Heavy Rain: ଲଗାଣ ବର୍ଷା: ଜଳ ଘେରରେ ରାଇରଙ୍ଗପୁରର ବିଭିନ୍ନ ୱାର୍ଡ

3 hours ago 2
ARTICLE AD BOX

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ବର୍ଷା ହେଲେ ଅଧିକାଂଶ ସମୟରେ ଗ୍ରାମାଂଚଳର ଉପାନ୍ତ ଅଂଚଳର ବାସିନ୍ଦାଙ୍କ ଘର ପାଣି ଘେରରେ ରହୁଥିବାର ଦେଖିବାକୁ ମିଳିଥାଏ। ତେବେ ବର୍ତମାନ ସହର ବାସିନ୍ଦା ମଧ୍ୟ ବର୍ଷା ହେଲେ ମାସ ମାସ ଧରି ପାଣି ଘେରରେ ରହୁଥିବା ଅଭିଯୋଗ ହୋଇଆସୁଛି। ଏପରିକି ରାସ୍ତାରେ ମାସମାସ ଧରି ପାଣି ଜମୁଥିବାରୁ ସେଠାରେ କଇଁ ପଦ୍ମ ଫୁଲ ଫୁଟି ପୋଖରୀର ଭ୍ରମ ସୃଷ୍ଟି କରୁଥିବାର ଦେଖିବାକୁ ମିଳୁଛି । ମହାମହିମ ରାଷ୍ଟ୍ରପତିଙ୍କ ୱାର୍ଡ ମଧ୍ୟ ସେଥିରୁ ବାଦ ପଡିନି। 

ତେବେ ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ଶତାଧିକ ବାସିନ୍ଦା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘର ହେଉଛି ରାଇରଙ୍ଗପୁର ପୌରାଂଚଳର ୱାର୍ଡ ନଂ ୨। ଉକ୍ତ ୱାର୍ଡ ତଥା ରାଇରଙ୍ଗପୁର ହାଟ ପାଖରେ ରାଜା ରାଜୁଳା ଅମଳର ବନ୍ଧ (ବଡ ପୋଖରୀ) ରହିଛି। ଉକ୍ତ ପୋଖରୀର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟ ନିମନ୍ତେ ପ୍ରାୟ ୩/୪ ବର୍ଷ ପୂର୍ବରୁ ପୋଖରୀର ଚାରି ପାର୍ଶ୍ବରେ ପାଚେରୀ ନିର୍ମାଣ କରାଗଲା। 

ପୋଖରୀ ଭିତରୁ ଜଳ ନିଷ୍କାସନ ସମେତ ପ୍ରାୟ ୩ ଗୋଟି ୱାର୍ଡ଼ରୁ ଆସୁଥିବା ବର୍ଷା ଜଳ ପୋଖରୀରେ ସଂରକ୍ଷିତ ରଖା ଯିବା ନିମନ୍ତେ ୩ ଗୋଟି ସ୍ଥାନରେ ଫାଟକ ସଦୃଶ୍ୟ କରାଯାଇଥିଲା। ସୌନ୍ଦଯ୍ୟ ସମୟରେ ପାଚେରୀ ନିର୍ମାଣ କରିବା ଯୋଗୁଁ ନୟନଝରି (ନାଳ) ଗୁଡିକ ବନ୍ଦ ହୋଇଗଲା। ଯାହା ଫଳରେ ପାଣି ପୋଖରୀ ଭିତରକୁ ପଶି ପାରିଲା ନାହିଁ। ଦେଖିବାକୁ ଗଲେ ଉକ୍ତ ଅଞ୍ଚଳ ଡ୍ରେନେଜ୍ ଶୁନ୍ୟ ସ୍ଥାନ ହୋଇ ରହିଗଲା। ବର୍ତ୍ତମାନ୍ ବର୍ଷା ଋତୁ ଥିବାରୁ ସେହି ଅଞ୍ଚଳରେ ମାସ ମାସ ଧରି ପାଣି ଜମି ରହୁଛି। ଏପରିକି କିଛି ରାସ୍ତାରେ ମାଛ ଖେଳୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି, ଏପରିକି ଦୀର୍ଘ ଦିନ ଧରି ପାଣି ଜମି ରହୁଥିବାରୁ ରାସ୍ତା ଘରକୁ ମିଶିକି ଥିବା ଖାଲରେ ପଦ୍ମ ଓ କଇଁ ଫୁଲ ଫୁଟୁଥିବାର ମଧ୍ୟ ଦେଖିବାକୁ ମିଳିଛି।ଯାହା ଫଳରେ ସେଠାକାର ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ସେମାନେ ଶାନ୍ତିରେ ଉକ୍ତ ରାସ୍ତାରେ ଯାତାୟତ କରି ପାରୁନାହାନ୍ତି। 

ଦୀର୍ଘ ଦିନ ଧରି ସେଠାକାର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ପାଠ ପଢିବାକୁ ମଧ୍ୟ ଯାଇ ପାରନ୍ତି ନାହିଁ। ସେହି ଅଞ୍ଚଳକୁ ଦୁଇକି ଚାରି ଚକିଆ ଯାନ ଯିବା ଆସିବା କରିବା ଅସମ୍ଭବ ହୋଇଥିବା ବେଳେ ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ଏହାଛଡା ଅଧିକାଂଶ ସମୟରେ ଘର ଭିତରକୁ ସାପ,ବେଙ୍ଗ ସମେତ ବିଭିନ୍ନ ବିଷାକ୍ତ କୀଟ ପତଙ୍ଗ ବସବାସ କରୁଥିବା ଅଭିଯୋଗ ହୋଇଛି। 

ତେବେ ସମସ୍ୟା ସମ୍ବନ୍ଧରେ ୱାର୍ଡ଼ ବାସିନ୍ଦା ବାରମ୍ବାର ପୌରପରିଷଦ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ ରାଷ୍ଟ୍ରପତିଙ୍କ ୱାର୍ଡ଼ ବାସିନ୍ଦା ଯଦି ଏଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି ତାହେଲେ ଅନ୍ୟ ମାନଙ୍କ କଥା ନକହିବା ଭଲ ବୋଲି ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ରାଇରଙ୍ଗପୁର ପୌରପରିଷଦର ୱାର୍ଡ-୫ ରେ ମଧ୍ୟ ପୂର୍ବରୁ ଥିବା ନୟନଝରିକୁ ନିଜ ଅଧୀନକୁ ନେଇ ପାଚେରୀ ଓ ଘର ନିର୍ମାଣ କରି ନୟନଝରୀ ଓ ଡ୍ରେନ ଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଯାହା ଫଳରେ ୫ ନଂ ୱାର୍ଡ଼ ପିଛିଲିଘାଟିର ଶତାଧିକ ବାସିନ୍ଦାଙ୍କ ଘର ଜଳ ଘେରରେ ରହିଛି । ଯାହାଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାସ ମାସ ଧରି ପାଣି ଜମି ରହୁଥିବାରୁ ସେଠାରେ ମଶା ବଂଶ ବୃଦ୍ଧି ପାଉଛି। ଅଧିକାଂଶ ସମୟରେ ଜ୍ଵର, ମ୍ୟାଲେରିଆ ସମେତ ବିଭିନ୍ନ ମାରାତ୍ମକ ରୋଗରେ ପୀଡ଼ିତ ହେଉଛନ୍ତି ୱାର୍ଡ଼ ବାସିନ୍ଦା। ଏହାବ୍ୟତୀତ କିଛି ପରିବାର ପାନୀୟ ଜଳ ପାଇବା ପାଇଁ କୂଅ ଖୋଳିଥିଲେ। ସେହି କୂଅର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। 

ତେବେ ୪/୫ ବର୍ଷ ହେଲା ପାଣି ରହୁଥିବାରୁ କୂଅର ଚାନ୍ଦିନୀ ଓ ପାଇଖାନା ପାଣିଟାଙ୍କି ମଧ୍ୟ ବୁଡ଼ି ରହିଛି। ସେଠାକାର ଲୋକେ ମଧ୍ୟ ସବୁ ସମୟରେ ବିଭିନ୍ନ ରୋଗରେ ପୀଡିତ ହୋଇ ରହୁଥିବା ୱାର୍ଡ଼ ବାସିନ୍ଦା ପ୍ରକାଶ କରିଛନ୍ତି। ତେବେ ଗତ ଲଗାଣ ବର୍ଷାରେ ୪/୫ ଫୁଟର ପାଣି ଜମି ରହିବା ଫଳରେ କିଛି ଲୋକଙ୍କ ଘର ମଧ୍ୟ ଭୁଶୁଡ଼ି ପଡ଼ିଥିବା ନେଇ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସହାୟତା ମିଳିନଥିବା ସୂଚନା ମିଳିଛି। ତେବେ ୱାର୍ଡ ନଂ ୫ ରେ ଥିବା ଏକ ବିଦ୍ୟୁତ୍ ଟ୍ରାନର୍ସଫର୍ମର ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ମାସ ମାସ ଧରି ଜଳ ଘେରରେ ରହିଥିବା ନେଇ ଅଭିଯୋଗ ହୋଇଛି। ତେବେ ସେହି ଟ୍ରାନର୍ସଫର୍ମର ପାଇଁ ଯେ କୌଣସି ସମୟରେ ବି ଧନ ଜୀବନ ହାନି ହେବାର ଆଶଙ୍କା ରହିଛି। ପୋୖର ପ୍ରଶାସନ ୱାର୍ଡ ଗୁଡିକରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଡ୍ରେନ, ରାସ୍ତା ଇତ୍ୟାଦି ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ଆବଶ୍ୟକ ରହିଥିବା ସ୍ଥାନରେ ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଉ ନଥିବା ଅଭିଯୋଗ ହୋଇଅଛି। ଯଦ୍ୱାରା ୱାର୍ଡ ଗୁଡିକରେ ରହୁଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଦୁଇବର୍ଷ ପୂର୍ବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ରାଇରଙ୍ଗପୁର ଗସ୍ତରେ ଆସିଥିବା ସମୟରେ ୱାର୍ଡ ବାସିନ୍ଦା ତାଙ୍କୁ  ଅବଗତ କରିବା ସହିତ ଜଳ ଘେର ଅଞ୍ଚଳକୁ ବୁଲି ଦେଖିଥିଲେ। ତେବେ ଦେଖିବାକୁ ବାକି ରହିଲା ୱାର୍ଡ ବାସିନ୍ଦାଙ୍କ ସମସ୍ୟା କେବେ ଦୂର ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.