ARTICLE AD BOX
ନୂଆଦିଲ୍ଲୀ: ଆମେରିକାର ଇଲିନୋଇସ୍ ରାଜ୍ୟରେ ଏକ ହିନ୍ଦୁ ମନ୍ଦିରରେ ବଡ଼ଧରଣର ଗୁଳିକାଣ୍ଡ ଘଟାଇବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ୧୯ ବର୍ଷୀୟ ଯୁବକ ଆଲେକଜାଣ୍ଡ୍ରୋସ୍ ପାପୋରାକିସ୍ ଗିରଫ ହୋଇଛନ୍ତି। ଅକ୍ଟୋବର ୧୧ରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତଙ୍କଠାରୁ ଶ୍ୱେତ ସର୍ବୋଚ୍ଚତାବାଦୀ ଚିନ୍ତାଧାରା ଏବଂ ଭାରତୀୟ ବଂଶୋଦ୍ଭବଙ୍କ ସମେତ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ହିଂସା ପାଇଁ ଆହ୍ୱାନ ଥିବା ଏକ ଦଲିଲ୍ ମିଳିଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗୁରୁବାର କହିଛନ୍ତି ଯେ, ଇଲିନୋଇସ୍ର ଅରୋରାରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କରାଯିବା ଖବରରେ ଭାରତ ଗଭୀର ଚିନ୍ତିତ। ଆମେରିକାର ପୁଲିସ ଓ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ପଦକ୍ଷେପ ନେଇଛନ୍ତି। ଭାରତ ଆଶା ପ୍ରକାଶ କରିଛି ଯେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ଦୋଷୀଙ୍କୁ ଦଣ୍ଡ ଦିଆଯିବ ଏବଂ ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।
ରାଇଫଲ୍ ହୋଇଯାଇଥିଲା ଜାମ୍
ନବରାତ୍ରି ଅବସରରେ ମନ୍ଦିରରେ ଭିଡ଼ ଥିବାବେଳେ ପାଲାଟାଇନ୍ ଅଞ୍ଚଳର ବାସିନ୍ଦା ପାପୋରାକିସ୍ ସେଠାରେ ପହଞ୍ଚିଥିଲେ। ଗୁଳି ଚଳାଇବାକୁ ଉଦ୍ୟମ ସମୟରେ ତାଙ୍କ ରାଇଫଲ୍ ଜାମ୍ ହୋଇଯିବାରୁ ସେ ସେଠାରୁ ଖସି ପଳାଇଥିବା ରିପୋର୍ଟରେ କୁହାଯାଇଛି। ତାଙ୍କର ଜଣେ ସହକର୍ମୀ ପୁଲିସକୁ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅଭିଯୁକ୍ତଙ୍କ ଘରେ ତଲାସି ସମୟରେ ପୁଲିସ ଏକ ଏଆର୍ ରାଇଫଲ୍, ପ୍ରାୟ ୩୦୦ ରାଉଣ୍ଡ ଗୁଳି, ଲୋଡ୍ ମାଗାଜିନ୍, ଶରୀର ସୁରକ୍ଷା କବଚ ଏବଂ ନାଜି ପ୍ରତୀକ ଥିବା ସାମଗ୍ରୀ ଜବତ କରିଥିଲା। ଆଠ ପୃଷ୍ଠାର ଦଲିଲ୍ରେ ସେ ନିଜକୁ ଶ୍ୱେତ ସର୍ବୋଚ୍ଚତାବାଦୀ ନବ-ନାଜି ଭାବେ ବର୍ଣ୍ଣନା କରିଥିବା ଏବଂ ଭାରତୀୟ, ଇହୁଦୀ ଓ ଆଫ୍ରିକୀୟ ଆମେରିକୀୟଙ୍କୁ ଟାର୍ଗେଟ୍ କରିବାକୁ ଆହ୍ୱାନ ଦେଇଥିବା ଜଣାପଡ଼ିଛି। ଆତଙ୍କବାଦୀ ଧମକ ଓ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଗିରଫ ପାପୋରାକିସ୍ଙ୍କୁ ଜେଲ୍ରେ ରଖାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ। ଏହି ଷଡ଼ଯନ୍ତ୍ରରେ ଅନ୍ୟ କେହି ସାମିଲ ଥିଲେ କି ନାହିଁ, ତାହା ଜାଣିବା ପାଇଁ ପୁଲିସ ଓ ଏଫ୍ବିଆଇ ତଦନ୍ତ ଜାରି ରଖିଛନ୍ତି।
ହିନ୍ଦୁ ମନ୍ଦିରରେ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ, ଗୁଳି ଚଳାଇବା ମାତ୍ରେ ବନ୍ଧୁକ ଜାମ୍

4 hours ago
1


