ARTICLE AD BOX
ଜାତିସଂଘ: ଆଞ୍ଚଳିକ ଓ ଉପଆଞ୍ଚଳିକ ସ୍ତରରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପାଇଁ ପାକିସ୍ତାନ ଓ ବେଲାରୁଷ୍ ଆଣିଥିବା ଏକ ପ୍ରସ୍ତାବକୁ ଭାରତ ଓ ଇସ୍ରାଏଲ୍ ବିରୋଧ କରିଛନ୍ତି। ଜାତିସଂଘ ମହାସଭାର ପ୍ରଥମ କମିଟିରେ ସୋମବାର ଏହି ପ୍ରସ୍ତାବ ଉପରେ ଭୋଟ୍ ହୋଇଥିଲା। ୧୮୦ଟି ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ଭାରତ ଓ ଇସ୍ରାଏଲ୍ ବିପକ୍ଷରେ ଭୋଟ୍ ଦେଇଥିଲେ। କୌଣସି ଦେଶ ଭୋଟ୍ଦାନରୁ ବିରତ ରହିନଥିଲେ।
ଭାରତ ପକ୍ଷରୁ ଏହି ନିଷ୍ପତ୍ତିର କାରଣ ଦର୍ଶାଇ ଜାତିସଂଘରେ ଭାରତୀୟ ସ୍ଥାୟୀ ମିସନର ପ୍ରଥମ ସଚିବ ଅନମୋଲ ଶେର୍ ବେଦୀ କହିଥିଲେ ଯେ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ। ଏହାକୁ କେବଳ ଆଞ୍ଚଳିକ କିମ୍ବା ଉପଆଞ୍ଚଳିକ ଢାଞ୍ଚା ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ। ଭାରତ ନିଜର ପୂର୍ବ ଆଭିମୁଖ୍ୟ ଅନୁଯାୟୀ ଏହି ପ୍ରସ୍ତାବକୁ ବିରୋଧ କରିଥିବା ସେ ସ୍ପଷ୍ଟ କରିଥିଲେ। ବେଦୀ କହିଥିଲେ ଯେ ଦେଶଗୁଡ଼ିକର ସୁରକ୍ଷା ସମ୍ପର୍କିତ ଚିନ୍ତା କେବଳ ନିଜ ଅଞ୍ଚଳର ସୀମା ମଧ୍ୟରେ ରହେ ନାହିଁ। ଭାରତର ସୁରକ୍ଷା ସମ୍ପର୍କିତ ଆବଶ୍ୟକତା ଏହାର ଭୌଗୋଳିକ ଅଞ୍ଚଳଠାରୁ ଅଧିକ ବ୍ୟାପକ ବୋଲି ତାଙ୍କ ଯୁକ୍ତି ଥିଲା।
Agreement: ମକ୍କା ଚୁକ୍ତିରେ ଇରାନର ଯୋଗଦେବା ଉପରେ ପାକିସ୍ତାନ ସେନାର ବଡ଼ ବିବୃତି: କାହା ପାଇଁ ଦ୍ୱାର ବନ୍ଦ ନାହିଁ
ଏହି ପ୍ରସ୍ତାବରେ ଜାତିସଂଘର ନିରସ୍ତ୍ରୀକରଣ କମିସନ୍କୁ ଆଞ୍ଚଳିକ ଅସ୍ତ୍ର ନିୟନ୍ତ୍ରଣ ରାଜିନାମା ପାଇଁ ନୀତି ଓ ମାର୍ଗଦର୍ଶିକା ପ୍ରସ୍ତୁତିର ସମ୍ଭାବନା ଅନୁଧ୍ୟାନ କରିବାକୁ କୁହାଯାଇଥିଲା। ଏହାକୁ ନେଇ ମଧ୍ୟ ଭାରତ ପ୍ରଶ୍ନ ଉଠାଇଛି। ବେଦୀଙ୍କ ଅନୁଯାୟୀ, ଏହି କମିସନ୍ ୧୯୯୩ରେ ଆଞ୍ଚଳିକ ନିରସ୍ତ୍ରୀକରଣ, ୧୯୯୯ରେ ପାରମ୍ପରିକ ଅସ୍ତ୍ର ନିୟନ୍ତ୍ରଣ ଓ ନିରସ୍ତ୍ରୀକରଣ ଏବଂ ୨୦୧୭ରେ ପାରମ୍ପରିକ ଅସ୍ତ୍ର କ୍ଷେତ୍ରରେ ବିଶ୍ୱାସ ବୃଦ୍ଧିକାରୀ ପଦକ୍ଷେପ ସମ୍ପର୍କରେ ସର୍ବସମ୍ମତ ନିଷ୍ପତ୍ତି ନେଇସାରିଛି। ତେଣୁ ସମାନ ବିଷୟ ଉପରେ ପୁଣି ଆଲୋଚନାର ଆବଶ୍ୟକତା କ’ଣ ବୋଲି ଭାରତ ପ୍ରଶ୍ନ କରିଛି। ଭାରତ ଏହି ପ୍ରସ୍ତାବରେ ଦକ୍ଷିଣ ଏସିଆରେ ପାରମ୍ପରିକ ଅସ୍ତ୍ର ନିୟନ୍ତ୍ରଣ ସମ୍ପର୍କିତ ପଦକ୍ଷେପଗୁଡ଼ିକର ଉଲ୍ଲେଖ ଥିବା ଏକ ଅନୁଚ୍ଛେଦକୁ ମଧ୍ୟ ପୃଥକ୍ ଭାବେ ବିରୋଧ କରିଛି। ପ୍ରଥମ କମିଟିରେ ଅନୁମୋଦିତ ଏହି ପ୍ରସ୍ତାବ ଏବେ ଜାତିସଂଘ ମହାସଭାର ବିଚାର ପାଇଁ ଯିବ।

59 minutes ago
2


