Heavy rain: ମାଲକାନଗିରି ଜିଲ୍ଲାର ଅନେକ ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ

4 days ago 5
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗତକାଲିଠାରୁ ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ହେଉଥିବାରୁ ସମସ୍ତ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଜିଲ୍ଲାର ଅନେକ ପ୍ରମୁଖ ରାସ୍ତା ଓ ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯାତାୟାତ ବ୍ୟାହତ ହୋଇଛି। ମାଲକାନଗିରି ସଦର ମହକୁମାରୁ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି।

ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୩୨୬ର ଅନେକ ସ୍ଥାନରେ ବନ୍ୟାଜଳ ରାସ୍ତା ଉପରକୁ ଉଠିଛି। ଏମ୍‌ଭି-୯୦, ଏମ୍‌ଭି-୯୬, କାଙ୍ଗୁରକୋଣ୍ଡା, ପୋଟେରୁ ଓ ସାବେରୀ ଅଞ୍ଚଳର ବ୍ରିଜ୍‌ଗୁଡ଼ିକ ଉପରେ ପ୍ରାୟ ୪ ଫୁଟ୍‌ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଥିବା ଜଣାପଡ଼ିଛି। ଏହା ଫଳରେ ମାଲକାନଗିରିରୁ ଅନ୍ୟ ଜିଲ୍ଲା ଓ ପଡ଼ୋଶୀ ଅଞ୍ଚଳକୁ ଯାତାୟାତ ପ୍ରଭାବିତ ହୋଇଛି। ପାଙ୍ଗାମ ବ୍ରିଜ୍‌ରେ ମଧ୍ୟ ଜଳସ୍ତର ଦ୍ରୁତଗତିରେ ବଢ଼ୁଥିବାରୁ ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଅନ୍ୟପଟେ ପୋଟେରୁ ନଦୀର ଜଳସ୍ତର ବଢ଼ିବା ପରେ ନଦୀକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଅନେକ ଗାଁରେ ପାଣି ମାଡ଼ି ଆସିଥିବା ବେଳେ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି। ବର୍ଷା ଏଭଳି ଲଗାତାର ଜାରି ରହିଲେ ପୋଟେରୁ ଅଞ୍ଚଳର ଅଧିକ ଗାଁ ବନ୍ୟାଜଳରେ ପ୍ରଭାବିତ ହେବାର ଆଶଙ୍କା ରହିଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀକୂଳିଆ ଓ ବନ୍ୟାପ୍ରବଣ ଅଞ୍ଚଳ ଉପରେ ନଜର ରଖାଯାଇଛି। ଆବଶ୍ୟକସ୍ଥଳେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଉଛି। ସେଠାରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ, ପାନୀୟଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉଛି। ବର୍ଷାଜନିତ ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଶୀର୍ଷ ଅଧିକାରୀମାନେ ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ଆବଶ୍ୟକ ପ୍ରସ୍ତୁତି ମଧ୍ୟ କରାଯାଇଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି-ଚିତ୍ରକୋଣ୍ଡା ଘାଟି ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଘାଟି ରାସ୍ତାରେ ଯାନବାହନ ଚଳାଚଳ ନେଇ ସତର୍କତା ଜାରି କରାଯାଇଛି। ବାୟାପଡ଼ା ଘାଟିରେ ଭୂସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇ ଯାତାୟାତ ପ୍ରଭାବିତ ହୋଇଛି। ଏହା ସହ ମାନେମକୋଣ୍ଡା ଅଞ୍ଚଳରେ ମଧ୍ୟ ରାସ୍ତା ଧସିଯିବାରୁ ଯାତାୟାତ ଠପ୍‌ ହୋଇଥିବା ଜଣାପଡ଼ିଛି।

Rain: ମୌସୁମୀ ବର୍ଷାର ଆଉ ଏକ ପର୍ଯ୍ୟାୟ: ଗୁଜରାଟ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସମ୍ଭାବନା

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାସ୍ତା ଉପରେ ପାଣି ଜମିବା, ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେବା ଏବଂ ଭୂସ୍ଖଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଲୋକେ ଯାତାୟାତ କରିପାରୁନଥିବାରୁ ଜିଲ୍ଲାର ବହୁ ଅଞ୍ଚଳ ମୁଖ୍ୟ ସହର ସହିତ ପ୍ରାୟ ବିଚ୍ଛିନ୍ନ ହୋଇପଡ଼ିଛି। ଆଜିର ବର୍ଷା ରିପୋର୍ଟ ଅନୁଯାୟୀ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ସର୍ବୋଚ୍ଚ ୧୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ମାଥିଲି ବ୍ଲକରେ ୪୭ ମିଲିମିଟର ବର୍ଷା ହୋଇଛି। ଜିଲ୍ଲାରେ ମୋଟ ୬୬୩ ମିଲିମିଟର ବର୍ଷା ହୋଇଛି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.