ARTICLE AD BOX
ତେହେରାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟର ପାଲଟା ଜବାବ ଇରାନ ଦେଇଛି। ଟ୍ରମ୍ପ କହିଥିଲେ ଯେ, ୧୯୭୯ ମସିହାର ଇସଲାମିକ ବିପ୍ଳବ ପରଠାରୁ ଇରାନ ଆମେରିକା ସହ ଯୁଦ୍ଧରେ ଲିପ୍ତ ଅଛି। ଇରାନ ଟ୍ରମ୍ପଙ୍କ ବିବୃତି ନେଇ କଡ଼ା ପ୍ରତିକ୍ରିୟା ଦେଇ କହିଛି ଯେ,ଆମେରିକା ମନଗଢ଼ା ଭ୍ରାମକ କାହାଣୀ ପ୍ରସାର କରି ଇରାନ ବିରୋଧରେ ସାମରିକ ଆକ୍ରମଣ କରିଥିବାର ଉତ୍ତରଦାୟିତ୍ୱରୁ ଏଡାଇବାକୁ ଚେଷ୍ଟା କରୁଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଲେଖିଛନ୍ତି, ଆମେରିକୀୟ ଅଧିକାରୀମାନେ ଇରାନ ବିରୋଧରେ କରାଯାଇଥିବା ସେମାନଙ୍କର ବେଆଇନ ଆକ୍ରମଣର ଉତ୍ତରଦାୟିତ୍ୱରୁ ବଞ୍ଚିବା ପାଇଁ ଏବେ ଏକ ନୂଆ କାହାଣୀ ଆଣିଛନ୍ତି। ଇରାନ ସହ ଆମେରିକା ଯୁଦ୍ଧ ଆରମ୍ଭ କରିନାହିଁ, ବରଂ ଇରାନବାସୀ ଏହାକୁ ୧୯୭୯ ବିପ୍ଳବରୁ ଏହା ଆରମ୍ଭ କରିଥିଲେ।
୧୯୭୯ ଇରାନ ବିପ୍ଳବ ଦେଶର ସାର୍ବଭୌମତ୍ୱ, ସ୍ୱାଧୀନତା ଏବଂ ମର୍ଯ୍ୟାଦା ଫେରି ପାଇବା ବିଷୟରେ ଥିଲା, କିନ୍ତୁ ଆମେରିକା ୧୯୫୩ ୪ମତା ଦଖଲ ଷଡ଼ଯନ୍ତ୍ରକୁ ଭୁଲିଯାଇଛି। କିନ୍ତୁ ତାହା ଏବେ ବି ଇରାନ ଲୋକଙ୍କ ମନରେ ତାଜା ହୋଇ ରହିଛି ବୋଲି ବାଘାଇ କହିଛନ୍ତି।
ବାଘାଇ ଅଭିଯୋଗ କରିଛନ୍ତି ଯେ, ଇରାନ ବିରୋଧରେ ଆମେରିକା ବାରମ୍ବାର ସାମରିକ ଆକ୍ରମଣ କରିଛି , ଏବଂ ଦୁଇ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ଚାଲିଥିବା ବେଳେ ମଧ୍ୟ, ଆମେରିକା ନଅ ମାସରୁ କମ୍ ସମୟ ମଧ୍ୟରେ ଦୁଇ ଥର ଆକ୍ରମଣ କରିଛି। ସେ ଅଭିଯୋଗ କରିଛନ୍ତି, ଆମେରିକାର ଆକ୍ରମଣ ଫଳରେ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନି ଏବଂ ବରିଷ୍ଠ ଇରାନୀ ଅଧିକାରୀଙ୍କ ହତ୍ୟା, ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନଷ୍ଟ ହୋଇଛି।
ଇରାନ ବିରୋଧରେ ଆମେରିକା ଆକ୍ରମଣ ଆରମ୍ଭ କରିଥିଲା: ବାଘାଇ
ଇରାନ କହିଛି, ଆମେରିକା ସହିତ ମୁକାବିଲାର କାହାଣୀ ୧୯୭୯ ମସିହାଠାରୁ ମଧ୍ୟ ପୁରୁଣା। ଏଥିରେ ୧୯୫୩ ମସିହାରେ ସିଆଇଏ-ସମର୍ଥିତ ବିପ୍ଳବ, ଆଠ ବର୍ଷର ଇରାନ-ଇରାକ ଯୁଦ୍ଧ ସମୟରେ ସଦ୍ଦାମ ହୁସେନଙ୍କୁ ଆମେରିକାର ସମର୍ଥନ, ଗୁପ୍ତଚର, ସାମରିକ ଏବଂ ଆର୍ଥିକ ସହାୟତା ଏବଂ ଇରାନ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାରରେ ତତ୍କାଳୀନ ରୋନାଲ୍ଡ ରିଗାନ ପ୍ରଶାସନର ସମ୍ପୃକ୍ତି ରହିଥିଲା। ଆମେରିକା ଜୁଲାଇ ୧୯୮୮ରେ ପାରସ୍ୟ ଉପସାଗର ଉପରେ ଏକ ବେସାମରିକ ବିମାନକୁ ଗୁଳି କରି ଖସାଇ ଦେଇଥିବା ଇରାନ ଅଭିଯୋଗ କରିଛି। ବିମାନରେ ଥିବା ୨୯୦ ଜଣ ପ୍ରାଣ ହରାଇଥିଲେ। ଇରାନ ଆମେରିକାର ଆର୍ଥିକ କଟକଣା, ଇରାନ ସହିତ ଆଲୋଚନାରୁ ଆମେରିକାର ଏକପାଖିଆ ପ୍ରତ୍ୟାହାର ଏବଂ ଇରାନୀ ସାମରିକ କମାଣ୍ଡର କାସେମ ସୋଲେମାନୀଙ୍କ ହତ୍ୟା ଘଟଣାର ଉଲ୍ଲେଖ କରି ବାଘାଇ କହିଛନ୍ତି ଯେ, ଇରାନ ବିରୋଧରେ ଆମେରିକା ଆକ୍ରମଣ ଆରମ୍ଭ କରିଥିଲା। ମିଛ କହି ଆମେରିକା ସାମରିକ ଆକ୍ରମଣର ଉତ୍ତରଦାୟିତ୍ୱରୁ ଖସି ଯାଇପାରିବ ନାହିଁ।
Tankers Fire: ହର୍ମୁଜ୍ରେ ସମୁଦ୍ର ମାଇନ୍ସ ବିସ୍ଫୋରଣରେ ୩ ଟ୍ୟାଙ୍କରରେ ଲାଗିଲା ନିଆଁ

11 minutes ago
1


