ARTICLE AD BOX
ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳ ରତ୍ନଗର୍ଭା। ମାଟିତଳେ ରହିଛି କୋଟି କୋଟି ଟଙ୍କାର ଲଘୁଜାତ ଖଣିଜ ପଦାର୍ଥ କଳାମୁଗୁନି ଓ ମାଙ୍କଡା ପଥର। ଲଘୁଜାତ ଖଣିଜ ପଦାର୍ଥ ଦାଇତ୍ୱ ରାଜସ୍ବ ବିଭାଗ ହାତରୁ ଖଣି ବିଭାଗ ହାତକୁ ଚାଲିଯାଇଛି। କିନ୍ତୁ ନୟାଗଡ଼ ଜିଲ୍ଲାରେ ଜଣେ ଖଣି ଅଧିକାରୀ ସହ ଦୁଇଟି ତହସିଲ ପାଇଁ ଜଣେ ସହକାରୀ ଖଣି ଅଧିକାରୀ ସୀମିତ ସମ୍ବଳକୁ ନେଇ ଚାଲିଛି ଖଣି ବିଭାଗ। ରାଜସ୍ବ ଜମିରେ ଚାଲିଥିବା ଖଣିକୁ ତହସିଲଦାର ଓ ବନାଞ୍ଚଳରେ ଚାଲିଥିବା ଖଣିକୁ ରେଞ୍ଜର ଧରି ପାରିବେ ତାସହ ଚୋରା ଲଘୁଜାତ ଖଣିଜ ପଦାର୍ଥ ଚାଲାଣକୁ ଧରି ପାରିବ ପୁଲିସ ବୋଲି କୁହନ୍ତି ଖଣି ଅଧିକାରୀ ଜିତେନ୍ଦ୍ର କୁମାର ହାଁସଦା । କିନ୍ତୁ ଖଣି ବିଭାଗ ଉପରେ ଦୋଷ ଲଦି ସମସ୍ତେ ହାତ ଚିକ୍କଣରେ ବ୍ୟସ୍ତ ଥିବାବେଳେ ଖଣି ମାଫିଆଙ୍କ ଉତ୍ପାତ ବଢ଼ିବାରେ ଲାଗିଛି।
ଲୁହାଛଡ଼ ସହ ମରଣାସ୍ତ୍ର ଧରି ଚୋରା ଖଣି ମାଫିଆଙ୍କ ସଙ୍ଘବଦ୍ଧ ଆକ୍ରମଣ
ଚୋରା ଖଣି ବିରୋଧୀ ଓ ଖଣି ମାଫିଆଙ୍କ ମଧ୍ୟରେ ମୁହାଁମୁହିଁ ଓ ସଂଘବଦ୍ଧ ଆକ୍ରମଣ ଯୋଗୁଁ ମଧ୍ୟ ଜୀବନହାନି ଘଟୁଛି। ସେଭଳି ଏକ ମରଣାନ୍ତକ ସଙ୍ଘବଦ୍ଧ ଆକ୍ରମଣ ଘଟିଛି ଚାନ୍ଦପୁର ଥାନା କେରଣ୍ଡାଟାଙ୍ଗୀ ଅଂଚଳରେ। ଆକ୍ରମଣର ଶିକାର ହୋଇଛନ୍ତି କେରଣ୍ଡାଟାଙ୍ଗୀ ସମିତି ସଭ୍ୟ ଶିଶିର କୁମାର ବଳିୟାରସିଂଙ୍କ ଭାଇ ଅମୀୟ କୁମାର ବଳିୟାରସିଂ। ଚୋରା ଖଣି ମାଫିଆମାନେ ଅଗଷ୍ଟ ୧୬ ତାରିଖ ବିଳମ୍ବିତ ସନ୍ଧ୍ୟାରେ ଲୁହାଛଡ଼ ସହ ମରଣାସ୍ତ୍ର ଧରି ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ପରିବାର ଲୋକ ଗୁରୁତର ଅବସ୍ଥାରେ ଅମୀୟଙ୍କୁ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତି କରିଥିଲେ। ଅମୀୟଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ରେଫର କରିଥିବା ଜଣା ପଡିଛି। ଏନେଇ ଆକ୍ରମଣରେ ଗୁରୁତର ଅମୀୟଙ୍କ ଭାଇ ସମିତି ସଭ୍ୟ ଶିଶିର ଅଭିଯୁକ୍ତମାନଙ୍କ ନାମରେ ଲିଖିତ ଅଭିଯୋଗ କରଥିବା ଜଣା ପଡିଛି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା, ପୂର୍ବ ଶତ୍ରୁତାରୁ ଆକ୍ରମଣ ବୋଲି ଚାନ୍ଦପୁର ଥାନା ନିରୀକ୍ଷକ ଅଭୟ ବେହେରା ସୂଚନା ଦେଇଛନ୍ତି। ସଂଘବଦ୍ଧ ଆକ୍ରମଣ ଘଟଣା ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି।

57 minutes ago
2


