ARTICLE AD BOX
ରାୟଗଡା: ୩୬ ଘଣ୍ଟା ଧରି ଚାଲିଥିବା ଲଗାଣ ବର୍ଷାରେ ରାୟଗଡା ଜିଲ୍ଳାର କାଶିପୁର,ରାମନାଗୁଡା, ଗୁଣପୁର,ପଦ୍ମପୁର ଓ ଗୁଡାରି ବ୍ଲକରେ ବ୍ୟାପକ କ୍ଷତି ହୋଇଥିବା ରିପୋର୍ଟରୁ ଜଣାପଡିଛି । ସୂଚନାରୁ ଜଣାପଡିଛି ଗତ ୨୪ ଘଣ୍ଟା ମଧ୍ୟରେ ଆଜି ସକାଳ ୮.୩୦ ସୁଦ୍ଧା ଜିଲ୍ଲାରେ ୧୦୬୩.୬ ମିମି ବର୍ଷା ହୋଇଥିବା ବେଳେ ଗୁଣପୁର ବ୍ଲକରେ ସର୍ବାଧିକ ୨୬୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି କାଶିପୁର ବ୍ଲକରେ ୨୧୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରାମନାଗୁଡା ବ୍ଲକରେ ୮୮.୪ ମିମି ବର୍ଷା ରେକର୍ଡ ହୋଇଛି । କାଶିପୁର ବ୍ଲକରେ ୧୩ଟି ଗ୍ରାମର ୨୨ଟି ଗୃହ ଭାଙ୍ଗିଥିବା ରାଜସ୍ବ ବିଭାଗର ସୂଚନାରୁ ଜଣାପଡିଛି । ସେହିଭଳି ରାମନାଗୁଡା ବ୍ଲକରେ ୩ଟି ଗ୍ରାମ ପଞ୍ଚାୟତର ୬ଗ୍ରାମ ଚଳିତ ବର୍ଷାରେ ପ୍ରଭାବିତ ହୋଇଥିବା ବେଳେ ୧୩ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ସେହିଭଳି ରାମନାଗୁଡା ବ୍ଲକରେ ଜଣେ ଏକାକି ରହୁଥିବା ବୟସ୍କ ମହିଳାଙ୍କ ଗୃହ ଭାଙ୍ଗିଯିବାରୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୬ଟି ଗୃହ ବର୍ଷା ମାଡରେ ସାମାନ୍ୟ ଭାଙ୍ଗିଥିବା ସୂଚନାରୁ ଜଣାପଡିଛି ।
କ୍ଷୟକ୍ଷତି ରିପୋର୍ଟ ଏଯାଏଁ ମିଳିପାରିନାହିଁ
ଗୋଗୁପାଡୁ ଗ୍ରାମର ବୟସ୍କ ମହିଳା ସୁକି ପାତିଲାଙ୍କ ଗୃହ ପ୍ରଭାବିତ ହେବାରୁ ରାମନାଗୁଡା ବ୍ଲକ ପ୍ରଶାସନ ଖବର ପାଇ ତାଙ୍କୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଥଇଥାନ କରିଥିବା ଜଣାପଡିଛି । ସେହିଭଳି ଲଗାଣ ବର୍ଷା ପ୍ରଭାବରେ ଭାମିନି ଓ ସେରେମା ଅଞ୍ଚଳର ଧାନ ଜମି ସଂପୂର୍ଣ ବୁଡିଯାଇଥିବା ଜଣାପଡିଛି । ଲଗାଣ ବର୍ଷ ଫଳରେ ଜିଲ୍ଲାର ବହୁ ଚାଷ ଜମି ଜଳମଗ୍ନ ହୋଇଛି କିନ୍ତୁ ଚାଷ ଜମି କ୍ଷୟକ୍ଷତି ରିପୋର୍ଟ ଏଯାଏଁ ମିଳିପାରିନାହିଁ । ଗତକାଲି ଗୁଣପୁର ଗୁଣୁପୁର ବ୍ଲକ ଭୀମପୁର ପଞ୍ଚାୟତ ଅନ୍ତର୍ଗତ ମାଲାପଦର ଗ୍ରାମରେ ଚାରି ଘଣ୍ଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ହେବା ଫଳରେ ମାଟିରେ ତିଆରି ନିର୍ମିତ ଘରର କାନ୍ଥ ଭୁଶୁଡ଼ି ପଡ଼ିବା ସହ ଘର ଭିତରେ ବର୍ଷାପାଣି ପଶିଯାଇଥିଲା । ଫଳରେ ଘରେ ଥିବା ଚାଉଳ, ଲୁଗାପଟା, ଘରୋଇ ଉପକରଣ ଓ ଦୈନନ୍ଦିନ ବ୍ୟବହାରର ବିଭିନ୍ନ ଜିନିଷପତ୍ର ନଷ୍ଟ ହୋଇଥିବା ପରିବାର ସଦସ୍ୟମାନେ କହିଥିଲେ । ମାଲାପଦର ଗ୍ରାମର ଉର୍ଦ୍ଧମ ଶବର ଓ ଲର୍ଗିଙ୍ଗ ଶବରଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ଘରର କାନ୍ଥ ଭୁଶୁଡ଼ି ପଡ଼ିବା ପରେ ଦୁଇ ପରିବାରଙ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିଭଳି ଚିନାସାରି ଗ୍ରାମ ପଞ୍ଚାୟତର ତଳମୁଣ୍ଡା ରୁ କୁଟୁଣି ରାସ୍ତାରେ ପାହାଡ ଧସି ରାସ୍ତା ଅବରୋଧ ହୋଇଥିଲା । ଏନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ କଳିଙ୍ଗ କେଶରୀଙ୍କୁ ପଚାରିବାରୁ ଜିଲ୍ଲାର ୧୧ଟି ତହସିଲଦାରଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି, ଆର ଆଇ ତଦନ୍ତ ରିପୋର୍ଟ ଦେଲା ପରେ ସଂପୂର୍ଣ କ୍ଷୟକ୍ଷତି ସୂଚନା ମିଳିପାରିବ ବୋଲି କହିଛନ୍ତି ।
ଜିଲ୍ଲାର କାଶିପୁରୁ,ଗୁଣପୁର,ଗୁଡାରି,ରାମନାଗୁଡା,ପଦ୍ମପୁର ବ୍ଲକରେ ଲଗାଣ ବର୍ଷା ଫଳରେ କ୍ଷୟକ୍ଷତି ହେବା ସହ କିଛି ଜନସାଧାରଣ ପ୍ରଭାବିତ ହୋଇଛନ୍ତି ବୋଲି ଜରୁରୀ କାଳୀନ ଅଧିକାରୀ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ବ୍ଲକ ଓ ତହସିତଦାରଙ୍କ ସହ ସମନ୍ବୟ ରଖି ପ୍ରଭାବିତ ଲୋକଙ୍କୁ ସହାୟତା କରୁଥିବା କଳିଙ୍ଗ କେଶରୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଲଗାଣ ବର୍ଷ। ଫଳରେ ବଂଶଧାରା ଏବଂ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବିପଦ ଶଙ୍କେତ ଠାରୁ କମ ଥିବା ଜଣାପଡିଛି ଏବଂ ଭୟର କୌଣସି କାରଣ ନାହିଁ ବୋଲି ଜରୁରୀ କାଳୀନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

1 hour ago
1


