ ରଖିବାକୁ କହିଥିଲେ। ଏବେ ନୂଆ ସ୍ଥାନଗୁଡ଼ିକରେ ଆନ୍ଦୋଳନ କରିବା ପାଇଁ ଅନୁମତି, ଦେୟ ଓ ଉପଲବ୍ଧତା ଆଦି ଯେତେ ସମସ୍ୟା ସୃଷ୍ଟି କରିବ ନାହିଁ, ଯନ୍ତରମନ୍ତର ପରି ତାହା ସେତେଟା ଫଳପ୍ରଦ ଓ ପ୍ରଭାବକ ହେବା ନେଇ ସନ୍ଦେହ ଥିବାରୁ ଆନ୍ଦୋଳନକାରୀ ଚିନ୍ତିତ ହେବା ସ୍ବାଭାବିକ। ସେଥିପାଇଁ ସରକାର ଗଣତାନ୍ତ୍ରିକ ପ୍ରତିବାଦର ଅଧିକାର ଛଡ଼ାଇ ନେବାକୁ ଚାହୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

52 minutes ago
1


