Health: ଥାଲାସେମିଆ ସମ୍ପର୍କରେ ଅଧିକ ସଚେତନତା ଆବଶ୍ୟକ: ରାଜ୍ୟପାଳ

48 minutes ago 1
ARTICLE AD BOX

ଭୁବନେଶ୍ୱର: ଥାଲାସେମିଆ ରୋଗ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ସହ ଅଜଣା ରହିଯାଉଥିବା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା (IRCS-OSB)କୁ ଆହ୍ୱାନ ଦେଇଛନ୍ତି। ଲୋକ ଭବନସ୍ଥିତ ନ୍ୟୁ ଅଭିଷେକ ହଲ୍‌ର ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ IRCS-OSBର କାର୍ଯ୍ୟକାରୀ କମିଟି ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଥାଲାସେମିଆ ସମ୍ପର୍କରେ ଦୀର୍ଘମିଆଦୀ ସଚେତନତା ଅଭିଯାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ପରିପ୍ରେକ୍ଷୀରେ ଏବଂ ଅନେକ ମାମଲା ଚିହ୍ନଟ ନ ହୋଇ ରହିଯାଇଥିବା ସମ୍ଭାବନା ଥିବାରୁ ନିରନ୍ତର ସଚେତନତା ଅଭିଯାନ ଚଳାଇବାକୁ ସେ ପରାମର୍ଶ ଦେଇଥିଲେ। ରେଡ୍ କ୍ରସ୍‌ର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କର୍ପୋରେଟ୍ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ କରି କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି (CSR) ମାଧ୍ୟମରେ ସହଯୋଗ ହାସଲ କରିବାକୁ ମଧ୍ୟ ରାଜ୍ୟପାଳ ପରାମର୍ଶ ଦେଇଥିଲେ। କାର୍ଯ୍ୟକଳାପର ନିୟମିତ ସମୀକ୍ଷା ଓ ଅନୁସରଣ ପାଇଁ କାର୍ଯ୍ୟକାରୀ କମିଟି ବର୍ଷକୁ ଅତି କମ୍‌ରେ ତିନିଥର ବୈଠକ କରିବା ଉଚିତ ବୋଲି ସେ କହିଥିଲେ।

ଓଡ଼ିଶାରେ ରେଡ୍ କ୍ରସ୍‌ର କାର୍ଯ୍ୟକଳାପରେ ସନ୍ତୋଷ ପ୍ରକାଶ କରି ରାଜ୍ୟପାଳ ବୃଦ୍ଧଜନ ସେବାରେ ନିୟୋଜିତ ସ୍ୱେଚ୍ଛାସେବୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନର ପରାମର୍ଶ ଦେଇଥିଲେ। ଏଥିପାଇଁ ଆବଶ୍ୟକ ସରକାରୀ ଅନୁମୋଦନ ନେବା ସହ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ସହଯୋଗ ନେବାକୁ ସେ କହିଥିଲେ।

Heavy rain: ଉଦ୍ଧାର ହୋଇପାରିଲେ ନି ପ୍ରସୂତି, ନଦୀର ପ୍ରଖର ସ୍ରୋତରେ ଓଲଟିଲା ଡଙ୍ଗା

ରାଜ୍ୟପାଳ କହିଥିଲେ ଯେ, ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି ମାନବତା ପ୍ରତି ନିଃସ୍ୱାର୍ଥ ସେବାର ପ୍ରତୀକ। ଲୋକଙ୍କ ଦୁଃଖ ଦୂର କରିବା, ଜୀବନର ସୁରକ୍ଷା ଏବଂ ଆବଶ୍ୟକ ସମୟରେ ଲୋକଙ୍କୁ ସହାୟତା କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା ରାଜ୍ୟ ଶାଖାର ମାନବିକ, ସ୍ୱାସ୍ଥ୍ୟସେବା ଓ ସାମାଜିକ କଲ୍ୟାଣମୂଳକ ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ରାଜ୍ୟରେ ରେଡ୍ କ୍ରସ୍ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ। ଏଥିସହ ଯୁବବର୍ଗ ଓ ସ୍ୱେଚ୍ଛାସେବୀଙ୍କ ଅଧିକ ଅଂଶଗ୍ରହଣ ନିଶ୍ଚିତ କରିବା ସହ ରେଡ୍ କ୍ରସ୍‌ର ସେବା ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ।

ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ IRCS-OSBର କାର୍ଯ୍ୟକାରୀ କମିଟି ସଦସ୍ୟ ଏବଂ ବିଭିନ୍ନ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। IRCS-OSBର ଅବୈତନିକ ସଚିବ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ର ବିବରଣୀ ଉପସ୍ଥାପନା କରିଥିଲେI 

Read Entire Article
LEFT SIDEBAR AD

Hidden in mobile, Best for skyscrapers.