ARTICLE AD BOX
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରମୁଖ ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ୫ ଦିନ ପାଇଁ ତିହାର ଜେଲ୍ ପଠାଯାଇଛି। ସୂଚନା ମୁତାବକ, ନିକଟରେ ପ୍ରତିବାଦ ସ୍ଥଳରୁ ବାଦ ପଡ଼ିଥିବା ଯନ୍ତର ମନ୍ତର ଅଞ୍ଚଳରେ ବେଆଇନ ଭାବେ ପ୍ରବେଶ କରିବା ଏବଂ ପୂର୍ବରୁ ସ୍ୱାକ୍ଷର କରିଥିବା ଶାନ୍ତି ସର୍ତ୍ତକୁ ଭଙ୍ଗ କରିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ବୁଧବାର ସେମାନଙ୍କୁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯିବା ପରେ କୋର୍ଟ ବାରମ୍ବାର ଆଇନ ଉଲ୍ଲଂଘନ ଏବଂ ସାର୍ବଜନୀନ ଶାନ୍ତି ଭଙ୍ଗ ଆଶଙ୍କାରେ ଉଭୟଙ୍କୁ ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଅନ୍ୟପଟେ ସେମାନଙ୍କ ସହଯୋଗୀ ଅଜିଙ୍କ୍ୟ ଶିନ୍ଦେ ଏକ ଶାନ୍ତି ବଣ୍ଡ୍ ସ୍ୱାକ୍ଷର କରିବା ପରେ ଛାଡ଼ି ଦିଆଯାଇଛି। ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ ଅନିୟମିତତା ଏବଂ ଯନ୍ତର ମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଇବା ବିରୋଧରେ ଗତକାଲି ଆନ୍ଦୋଳନ କରିଥିବା ସିଜେପି ଏହି ଘଟଣା ପରେ ନିଜର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବାକୁ ଏକ ବୈଠକ ଡକାଇଛି।
ଆହୁରି ପଢନ୍ତୁ :India vs West Indies T20I: ଭାରତ ବିପକ୍ଷରେ ଜିତିଲା ୱେଷ୍ଟଇଣ୍ଡିଜ୍,୨-୨ରେ ପହଞ୍ଚିଲା ଶୃଙ୍ଖଳା
ଦିଲ୍ଲୀ ପୁଲିସ ଏହି ସିଜେପି ନେତାମାନଙ୍କ ବିରୋଧରେ ବେଆଇନ ପ୍ରବେଶ, ନିଷେଧାଜ୍ଞା ଉଲ୍ଲଂଘନ, ଶାନ୍ତି ଚୁକ୍ତି ଭଙ୍ଗ ଏବଂ ସରକାରୀ କର୍ମଚାରୀଙ୍କୁ ବାଧା ଦେବା ଅଭିଯୋଗରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ଏଫ୍ଆଇଆର୍ ରୁଜୁ କରିଛି। ପୁଲିସ ସୂଚନା ଅନୁଯାୟୀ, କର୍ତ୍ତବ୍ୟରତ କର୍ମଚାରୀଙ୍କୁ ବାଧା ଦେବା ଅଭିଯୋଗରେ ମୋଟ ୧୪ ଜଣଙ୍କୁ ଅଟକ ରଖାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ୍ସରେ କହିଛନ୍ତି ଯେ, ‘ଆଶୁତୋଷ ଏବଂ ସୌରଭଙ୍କୁ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସେମାନଙ୍କର ଦୋଷ ଥିଲା ଯନ୍ତର ମନ୍ତରରେ ତ୍ରିରଙ୍ଗା ଉଡ଼ାଇବା। ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ସାହସ ଥିଲେ ଆନୁଷ୍ଠାନିକ ଭାବେ ଇମରଜେନ୍ସି ଘୋଷଣା କରିବାକୁ ଆହ୍ୱାନ ଦେଇଛନ୍ତି।
ଆହୁରି ପଢନ୍ତୁ :Rahul Gandhi: ସୁପ୍ରିମକୋର୍ଟ ରାଜନୈତିକ ପ୍ରଭାବ ପ୍ରଦର୍ଶନ ପାଇଁ ଏକ ମଞ୍ଚ ନୁହେଁ, ରାହୁଲ ଗାନ୍ଧୀଙ୍କ ପଦଯାତ୍ରାକୁ ବିରୋଧ କଲେ ୨୦୦ ଆଇନଜୀବୀ
ଅନ୍ୟପଟେ ସିଜେପିର ଆଇନଗତ ଦଳର ମୁଖ୍ୟ ରତ୍ନା ସିଂହ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଭୋର ୩ଟାରେ ଏକ ବେସରକାରୀ ଗାଡ଼ିରେ ଥାନାକୁ ଅଣାଯାଇଥିଲା ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଇନଜୀବୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇ ନଥିଲା। ସୌରଭ ଓ ଆଶୁତୋଷ ଗତ ଶନିବାର ଏକ ବିକ୍ଷୋଭ ସମୟରେ ଅଟକ ହେବା ପରେ ବର୍ଷକ ପାଇଁ ଶାନ୍ତି ବଜାୟ ରଖିବାକୁ ବଣ୍ଡ୍ ସ୍ୱାକ୍ଷର କରିଥିଲେ। ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଗତ ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀ ପୁଲିସ କମିସନର ଅନୁରାଗ କୁମାର ଏକ ଆଦେଶ ଜାରି କରି ରାମଲୀଳା ମୈଦାନ, ବୁରାଡ଼ି ଗ୍ରାଉଣ୍ଡ ଏବଂ ସିବିଡି ଗ୍ରାଉଣ୍ଡକୁ ପ୍ରଦର୍ଶନ ପାଇଁ ଚିହ୍ନଟ କରିଥିଲେ ଓ ଯନ୍ତର ମନ୍ତରକୁ ଏହି ତାଲିକାରୁ ବାଦ ଦେଇଥିଲେ। ସିଜେପି ଏହି ନିଷ୍ପତ୍ତିକୁ ସମାଲୋଚନାକରି କହିଛି ଯେ, ରାଜନୈତିକ କେନ୍ଦ୍ର ସ୍ଥଳରୁ ଆନ୍ଦୋଳନକୁ ଦୂରେଇ ନେବା ଦ୍ୱାରା ଜନସାଧାରଣଙ୍କ ପ୍ରତିବାଦର ପ୍ରଭାବ ହ୍ରାସ ପାଇବ।

1 hour ago
1


