Health: ବିଦ୍ୟୁତ ବିଭ୍ରାଟ ଯୋଗୁ ମୋବାଇଲ ଲାଇଟ୍‌ରେ ଚାଲିଛି ରୋଗୀ ସେବା

3 hours ago 1
ARTICLE AD BOX

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ରାତ୍ର ୧୧ଟାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ହସ୍ପିଟାଲରେ ଚିକିତ୍ସା ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡିଛି। ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ନ ଥିବାରୁ ଡାକ୍ତର ଓ ନର୍ସମାନେ ମୋବାଇଲ ଲାଇଟ ଆଲୋକରେ ରୋଗୀଙ୍କୁ ସାଲାଇନ, ଇଞ୍ଜେକସନ, ବିପି ଟେଷ୍ଟ ଓ ସୁଗର ଟେଷ୍ଟ ସମେତ ଅନ୍ୟାନ୍ୟ ଜରୁରୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। 

ଇନପୁଟ ଲାଇନରେ ତ୍ରୁଟି ଥିବାରୁ ଜେନେରେଟର ମାଧ୍ୟମରେ ମଧ୍ୟ ବିଦ୍ୟୁତ ସଂଯୋଗ କରାଯାଇ ପାରୁନାହିଁ। ଫଳରେ ହସ୍ପିଟାଲରେ ଭର୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହସ୍ପିଟାଲ ପରିସରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି।

ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସାଳୟର ଇନଚାର୍ଜ ଡାକ୍ତର ରଞ୍ଜିତ ରାଉତ କହିଛନ୍ତି ଯେ ଆମେ ଏ ବିଷୟରେ ନୂଆପଡ଼ା ସିଡିଏମଓ, ନୂଆପଡ଼ା ବିଦ୍ୟୁତ ବିଭାଗର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଏବଂ ଖଡ଼ିଆଳ ବିଦ୍ୟୁତ ବିଭାଗର ଏସ୍.ଡି.ଓଙ୍କୁ ଲିଖିତ ଭାବେ ଅବଗତ କରାଇସାରିଛୁ। ନୂଆପଡ଼ାରୁ ଏକ ବିଶେଷଜ୍ଞ ବିଦ୍ୟୁତ ଦଳ ଆସି ମରାମତି କାର୍ଯ୍ୟ କରୁଛନ୍ତି। କିନ୍ତୁ ଫଲ୍ଟ ଚିହ୍ନଟ ହୋଇ ନ ପାରୁଥିବାରୁ ବିଦ୍ୟୁତ ସଂଯୋଗ କରିବାରେ ବିଳମ୍ବ ହେଉଛି। ଶନିବାର ସକାଳୁ ବିଶେଷଜ୍ଞ ଦଳ ମରାମତି କାର୍ଯ୍ୟରେ ଲାଗିପଡିଥିବା ଦେଖିବାକୁ ମିଳିଛି।

ହସ୍ପିଟାଲ କର୍ତ୍ତୃପକ୍ଷ ଯେତେ ଶୀଘ୍ର ସମ୍ଭବ ମରାମତି କରି ରୋଗୀ ସେବାକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ତେବେ ବିଦ୍ୟୁତ ଅଭାବରୁ ଜରୁରୀକାଳୀନ ସେବା ପ୍ରଭାବିତ ହେଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ରୋଗୀ ମାନେ ତିନି ଦିନରୁ ଅଧିକ ହେବ ଲାଇଟ ସମସ୍ୟା ରହିଥିବା ପ୍ରକାଶ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.