ARTICLE AD BOX
ନିଶିନ: ଦୁଇ ଚିରପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଶନିବାର ଚଳିତ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍ ଫାଇନାଲ୍ରେ ମୁହାଁମୁହିଁ ହେବେ। ଗତ ସଂସ୍କରଣ ବିଜେତା ଭାରତ ସେମିଫାଇନାଲ୍ରେ ଶ୍ରୀଲଙ୍କାକୁ ହରାଇ ଏଠାରେ ପହଞ୍ଚି। ସେହିପରି ବାଂଲାଦେଶକୁ ହରାଇ ପାକିସ୍ତାନ ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଉଭୟ ଦଳ ସିଧାସଳଖ କ୍ବାର୍ଟରଫାଇନାଲ୍କୁ ଯୋଗ୍ୟତା କରିଥିଲେ। ୪ଟି ଯାକ କ୍ବାର୍ଟରଫାଇନାଲ୍ ବର୍ଷା ଯୋଗୁଁ ବାତିଲ ହୋଇଯିବାରୁ ଉଭୟ ସେମିଫାଇନାଲ୍ରେ ସହଜରେ ପହଞ୍ଚିଥିଲେ। ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ୧୩ ଓଭରିଆ ଖେଳାଯାଇଥିଲା। ବାଂଲାଦେଶକୁ ୧୧୧/୭ରେ ଅଟକାଇବା ପରେ ସାହିବଜାଦା ଫର୍ହାନଙ୍କ ନେତୃତ୍ବାଧୀନ ପାକିସ୍ତାନ ୧୧.୩ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା।
ଭାରତର ରେକର୍ଡ ଭଲ ରହିଛି
ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଈଶାନ କିଶନଙ୍କ ଅପରାଜିତ ୮୦ (୪୬ ବଲ୍) ରନ୍ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୬୯/୭ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ୩୮ ରନ୍ କରିଥିଲେ। ଏହାପରେ ଭାରତୀୟ ବୋଲରଙ୍କ ଚମକ ଯୋଗୁଁ ଶ୍ରୀଲଙ୍କା ପାୱାରପ୍ଲେ ଭିତରେ ୩୩/୬ରେ ସଂଘର୍ଷ କରିଥିଲା ବେଳେ ଶେଷରେ ୪୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ଶ୍ରେୟସ ଆୟରଙ୍କ ଦଳ ୧୨୪ ରନ୍ରେ ବଡ଼ ବିଜୟ ହାସଲ କରିଥିଲା। ଟ୍ବେଣ୍ଟି-୨୦ରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ ଭଲ ରହିଛି। ଉଭୟ ଦଳ ୧୭ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୧୪ଟି ଜିତିଥିଲା ବେଳେ ପାକିସ୍ତାନ କେବଳ ୩ଟି ଜିତିଛି। ଗତ ୬ ମ୍ୟାଚ୍ରେ ବି ଭାରତକୁ ପାକିସ୍ତାନ ହରାଇ ପାରିନି। ଶେଷ ଥର ଲାଗି ଉଭୟ ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମୁହାଁମୁହିଁ ହୋଇଥିଲା ବେଳେ ଈଶାନଙ୍କ ୭୭ ରନ୍ ବଳରେ ଭାରତ ସହଜରେ ମ୍ୟାଚ୍ ଜିତି ନେଇଥିଲା। ଉଭୟ ଦଳ ଶନିବାର ଫାଇନାଲ୍ରେ ପୂର୍ବ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା କମ୍ ରହିଛି। ଫାଇନାଲ୍ ମ୍ୟାଚ୍ ପୂର୍ବରୁ କାଂସ୍ୟ ମୁକାବିଲାରେ ଶ୍ରୀଲଙ୍କା ଓ ବାଂଲାଦେଶ ମୁହାଁମୁହିଁ ହେବେ।
ଫାଇନାଲ୍ ମ୍ୟାଚ୍ ବାତିଲ ହେଲେ କ’ଣ ହେବ
ଗତ ସଂସ୍କରଣ ଭଳି ସ୍ବର୍ଣ୍ଣ ପଦକ ମୁକାବିଲା ବାତିଲ ହେଲେ ଉନ୍ନତ ମାନ୍ୟତା ଦଳକୁ ସ୍ବର୍ଣ୍ଣ ଦେବାର ନିୟମ ଏଥର ନାହିଁ। ଗତ ସଂସ୍କରଣରେ ଭାରତ-ଆଫ୍ଗାନିସ୍ତାନ ଫାଇନାଲ୍ ମ୍ୟାଚ୍ ବାତିଲ ହେବାରୁ ଭାରତ ଉଚ୍ଚ ମାନ୍ୟତାରେ ଥିବାରୁ ସ୍ବର୍ଣ୍ଣ ପାଇଥିଲା। ହେଲେ ଏଥର ଯଦି ବର୍ଷା ଯୋଗୁଁ ସ୍ବର୍ଣ୍ଣ ପଦକ ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ ହୁଏ ତେବେ ଉଭୟ ଦଳ ମିଳିତ ଭାବେ ସ୍ବର୍ଣ୍ଣ ପଦକ ପାଇବେ। ମ୍ୟାଚ୍ ଯଦି ଖେଳାଯିବା ସମ୍ଭବ ହେବନି ଶେଷରେ ବିଜେତା ନିର୍ଦ୍ଧାରଣ ପାଇଁ ‘ସୁପର ଓଭର୍’ ଖେଳାଯିବ। ଏହା ଯଦି ସମ୍ଭବ ନ ହେବ ତେବେ ଉଭୟ ଦଳ ସ୍ବର୍ଣ୍ଣ ପାଇବେ।
ପାଣିପାଗ ପୂର୍ବାନୁମାନ
ସ୍ବର୍ଣ୍ଣ ଓ କାଂସ୍ୟ ପଦକ ନିଦ୍ଧାରଣ ପାଇଁ ନିଶିନର ପାଣିପାଗ ଅନୁକୂଳ ରହିବାର ସମ୍ଭାବନା ରହିଛି। ଶନିବାର ବର୍ଷା ହେବାର ସମ୍ଭାବନା ମାତ୍ର ୧ ପ୍ରତିଶତ ରହିଥିଲା ବେଳେ ତାପମାତ୍ରା ୧୬ ରୁ ୨୭ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ବୋଲି ସେଠାକାର ପାଣିପାଗ ପକ୍ଷରୁ ସୂଚନା ମିଳିଛି।
ସମ୍ଭାବ୍ୟ ଭାରତୀୟ ଦଳ: ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ସଞ୍ଜୁ ସାମ୍ସନ (ୱିକେଟ୍କିପର), ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍ରା।
Asian Games: ସିପକ୍ଟାକ୍ରରୁ ଭାରତକୁ କାଂସ୍ୟ
ସମ୍ଭାବ୍ୟ ପାକିସ୍ତାନ ଦଳ: ସାହିବଜାଦା ଫର୍ହାନ (ଅଧିନାୟକ), ମାଜ ସାଦକତ୍, ଉସ୍ମାନ ଖାନ (ୱିକେଟ୍କିପର), ସୈମ ଆୟୁବ, ହାସନ ନୱାଜ, ଅବଦୁଲ ସାମଦ, ଅରାଫତ ମିନ୍ହାସ, ଅହମଦ ଡାନିିୟଲ, ମହମ୍ମଦ ୱାସିମ, ସୁଫିୟାଁ ମୋକିମ, ଆବ୍ରାର ଅହମଦ।

1 hour ago
2


