ARTICLE AD BOX
ନୂଆଦିଲ୍ଲୀ:ଭାରତରେ ସମୟ ବ୍ୟବହାରକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୭ ମାର୍ଚ୍ଚରୁ ଦେଶର ସମସ୍ତ ପ୍ରତିଷ୍ଠାନ ପାଇଁ ଭାରତୀୟ ମାନକ ସମୟ (IST) ବ୍ୟବହାର ବାଧ୍ୟତାମୂଳକ ହେବ। ଏନେଇ ସରକାର ନୂଆ ନିୟମ ଜାରି କରିଛନ୍ତି। ସରକାର ଶନିବାର ଲିଗାଲ୍ ମେଟ୍ରୋଲୋଜି (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍) ରୁଲ୍ସ, ୨୦୨୬ ଘୋଷଣା କରିଛନ୍ତି। ଏହି ନିୟମ ଅନୁଯାୟୀ ଆଇନଗତ, ବାଣିଜ୍ୟିକ, ପ୍ରଶାସନିକ ଏବଂ ଡିଜିଟାଲ୍ କାର୍ଯ୍ୟରେ ISTକୁ ମାନକ ସମୟ ଭାବେ ବ୍ୟବହାର କରିବାକୁ ପଡ଼ିବ।
ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡ
ଗେଜେଟ୍ରେ ନିୟମ ପ୍ରକାଶ ପାଇବାର ୧୮୦ ଦିନ ପରେ ଏହା କାର୍ଯ୍ୟକାରୀ ହେବ। ଅର୍ଥାତ୍ ପ୍ରାୟ ୨୦୨୭ ମାର୍ଚ୍ଚରୁ ନୂଆ ନିୟମ ଲାଗୁ ହେବ। ନିୟମ ଲାଗୁ ହେବା ପରେ ସଂସ୍ଥାଗୁଡ଼ିକୁ ନିଜର ସମୟ ସମ୍ବନ୍ଧୀୟ ବ୍ୟବସ୍ଥାକୁ IST ସହ ସମନ୍ୱୟ କରିବାକୁ ପଡ଼ିବ। ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡର ବ୍ୟବସ୍ଥା ରହିବ।
ନୂଆ ନିୟମ ଅନେକ କ୍ଷେତ୍ରରେ ଲାଗୁ ହେବ। ଏଥିରେ ବାଣିଜ୍ୟ, ପରିବହନ, ପ୍ରଶାସନ, ଆର୍ଥିକ କାରବାର ଏବଂ ଆଇନଗତ ଚୁକ୍ତି ଭଳି କ୍ଷେତ୍ର ରହିଛି। ସରକାରୀ କାର୍ଯ୍ୟ ଓ ଡକ୍ୟୁମେଣ୍ଟରେ ମଧ୍ୟ ISTକୁ ମାନକ ସମୟ ଭାବେ ବ୍ୟବହାର କରିବାକୁ ହେବ। IST ବ୍ୟତୀତ ଅନ୍ୟ କୌଣସି ସମୟକୁ ସାଧାରଣ ଭାବେ ବ୍ୟବହାର କିମ୍ବା ରେକର୍ଡ କରିବା ଉପରେ କଟକଣା ରହିବ। ତେବେ କିଛି କ୍ଷେତ୍ରକୁ ଏଥିରୁ ଛାଡ଼ ମିଳିବ। ବିଦେଶୀ ସମୟ କ୍ଷେତ୍ର ସ୍ପଷ୍ଟ ଭାବେ ଉଲ୍ଲେଖ କରାଗଲେ ଏହା ବ୍ୟବହାର କରାଯାଇପାରିବ। ବୈଜ୍ଞାନିକ ଗବେଷଣା, ନାଭିଗେସନ୍ ଓ ଜ୍ୟୋତିର୍ବିଜ୍ଞାନ ଭଳି କ୍ଷେତ୍ରରେ ମଧ୍ୟ ଆବଶ୍ୟକ ଅନୁଯାୟୀ ଅନ୍ୟ ସମୟ ଉତ୍ସ ବ୍ୟବହାର କରାଯାଇପାରିବ।
ଆଜିର ଡିଜିଟାଲ୍ ବ୍ୟବସ୍ଥାରେ ସଠିକ୍ ସମୟର ଗୁରୁତ୍ୱ ବହୁତ ଅଧିକ। ପେମେଣ୍ଟ ସିଷ୍ଟମ୍, ଷ୍ଟକ୍ ମାର୍କେଟ୍, ଟେଲିକମ୍ ନେଟୱାର୍କ ଏବଂ ଡାଟା ସେଣ୍ଟର ସବୁ ସଠିକ୍ ସମୟ ଉପରେ ନିର୍ଭର କରେ। ୫ଜି ନେଟୱାର୍କ, ପାୱାର ଗ୍ରିଡ୍ ଓ ଡିଜିଟାଲ୍ ନାଭିଗେସନ୍ରେ ମଧ୍ୟ ସମୟର ସଠିକ୍ ସମନ୍ୱୟ ଆବଶ୍ୟକ। ଏକାଧିକ ସିଷ୍ଟମ୍ ମଧ୍ୟରେ ସମୟରେ ସାମାନ୍ୟ ତାରତମ୍ୟ ହେଲେ ମଧ୍ୟ ଡିଜିଟାଲ୍ କାରବାରରେ ସମସ୍ୟା ହୋଇପାରେ।
ସାଇବର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ
ନୂଆ ନିୟମରେ ସମୟ ସମନ୍ୱୟ ସହ ସାଇବର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସଂସ୍ଥାଗୁଡ଼ିକୁ ସୁରକ୍ଷିତ ଟାଇମ୍-ସିଙ୍କ୍ରୋନାଇଜେସନ୍ ବ୍ୟବସ୍ଥା ରଖିବାକୁ ପଡ଼ିବ। ସମୟ ସିଷ୍ଟମ୍କୁ ସ୍ପୁଫିଂ, ଜାମିଂ ଓ ସାଇବର ଆକ୍ରମଣରୁ ସୁରକ୍ଷିତ ରଖିବାକୁ ହେବ।
ଏଥିପାଇଁ ଏକାଧିକ ଅନୁମୋଦିତ ସମୟ ଉତ୍ସ ସହ ସିଷ୍ଟମ୍କୁ ସମନ୍ୱୟ କରିବାକୁ ପଡ଼ିପାରେ। ଜରୁରୀ ପରିସ୍ଥିତିରେ ସେବା ଯେପରି ବନ୍ଦ ନହୁଏ, ସେଥିପାଇଁ ବିକଳ୍ପ ବ୍ୟବସ୍ଥା ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

1 hour ago
1


