ARTICLE AD BOX
ପ୍ୟାରିସ: ଫ୍ରାନ୍ସର ପୂର୍ବତନ ନୌସେନା ପାଇଲଟ୍ ପ୍ୟାରି-ହେନରି ଚୁଏଟ୍ଙ୍କ ବିରୋଧରେ ଚୀନ୍ ପାଇଁ ଗୁପ୍ତଚରଗିରି ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଛି। ସେ ଚୀନ୍ର ସ୍ବାର୍ଥରେ ସମ୍ବେଦନଶୀଳ ସାମରିକ ତଥ୍ୟ ସଂଗ୍ରହ ଓ ପ୍ରଦାନ କରିଥିବା ସନ୍ଦେହରେ ଫ୍ରାନ୍ସର ତଦନ୍ତକାରୀ ସଂସ୍ଥା ତାଙ୍କୁ ନ୍ୟାୟିକ ତଦନ୍ତ ଅଧୀନକୁ ଆଣିଛି। ଭାରତର ‘ଅପରେସନ୍ ସିନ୍ଦୂର’ ସମୟରେ ଭାରତୀୟ ବାୟୁସେନା ରାଫେଲ ଯୁଦ୍ଧବିମାନ ହରାଇଥିବା ନେଇ ସେ ଦାବି କରିଥିଲେ, ଯାହା କି ମିଛ ଥିଲା। ସେ ଚୀନ୍ର ଯୁଦ୍ଧ ବିମାନ ଜେ-୧୦ସି ଓ ଜେଏଫ୍-୧୭ର ପ୍ରଶଂସା କରିବା ସହ ଏଗୁଡ଼ିକୁ ‘ରାଫେଲ-କିଲର’ ଭାବେ ଅଭିହିତ କରିଥିଲେ।
ରିପୋର୍ଟ ଅନୁସାରେ, ଚୁଏଟ୍ ପୂର୍ବରୁ ଫ୍ରାନ୍ସ ନୌସେନାରେ ରାଫେଲ ଯୁଦ୍ଧବିମାନ ଉଡ଼ାଉଥିଲେ। ଅବସର ପରେ ସେ ଏକ ବେସରକାରୀ ପ୍ରତିରକ୍ଷା ପରାମର୍ଶଦାତା ଭାବେ କାମ କରୁଥିଲେ। ତଦନ୍ତକାରୀ ସଂସ୍ଥାଙ୍କ ସନ୍ଦେହ ଯେ, ସେ ଏକାଧିକ ଥର ଚୀନ୍ ଗସ୍ତ କରି ସେଠାରେ ସାମରିକ ପ୍ରଶିକ୍ଷଣ ଓ ଅନ୍ୟ କାର୍ଯ୍ୟକଳାପରେ ଜଡ଼ିତ ଥିଲେ। ଏହି ସମୟରେ ସେ ରାଫେଲ ଯୁଦ୍ଧବିମାନର କ୍ଷମତା, କୌଶଳ ଓ ପରିଚାଳନା ସମ୍ବନ୍ଧୀୟ ସମ୍ବେଦନଶୀଳ ସୂଚନା ଚୀନ୍କୁ ଦେଇଥିବା ଆଶଙ୍କା କରାଯାଉଛି।
Diplomatic Protest: ଚୀନ୍ର ବିରଳ ନୌସେନା ଅଭ୍ୟାସକୁ ନେଇ ଜାପାନର ଆପତ୍ତି
ଏହି ମାମଲାର ଗୁରୁତ୍ୱ ଆହୁରି ବଢ଼ିଯାଇଛି, କାରଣ ଭାରତ ‘ଅପରେସନ୍ ସିନ୍ଦୂର’ରେ ରାଫେଲ ଯୁଦ୍ଧବିମାନ ବ୍ୟବହାର କରିବା ପରେ ଏହାର କ୍ଷମତାକୁ ନେଇ ବିଭିନ୍ନ ପ୍ରଚାର ଚାଲିଥିଲା। ଏହା ପୂର୍ବରୁ ଫ୍ରାନ୍ସର ଗୁପ୍ତଚର ସଂସ୍ଥା ଦାବି କରିଥିଲା ଯେ, ଚୀନ୍ ନିଜର ଦୂତାବାସଗୁଡ଼ିକ ମାଧ୍ୟମରେ ରାଫେଲର ଛବିକୁ କ୍ଷୁଣ୍ଣ କରିବା ସହ ଏହାର ବିଶ୍ୱ ବଜାରକୁ ପ୍ରଭାବିତ କରିବା ପାଇଁ ଅପପ୍ରଚାର ଚଳାଇଥିଲା। ତେବେ ବର୍ତ୍ତମାନର ମାମଲା ସେହି ଅପପ୍ରଚାରଠାରୁ ଭିନ୍ନ। ଏଠାରେ ଜଣେ ପୂର୍ବତନ ରାଫେଲ ପାଇଲଟ୍ ସିଧାସଳଖ ଚୀନ୍ ପାଇଁ ଗୁପ୍ତଚର କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗର ତଦନ୍ତ ଚାଲିଛି। ଫ୍ରାନ୍ସ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ଅଭିଯୋଗ ସାବ୍ୟସ୍ତ ହୋଇଥିବା କଥା କହିନାହାନ୍ତି। ତେବେ ମାମଲାର ତଦନ୍ତ ଜାରି ରହିଛି ଏବଂ ଜାତୀୟ ସୁରକ୍ଷା ସହ ଜଡ଼ିତ ଥିବାରୁ ଏହାକୁ ଫ୍ରାନ୍ସ ଅତ୍ୟନ୍ତ ଗୁରୁତ୍ୱର ସହ ଦେଖୁଛି।

3 hours ago
2


