ARTICLE AD BOX
ଶ୍ରୀନଗର: ଚଳିତ ବର୍ଷ ମୌସୁମୀ ଆରମ୍ଭ ହେବା ପରଠାରୁ ଜମ୍ମୁ କଶ୍ମୀରରେ ବାଦଲଫଟା ବର୍ଷା ଘଟଣା ଚିନ୍ତାଜନକ ଭାବେ ବଢ଼ିଛି। ଏପର୍ଯ୍ୟନ୍ତ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ୪୪ ଥର ବାଦଲଫଟା ବର୍ଷା ହୋଇଥିବା ବେଳେ ଏଥିରେ ୩୫ ଜଣଙ୍କ ପ୍ରାଣହାନି ଘଟିଛି। ବହୁ ଲୋକ ଆହତ ହେବା ସହ ଘରବାଡ଼ି, ରାସ୍ତା, ସେତୁ ଓ କୃଷିଜମିର ବ୍ୟାପକ କ୍ଷତି ହୋଇଛି ବୋଲି ଜମ୍ମୁ-କାଶ୍ମୀର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସରକାରୀ ତଥ୍ୟ ଅନୁସାରେ, ଜୁନ୍ ୨୦ରେ ମୌସୁମୀ ବର୍ଷା ଆରମ୍ଭ ହେବା ପରଠାରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ମୋଟ ୪୪ଟି ବାଦଲଫଟା ବର୍ଷା, ୨୧ଟି ଭୂସ୍ଖଳନ ଓ ୧୮ଟି ଅଚାନକ ବନ୍ୟା ଘଟଣା ରେକର୍ଡ କରାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୧ ଜଣ ଆହତ ହୋଇଛନ୍ତି। ଏଥିସହ ୧୪୦ରୁ ଅଧିକ ପଶୁ ମଧ୍ୟ ମରିଛନ୍ତି। ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟାରେ ଅନେକ ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବହୁ ସଡ଼କ, ପୋଲ ଓ ବିଦ୍ୟୁତ୍ ଭିତ୍ତିଭୂମି ନଷ୍ଟ ହେବା ସହ ପାନୀୟ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ବିଶେଷକରି ଜମ୍ମୁ ଅଞ୍ଚଳର ଡୋଡା, କିସ୍ତୱାଡ଼, ରାମବନ, ଉଧମପୁର, ରାଜୌରୀ ଓ ପୁଞ୍ଚ ଜିଲ୍ଲା ଏବଂ କାଶ୍ମୀର ଉପତ୍ୟକାର କିଛି ପାହାଡ଼ିଆ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି।
Kerala Rain: କେରଳରେ ବର୍ଷା ଓ ବନ୍ୟାର ତାଣ୍ଡବ: ୧୫ ମୃତ, ୭ ନିଖୋଜ
ଗତ କିଛି ଦିନ ମଧ୍ୟରେ କିସ୍ତୱାଡ଼ ଓ ରାମବନ ଜିଲ୍ଲାରେ ଘଟିଥିବା ବାଦଲଫଟା ବର୍ଷା ସବୁଠାରୁ ଅଧିକ କ୍ଷତି ଘଟାଇଥିଲା। ପ୍ରବଳ ବର୍ଷା ପରେ ପାହାଡ଼ିଆ ନାଳଗୁଡ଼ିକରେ ହଠାତ୍ ଜଳସ୍ତର ବଢ଼ିଯିବାରୁ କାଦୁଅ ଓ ପଥର ମାଡ଼ି ଆସି ଘରବାଡ଼ି ଓ ରାସ୍ତାଘାଟକୁ ଭସାଇ ନେଇଥିଲା। ଅନେକ ସ୍ଥାନରେ ଉଦ୍ଧାରକାରୀ ଦଳକୁ କଷ୍ଟସାଧ୍ୟ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଚଳାଇବାକୁ ପଡ଼ିଥିଲା। ଜମ୍ମୁ-କାଶ୍ମୀର ସରକାର କହିଛନ୍ତି, ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ବିପର୍ଯ୍ୟୟ ପରିଚାଳନା, ପୁଲିସ, ସେନା, ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଦଳ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପାଣିପାଗ ବିଭାଗ ପାହାଡ଼ିଆ ଅଞ୍ଚଳରେ ଆହୁରି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରିଛି। ପ୍ରଶାସନ ନଦୀକୂଳ ଓ ପାହାଡ଼ ଢାଲୁ ନିକଟରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପରାମର୍ଶ ଦେଇଛନ୍ତି।

1 week ago
6

