ARTICLE AD BOX
ନୂଆଦିଲ୍ଲୀ: ବିଶ୍ବର ଅଧିକାଂଶ ଦେଶରେ ଗୃହ ନିର୍ମାଣ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ସୁଲଭ ଦରରେ ଘର ମିଳୁ ନଥିବାରୁ ବହୁ ଲୋକ ନିଜ ସାମର୍ଥ୍ୟ ବାହାରକୁ ଯାଇ ସଂକୀର୍ଣ୍ଣ ଓ କର୍ମସ୍ଥଳଠାରୁ ବହୁ ଦୂରରେ ଖରାପ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟା ୨୦୪୦ ପର୍ଯ୍ୟନ୍ତ ରହିବ। ଏହାଦ୍ବାରା ଉଭୟ ଯୁବବର୍ଗ ଓ ବୟସ୍କ ଲୋକମାନେ ପ୍ରଭାବିତ ହେବେ। ସେମାନଙ୍କ ସ୍ବାସ୍ଥ୍ୟ ଓ ସମ୍ପତ୍ତି ପ୍ରତି ବିପଦ ସୃଷ୍ଟି ହେବ ବୋଲି ବିଶ୍ବ ଅର୍ଥନୈତିକ ଫୋରମ୍ ଓ ମାର୍ଶ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ସୋସିଆଲ ହାଉସିଂ ଉପରେ ଧ୍ୟାନ ଦେବାକୁ ବିଭିନ୍ନ ଦେଶକୁ ପରାମର୍ଶ ଦିଆଯାଇଛି।
ରିପୋର୍ଟରେ ସ୍ପେନ, ବ୍ରିଟେନ ଓ ହଂକଂର ଉଦାହରଣ ଦେଇ ଗୁଣାତ୍ମକ, ଗୋଷ୍ଠୀ ଆଧାରିତ ଓ ସୁଲଭ ବାସଗୃହ ନୀତି ଉପରେ ଧ୍ୟାନ ଦେବାକୁ ବିଭିନ୍ନ ଦେଶକୁ କୁହାଯାଇଛି। ୨୧ଟି ଦେଶର ସ୍ଥିତିକୁ ବିଶ୍ଳେଷଣ କରି ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ୨୦ଟି ଦେଶରେ ମାସିକ ଘରଭଡ଼ା ଜଣେ ବ୍ୟକ୍ତିଙ୍କ ମସିକ ଆୟର ୩୩ ପ୍ରତିଶତରୁ ଅଧିକ ରହୁଛି। ଆୟର ୩୩ ପ୍ରତିଶତ ଭିତରେ ରହୁଥିବା ଘରଭଡ଼ାକୁ ସୁଲଭ ବୋଲି ବିଚାର କରାଯାଏ। କିନ୍ତୁ ଭାରତ, ନାଇଜେରିଆ, କାମ୍ବୋଡିଆ, ଇଣ୍ଡୋନେସିଆା, ଭିଏତନାମ, ବ୍ରାଜିଲ ଓ ମେକ୍ସିକୋରେ ଏହି ହାର ମାସିକ ଆୟର ୧୦୦ ପ୍ରତିଶତଠାରୁ ଅଧିକ ହୋଇଯାଇଛି।
ରିପୋର୍ଟରେ କୁହାଯାଇଛି ଯେ ୨୦୨୫ରୁ ୨୦୪୦ ମଧ୍ୟରେ ଉଚ୍ଚ ଅଭିବୃଦ୍ଧିର ଦେଶଗୁଡ଼ିକରେ ବୟସ୍କ ଲୋକମାନଙ୍କ ସଂଖ୍ୟା ବଢ଼ିବ। ଫଳରେ ସେହି ଦେଶର ଯୁବଶକ୍ତି ଉପରେ ଅତିରିକ୍ତ ଚାପ ସୃଷ୍ଟି ହେବ। ସେମାନଙ୍କୁ ବୟସ୍କମାନଙ୍କ ଯତ୍ନ ନେବା ଓ ନିଜ ପାଇଁ ଅଧିକ ସଞ୍ଚୟ କରିବାକୁ ପଡ଼ିବ। ତେଣୁ ସେମାନେ ବାଧ୍ୟ ହୋଇ ଘରଭଡ଼ାକୁ ଯେକୌଣସି ଉପାୟରେ କମ୍ କରି ସେହି ସଞ୍ଚୟ ବଢ଼ାଇବାକୁ ଉଦ୍ୟମ କରିବେ। ସେମାନେ ଖରାପ ମାନ, ଭାଙ୍ଗି ଯାଇଥିବା କିମ୍ବା କର୍ମସ୍ଥଳଠାରୁ ଯଥେଷ୍ଟ ଦୂରରେ ଥିବା କମ୍ ଭଡ଼ା ବିଶିଷ୍ଟ ଘରେ ରହିବାକୁ ବାଧ୍ୟ ହେବେ। ତାହା ଏଭଳି ଏକ ଚକ୍ର ଯେଉଁଥିରୁ ସେମାନେ ଜୀବନ ସାରା ମୁକୁଳି ପାରିବେ ନାହିଁ। ଆର୍ଥିକ ଚାପ ବଢ଼ିବ, ମେଡିକାଲ୍ ଖର୍ଚ୍ଚ ବଢ଼ିବ ଓ ଦୀର୍ଘକାଳୀନ ସଞ୍ଚୟ କମିବାର ଏକ ଜାଲରେ ସେମାନେ ଛନ୍ଦି ହୋଇଯିବେ। ଆର୍ଥିକ ସ୍ଥିତି ଦୁର୍ବଳ ହେଲେ ଯୁବପିଢ଼ି ରିସ୍କ ଥିବା ପଦକ୍ଷେପ ନେବାକୁ ଚାହିବେ ଯାହା ସେମାନଙ୍କ ସ୍ଥିତିକୁ ଆହୁରି ଖରାପ କରିବା ଆଶଙ୍କା ରହିଛି।
Allegations: ଲକ୍ଷ୍ମୀ ମଣ୍ଡପ ଗୃହ ନିର୍ମାଣ ଅର୍ଥ ହେରଫେର: ବିଡ଼ିଓ ଟଙ୍କା ହଡ଼ପ କରିଥିବା ଅଭିଯୋଗ
ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପିଢ଼ିର ଲୋକଙ୍କୁ ଗୋଟିଏ ଘରେ ରଖିବା ଉପରେ ଧ୍ୟାନ ଦେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏକଲା ରହୁଥିବା ବୟସ୍କ ଲୋକଙ୍କ ଘରେ କମ ଆୟ କରୁଥିବା ଯୁବବର୍ଗର ଲୋକମାନେ ଭଡ଼ାରେ ରହିଲେ ଉଭୟ ଲାଭବାନ ହେବେ। ବୟସ୍କମାନଙ୍କ ଏକଲାପଣ ଦୂର ହୋଇପାରିବ ଓ ଯୁବପିଢ଼ିଙ୍କ ଘର ଭଡ଼ା କମିଯିବ। ସ୍ପେନରେ ଏହି ମଡେଲ ସଫଳ ହୋଇଛି। ଲଣ୍ଡନରେ ମଧ୍ୟ ସାମାଜିକ ବାସଗୃହ (ସୋସିଆଲ ହାଉସିଂ) ଲୋକପ୍ରିୟତା ହାସଲ କରିଛି। ହଂକଂରେ ମଧ୍ୟ ସେଭଳି ମଡେଲ୍ ସଫଳ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

3 hours ago
2


