ARTICLE AD BOX
ରାଉରକେଲା: ଖଣ୍ଡାଧାର କୁରମିତ୍ତର ଲୌହଖଣି ପରିବହନକୁ କେନ୍ଦ୍ରକରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ବାଗୁନ ଗାଗରାଇ ଓ ଅନ୍ୟ ଗାଡ଼ିମାଲିକ ହୃଷୀକେଶ ମହାନ୍ତଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ବାଗୁନ୍ ଗାଗରାଇ, ସନ୍ତୋଷ ବାରୁଆ ଓ ତାଙ୍କର ଅନ୍ୟ ସହଯୋଗୀ ହୃଷୀକେଶକୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଏନେଇ ହୃଷୀକେଶ ଲହୁଣିପଡା ଥାନାରେ ଲିଖିତ ଏତଲାଦେଇଛନ୍ତି। ଲିଖିତ ଅଭିଯୋଗ ଆଧାରରେ ପୁଲିସ ଲହୁଣିପଡା ବରସୁଆଁର ଜୁଏଲଙ୍କ ଖଣି ପ୍ରତିନିଧି ବାଗୁନ୍ ଗାଗରାଇ ତାଙ୍କ ଦୁଇ ସହଯୋଗୀ ସନ୍ତୋଷ ବାରୱା ଓ ସୁରୋଜ କିସାନଙ୍କ ନାଁରେ ମାମଲା ରୁଜୁ କରିଛି। ସେମିତି ବାଗୁନ୍ଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଲହୁଣିପଡା ବଳଡିହ ଗ୍ରାମର ହୃଷୀକେଶ ମହାନ୍ତଙ୍କ ନାଁରେ ମଧ୍ୟ ଆଉ ଏକ ମାମଲା ରୁଜୁ କରିଛି। ହୃଷୀକେଶ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବାଗୁନ୍ ଗାଗରାଇ ତାଙ୍କ ଘରକୁ ଯାଇ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ମୋବାଇଲ ୱାଟ୍ସ୍ଆପ୍ ନମ୍ବରରେ ଅଶ୍ଳୀଳ ଭାଷାରେ ମେସେଜ୍ ଲେଖି ଧମକଚମକ ଦେଇଛନ୍ତି।
ସୁନ୍ଦରଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି
ସେମିତି ବାରୱା ଏଣ୍ଟରପ୍ରାଇଜେସ୍ର ମାଲିକ ତଥା ବାଗୁନ ଗାଗରାଇଙ୍କ ସହଯୋଗୀ ସନ୍ତୋଷ ବରୱା ହୃଷୀକେଶ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ବୋଲେରୋ ଗାଡ଼ିରେ କିଛି ବ୍ୟକ୍ତି ବରସୁଆଁ ଅଞ୍ଚଳରେ ତାଙ୍କୁ ମାରିଦେବାକୁ ଖୋଜୁଛନ୍ତି। ମୁଁ ଓ ମୋ ପରିବାରର ଜୀବନ ଓ ସୁରକ୍ଷା ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ସେ ପୁଲିସକୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ବାଗୁନ୍ ତାଙ୍କୁ ହୃଷୀକେଶ ଗାଳିଗୁଲଜ କରିବା ସହ ମଧ୍ୟ ଧମକଚମକ ଦେଉଥିବା ପାଲଟା ଅଭିଯୋଗ କରିଛନ୍ତି। ପୁଲିସ ଉଭୟ ଘଟଣାର ତଦନ୍ତ ଚଳାଇଛି। ଜୁଏଲ ଓରାମଙ୍କ ଆର୍ଏମ୍ସି ପ୍ରତିନିଧି ପ୍ରକାଶ ପାଶ୍ବାନ ଗିରଫ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ଖଣ୍ଡାଧାର କୁରମିତ୍ତର ଲୌହଖଣି ପ୍ରତିନିଧି ବାଗୁନ୍ ଗାଗରାଇଙ୍କ ଧମକ ଘଟଣା ସୁନ୍ଦରଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି।

4 days ago
3


