ARTICLE AD BOX
ଭଞ୍ଜନଗର (ବିଶ୍ବମ୍ବର ଜେନା): ନଈ ଆରପଟେ ଫସି ରହିଲେ ଗର୍ଭବତୀ। ଦମକଳ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି କରାଯାଇ ପାରିଲା ନାହିଁ ଉଦ୍ଧାର। ଆଉ ନିଜ ଘରେ ହିଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ। ଦମକଳ ବାହିନୀର ବୋଟ୍ ନଦୀର ପ୍ରଖର ସ୍ରୋତରେ ଓଲଟି ପଡ଼ିବାରୁ ବାଧ୍ୟ ହୋଇ ବନ୍ଦ କରିଲେ ଉଦ୍ଧାର କାର୍ଯ୍ୟ। ପ୍ରବଳ ବର୍ଷାର ବିତ୍ପାତ ଭିତରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଗଞ୍ଜାମଜିଲ୍ଲା ଭଞ୍ଜନଗର ବ୍ଲକ ଅଧୀନ ବାଇବାଲି ପଞ୍ଚାୟତର ଉପାନ୍ତ ଗ୍ରାମ ଭାବେ ପରିଚିତ ତଡମା ଗ୍ରାମର ରଞ୍ଜନ ଗୌଡଙ୍କ ପତ୍ନୀ ଆରତୀ ଗୌଡ଼ ଆଜି ନିଜ ଘରେ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିବା ସିଡ଼ିପିଓ ମିଲିମା ପଣ୍ଡା ସୂଚନା ଦେଇଛନ୍ତି। ଆରତୀ ଗର୍ଭବତୀ ଥିବା ବେଳେ ତାଙ୍କୁ ଆଶ୍ରୟସ୍ଥଳିକୁ ଆସିବାକୁ କୁହାଯାଇଥିଲା। ତେବେ ଶିଶୁ ଜନ୍ମ ହେବା ପାଇଁ ଡାକ୍ତର ଆହୁରି କିଛି ଦିନପରେ ସମୟ ଦେଇଥିବାରୁ ସେମାନେ ଆସି ନଥିଲେ।
ଆଜି ସକାଳ ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ଖବର ଦେଇଥିଲେ। ଏହାପରେ ଗର୍ଭବତୀ ଆରତୀଙ୍କୁ ଉଦ୍ଧାର କରିବା ପାଇଁ ବିଡିଓ ଭାରତୀ ଦେବୀ, ଅନ୍ୟ ବ୍ଲକ ଅଧିକାରୀ, ସିଡ଼ିପିଓ ଶ୍ରୀମତୀ ପଣ୍ଡା, ଆମ୍ବୁଲାନ୍ସ କର୍ମଚାରୀ, ଦମକଳ ବାହିନୀ ପ୍ରମୁଖ ଘଟଣା ସ୍ଥଳ ଆଡ଼କୁ ଯାଇଥିଲେ। ହେଲେ ଗ୍ରାମ ଠାରୁ କିଛି ଦୂରରେ ଥିବା ନଦୀ ଏଥିରେ ବାଧକ ସାଜିଥିଲା। ନଦୀ ଆରପଟେ ତଡ଼ମା ଗ୍ରାମ ରହିଥିବା ବେଳେ ନଦୀରେ ପ୍ରଖର ସ୍ରୋତରେ ପାର ହୋଇଯିବା କଷ୍ଟକର ବ୍ୟାପାର ସାଜିଥିଲା।
/filters:format(webp)/sambad/media/media_files/2026/09/25/whatsapp-image-2026-09-25-20-45-57.jpeg)
ଏହାପରେ ମଧ୍ୟ ଭଞ୍ଜନଗର ଓ ବେଲଗୁଣ୍ଠାର ଦମକଳ ବାହିନୀ ନଦୀରେ ଏକ ରଶି ଆରପଟକୁ ପକାଇ ଏକ ବୋଟ୍ ସାହାଯ୍ୟରେ ଗ୍ରାମକୁ ଯିବା ନେଇ ଅନେକ ପ୍ରୟାସ କରିଥିଲେ। ଏହି ସମୟରେ ପ୍ରବଳ ବର୍ଷା ମଧ୍ୟ ଜାରି ରହିଥିଲା। ନଦୀରେ ବଡ଼ବଡ଼ ପଥର ଥିବା ସହ ପ୍ରବଳ ବେଗରେ ପାଣି ବୋହି ଆସୁଥିବାରୁ ବୋଟ୍ ଚାଲିବା ଅସମ୍ଭବ ହୋଇପଡ଼ିଥିଲା। ଅନେକ ଥର ପ୍ରୟାସ କରିବା ପରେ ଶେଷରେ ଦମକଳ ବାହିନୀ ଯିବା ପାଇଁ ଚେଷ୍ଟା କରିବା ସମୟରେ ପାଣିର ପ୍ରଖର ସ୍ରୋତରେ ବୋଟଟି ଓଲଟି ପଡ଼ିଥିଲା। ଫଳରେ ନଦୀ ଆରପଟକୁ ଆଉ ଯାଇ ପାରିନଥିଲେ। ବିପଦ ଆଶଙ୍କା କରି ଉଦ୍ଧାରକାର୍ଯ୍ୟକୁ ଶେଷରେ ବନ୍ଦ କରାଯାଇଥିବା ବେଳେ ନଦୀରେ ଜଳସ୍ତର କମିବା ପରେ ଉଭୟ ମାଆ ଓ ଶିଶୁଙ୍କୁ ଉଦ୍ଧାର କରାଯାଇ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ବିଡିଓ ଶ୍ରୀମତୀ ଦେବୀ କହିଛନ୍ତି।
/filters:format(webp)/sambad/media/media_files/2026/09/25/whatsapp-image-2026-09-25-20-46-10.jpeg)
ଅନ୍ୟପଟେ ଏପଟେ ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସେପଟେ ଆରତୀ ଘରେ ଜଣେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଆରତୀଙ୍କ ଭଉଣୀ ଝୁନୁ ଗୌଡ଼ ଜଣେ ଆଶା କର୍ମୀ ରହିଥିବା ବେଳେ ତାଙ୍କ ମାଆ କୁମାରୀ ଗୌଡ଼ ଅଙ୍ଗନବାଡି ସହାୟିକା ଭାବେ କାମ କରୁଛନ୍ତି। ଆରତୀର ମାଆ ଏବଂ ଜଣେ ସମ୍ପର୍କୀୟ ମାଉସୀ ଅବସରପ୍ରାପ୍ତ ନର୍ସ ହୋଇଥିବାରୁ ସେମାନେ ହିଁ ଘରେ ପ୍ରସବ କରିଥିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିଥିଲେ। ଉଭୟ ମାଆ ଓ ଶିଶୁକନ୍ୟା ସୁସ୍ଥ ରହିଥିବା ସିଡ଼ିପିଓ ଶ୍ରୀମତୀ ପଣ୍ଡା କହିଛନ୍ତି। ଆରତୀ ସହ ସେ ଫୋନ ଯୋଗେ କଥା ହେବା ସହ ପ୍ରସବ ପରବର୍ତ୍ତୀ ଯତ୍ନ ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିବା କହିଛନ୍ତି।

54 minutes ago
1


