Health: ରାମ୍‌କି ପାଇଁ ଦଲକିରେ କିଡ୍‌ନି ରୋଗର କାୟା; ୨ ବର୍ଷରେ ୨୭ ମୃତ୍ୟୁ, ପରିବାର ନିଶ୍ଚିହ୍ନ

1 hour ago 2
ARTICLE AD BOX

କାଳିଆପାଣି(ରବି ନାରାୟଣ କର): ଯାଜପୁରଜିଲ୍ଲା ସୁକିନ୍ଦା ତହସିଲ କଞ୍ଚିଚୁଆ ମୌଜାରେ ରାମ୍‌କି କମ୍ପାନିର ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କାର୍ଯ୍ୟକ୍ଷମ ଦିନରୁ ୧୦ ବର୍ଷ ଧରି ପାର୍ଶ୍ବସ୍ଥ ଦଲକି ଗାଁରେ କାୟା ମେଲାଇଛି କିଡ୍‌ନି ରୋଗ। ଖରଡ଼ି ପଞ୍ଚାୟତ ୫ ନମ୍ବର ୱାର୍ଡ ୭୦ ପରିବାର ବିଶିଷ୍ଟ ଏହି ଗାଁର ଘରେଘରେ କିଡ୍‌ନିରୋଗ ସଂକ୍ରମଣର ଭୟ ଘାରିଛି। ଗତ ଏପ୍ରିଲ ମାସ ୨୧ ତାରିଖ ୬ ଘଣ୍ଟା ମଧ୍ୟରେ ଗାଁର ଯୁବ କ୍ଷୁଦ୍ରଚାଷୀ ଦମ୍ପତି ମମତା ଓ ଅକ୍ଷୟ ମହାନ୍ତ ଓରଫ୍‌ ବୁଲୁ(୪୧) କିଡ୍‌ନି ରୋଗରୁ ମୃତ୍ୟୁର ଶିକାର ହୋଇଥିଲେ। 

ଗତବର୍ଷ ଜୁଲାଇ ୧୧ ତାରିଖରେ ସେହି କିଡ୍‌ନି ରୋଗରେ ତାଙ୍କ ଅବିବାହିତ ସାନଭାଇ ଜଗନ୍ନାଥ(୩୦)ଙ୍କ ମୃତ୍ୟୁ ହୋଇଥିଲା। କିଡ୍‌ନି ରୋଗୀ ସାବିତ୍ରୀ ମହାନ୍ତ ୨ ପୁଅ ଓ ବୋହୂଙ୍କୁ ଝୁରିଝୁରି ମେ ୩୧ ତାରିଖରେ ଆଖି ବୁଜିଥିଲେ। ମୃତ ଦମ୍ପତିଙ୍କ ୨ ଶିଶୁ ପୁତ୍ର ଲକି(୧୦) ଓ ରକି(୮) ଏବେ ମାମୁ ଘରେ ଆଶ୍ରୟ ନେଇଛନ୍ତି। କିଡ୍‌ନି ରୋଗ ପାଇଁ ଏହି ପରିବାର ନିଶ୍ଚିହ୍ନ ହୋଇଯାଇଥିବା କୁହଯାଉଛି। ଗତ ଅଗଷ୍ଟ ୮ ତାରିଖରେ ଲୋକନାଥ ମହାନ୍ତ ଏହି ରୋଗରୁ ପ୍ରାଣ ହାରିଥିଲେ। 

Contaminated water: ଦୂଷିତ ପାଣି ସାଜିଛି କାଳ: କିଡ୍‌ନି ରୋଗ ଆଁରେ ‘ଅମାସମା’

ଗତବର୍ଷ ଶମ୍ଭୁ ମହାନ୍ତ, ସୁଦର୍ଶନ ମହାନ୍ତ, ରହିନା ମହାନ୍ତ, ମଦନ ମହାନ୍ତ ଓ ମନେଇ ମୁଣ୍ଡା ଏହି ରୋଗ ଦାଉରୁ ଜୀବନ ହାରିଥିଲେ। ୨ ବର୍ଷ ମଧ୍ୟରେ କିଡ୍‌ନି ରୋଗାକ୍ରାନ୍ତ ତ୍ରିଲୋଚନ ମହାନ୍ତ, ମଙ୍ଗଲ ମହାନ୍ତ, ଡମନ ମହାନ୍ତ, ଜାଗ୍‌ରି ମହାନ୍ତ, ଗୋଲାପ ମହାନ୍ତ, ପଟେଲ ମହାନ୍ତ, ସନାତନ ମହାନ୍ତ, ଭୀମ ମହାନ୍ତ, ରହିନୀ ମହାନ୍ତ, ଚନ୍ଦ୍ରମଣି ମହାନ୍ତ, ଭୁଣ୍ଡୁ ମହାନ୍ତ, ରଜନୀ ମହାନ୍ତ, ନଟ ମହାନ୍ତ, ଗୌରାଙ୍ଗ ମହାନ୍ତ, ସୁଶୀଳା ମହାନ୍ତ, ଚରଣ ମହାନ୍ତ, ଛୁଟୁ ମହାନ୍ତ ଓ ଜାନକୀ ମହାନ୍ତଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରନ୍ତି।

ଏବେ କିଡ୍‌ନି ରୋଗୀ କହ୍ନେଇ ହେମ୍ବ୍ରମ(୪୬), ଲାଲମୋହନ ମହାନ୍ତ(୪୯), ଗୋବିନ୍ଦ ମହାନ୍ତ(୫୫) ଓ ଆଦରି ମହାନ୍ତ(୬୦) ନିୟମିତ ଡାଇଲିସିସ କରାଉଛନ୍ତି। ‘୨୦ ବର୍ଷ ପୂର୍ବରୁ କିଡ୍‌ନି ରୋଗ ସଂପର୍କରେ ଆମେ ଜାଣିନଥିଲୁ। ୨୦୦୮-୦୯ ମସିହାରେ ରାମ୍‌କି କମ୍ପାନି ପ୍ରତିଷ୍ଠା ଦିନରୁ ଗାଁ ଓ ପାଖାପାଖି କିଡ୍‌ନି ରୋଗର ମଞ୍ଜି ପଡ଼ିଲା ବୋଲି ରୋଗାକ୍ରାନ୍ତ ଲାଲମୋହନ କହନ୍ତି। କମ୍ପାନି ବର୍ଜ୍ୟ ପାଣି ମାଟିକୁ ଭେଟି ଭୂତଳ ଜଳକୁ ପ୍ରଦୂଷିତ କରୁଥିବା ସନ୍ଦେହ ଦୃଢ଼ୀଭୂତ ହେବାରୁ ନଳକୂଅ ପାଣି ଛାଡ଼ି ଆମେ ଏବେ କିଣିକରି ପାଣି ପିଉଛୁ।’ ‘ବାରମ୍ବାର ଅଭିଯୋଗ ସତ୍ତ୍ବେ ଏଯାବତ୍ ଭୂତଳ ଜଳ ପରୀକ୍ଷଣ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ଯାହାକି ଆମ ପାଇଁ ଦୁର୍ଭାଗ୍ୟର କାରଣ ହୋଇରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି।’ ଏ ସଂପର୍କରେ ସରପଞ୍ଚ କୌଶଲ୍ୟା ସାହୁଙ୍କୁ ପଚାରିବାରେ ରାମ୍‌କି କମ୍ପାନି ପାଇଁ ପଞ୍ଚାୟତର ଦଲକି ଓ ବରଡ଼ି ସମେତ ପଡ଼ୋଶୀ ଆମ୍ପୋଳବା ପଞ୍ଚାୟତର ସାମନ୍ତରାପୁର ଗାଁରେ କିଡ୍‌ନି ରୋଗ ଜନିତ ଭୟାବହତା ଏବେ ସାଧାରଣରେ ଆତଙ୍କର କାରଣ ହୋଇଥିବା କହନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.