ARTICLE AD BOX
ନୂଆଦିଲ୍ଲୀ: ଚଳିତ ହକି ବିଶ୍ବକପ୍ରେ ଭାରତୀୟ ଦଳର ବିପର୍ଯ୍ୟୟକୁ ନେଇ ଏବେ ଖେଳପ୍ରେମୀଙ୍କ ମନରେ ବଡ଼ କ୍ଷୋଭ ଓ ଅସନ୍ତୋଷ ଦେଖା ଦେଇଛି। କ୍ରମାଗତ ଭାବେ ଅଲିମ୍ପିକ୍ ପୋଡିୟମ୍ ଫିନିସ୍ କରିବା ସତ୍ତ୍ବେ ଭାରତୀୟ ପୁରୁଷ ଦଳ ବିଶ୍ବକପ୍ ବେଳକୁ କାହିଁକି ବିଫଳ ହେଉଛି ବୋଲି ପୁଣି ପ୍ରଶ୍ନ ଉଠିଛି। ଦୀର୍ଘ ୫୧ ବର୍ଷ ଧରି ବିଶ୍ବକପ୍ ପଦକଠାରୁ ଦୂରରେ ରହିଛି ବିଶ୍ବ ହକିର ସବୁଠୁ ସଫଳ ଦେଶ ଭାରତ। ପୁରୁଷ ଦଳ ଭଳି ମହିଳା ଦଳ ମଧ୍ୟ ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିପାରିନାହିଁ। ତେବେ ପୁରୁଷ ଦଳର ଅପ୍ରତ୍ୟାଶିତ ବିପର୍ଯ୍ୟୟ ପାଇଁ ବଡ଼ ତ୍ରୁଟିକୁ ଦାୟୀ କରିଛନ୍ତି ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍। ଶେଷ ପୁଲ୍ ମ୍ୟାଚ୍ରେ ଆର୍ଜେଣ୍ଟିନାଠାରୁ ୫-୩ ପରାଜୟ ପରେ ଭାରତୀୟ ପୁରୁଷ ଦଳ ସେମିଫାଇନାଲ୍ ପୂର୍ବରୁ ବିଦାୟ ନେବା ନିଶ୍ଚିତ ହୋଇଥିଲା। ଏହା ପରେ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ ସ୍ବୀକାର କରିଛନ୍ତି ଦଳ ବଡ଼ ତ୍ରୁଟି କାରଣରୁ ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।
'ଏହା ସବୁଠାରୁ କଷ୍ଟକର ଦିନ ଥିଲା': ଫୁଲଟନ୍
ମନ୍ଥର ଆରମ୍ଭ ଏବଂ ଚାପ ପରିସ୍ଥିତିକୁ ମୁକାବିଲା କରିବାରେ ଦଳର ଅକ୍ଷମତା କାରଣରୁ ପରାଜୟ ପରେ ପରାଜୟ ବରଣ କରିବାକୁ ପଡ଼ିଲା ବୋଲି ଫୁଲଟନ୍ କହିଛନ୍ତି। ସେହିଭଳି ଫରୱାର୍ଡ ସୁଖଜିତ୍ ସିଂହ କହିଛନ୍ତି ରକ୍ଷଣଭାଗରେ ତ୍ରୁଟି ଏବଂ ପ୍ରଥମରୁ ଗୋଲ୍ ବରଣ କରିବା କାରଣରୁ ଏହି ଜଟୀଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯୋଗ୍ୟତା ଅର୍ଜନ ପାଇଁ ଲାଗି ରହୁଥିବା ହିସାବ ନିକାଶ ବି ଅତିିରିକ୍ତ ଚାପ ସୃଷ୍ଟି କରୁଥିଲା ବୋଲି ଫୁଲଟନ୍ କହିଛନ୍ତି। ପେନାଲ୍ଟି କର୍ଣ୍ଣରରୁ ସୁଫଳ ମିଳିବା ସତ୍ତ୍ବେ ରକ୍ଷଣତ୍ମକ ଭୁଲ ଆର୍ଜେଣ୍ଟିନା ବିପକ୍ଷ ପରାଜୟ ପଛରେ ମୁଖ୍ୟ କାରଣ ବୋଲି ସେ କହିଥିଲେ।'ଏହା ସବୁଠାରୁ କଷ୍ଟକର ଦିନ ଥିଲା'। ଆମେ ଏଭଳି ଭାବେ ଅଭିଯାନ ଶେଷ କରିବାକୁ ଚାହୁଁନଥିଲୁ।
ପ୍ରଥମ କ୍ବାର୍ଟରରୁ ଦୁର୍ବଳ ଆରମ୍ଭ ମିଳିଥିଲୁ। କିନ୍ତୁ ଦ୍ବିତୀୟ କ୍ବାର୍ଟର ଉନ୍ନତ ଥିଲା। ତୃତୀୟ କ୍ବାର୍ଟର ମଧ୍ୟ ସେଭଳି ଭଲ ବିତିନଥିଲା। ଶେଷ କ୍ବାର୍ଟରରେ ସେମାନେ ୩ ଗୋଲ୍ ଲଦିଦେଇଥିଲେ। ମୋଟାମୋଟି ଭାବେ ଏହା ଏକ ଆଶ୍ଚର୍ଯ୍ୟଚକିତ ଗେମ୍ ଥିଲା। ଆମେ ବଡ଼ ଟୁର୍ଣ୍ଣାମେଣ୍ଟ୍ ଓ ବଡ଼ ମୁକାବିଲାରେ ଉନ୍ନତ ଖେଳିବାର ଆବଶ୍ୟକତା ରହିଛି’ ବୋଲି କହିଥିଲେ ଫୁଲଟନ୍। ସେହିଭଳି ସୁଖଜିତ କହିଥିଲେ ‘ସେମିଫାଇନାଲ୍ ପହଞ୍ଚିବା ପାଇଁ ଆମ ନିକଟରେ ଏହା ଶେଷ ସୁଯୋଗ ଥିଲା। ଆମେ କିନ୍ତୁ ରକ୍ଷଣଭାଗରେ ସାଧାରଣ ଭୁଲ କରିଥିଲୁ ଏବଂ ଗୋଲ ଦେବାରେ ବିଫଳ ହୋଇଥିଲୁ। ପ୍ରଥମ ମିନିଟରେ ଗୋଲ୍ ବରଣ କରିବା ନିଶ୍ଚିତ ଚାପ ସୃଷ୍ଟି କରିଥିଲା। ପ୍ରତ୍ୟାବର୍ତନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସହଜ ନଥିଲା। ଆରମ୍ଭରୁ ଆମେ ଅଳସୁଆ ଥିଲୁ, ଏ କ୍ଷେତ୍ରରେ କାମ କରିବା ଉଚିତ୍। ମୋଟ ଉପରେ ଆମେ କିନ୍ତୁ ଏଥର ପେନାଲ୍ଟି କର୍ଣ୍ଣରରେ ଭଲ କରିଥିଲୁ, ଷ୍ଟ୍ରାଇକର୍ସ ମାନେ ମଧ୍ୟ କିଛି ଫିଲ୍ଡ ଗୋଲ୍ କରିପାରିଥିଲେ। କିନ୍ତୁ ଡିଫେନ୍ସରେ ଭୁଲ କରିବା ମହଙ୍ଗା ପଡ଼ିଲା’ ବୋଲି ଆର୍ଜେଣ୍ଟିନା ବିପକ୍ଷରେ ୨ ଗୋଲ୍ ଦେଇଥିବା ସୁଖଜିତ କହିଥିଲେ।

1 hour ago
1


