ARTICLE AD BOX
ନୂଆଦିଲ୍ଲୀ: ଜାତୀୟ ହସ୍ତତନ୍ତ ଦିବସ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହସ୍ତତନ୍ତ ବସ୍ତ୍ର ଓ ସ୍ବଦେଶୀ ଉତ୍ପାଦ ପ୍ରତି ଆକର୍ଷିତ କରିବା ଲକ୍ଷ୍ୟରେ ଏକ ନୂଆ ଇନ୍ଷ୍ଟାଗ୍ରାମ ଭିଡିଓ ସେୟାର କରିଛନ୍ତି। ଗୁରୁବାର ପ୍ରକାଶିତ ଏହି ଭିଡିଓରେ ସେ ବିଭିନ୍ନ ପ୍ରକାରର ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିବା ଦେଖାଯାଇଛି। ଏହା ସହିତ ଭାରତର ସମୃଦ୍ଧ ବୟନ ପରମ୍ପରା, ସ୍ଥାନୀୟ ବୁଣାକାରଙ୍କ ଦକ୍ଷତା ଓ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ସେ ପ୍ରୋତ୍ସାହିତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ହସ୍ତତନ୍ତ କେବଳ ଏକ ପୋଷାକ ନୁହେଁ, ଏହା ଦେଶର ସାଂସ୍କୃତିକ ପରମ୍ପରା, କଳାକୌଶଳ ଓ ଲକ୍ଷ ଲକ୍ଷ ବୁଣାକାରଙ୍କ ପରିଶ୍ରମର ପ୍ରତୀକ। ଦେଶର ପ୍ରତ୍ୟେକ ଅଞ୍ଚଳର ହସ୍ତତନ୍ତ ବସ୍ତ୍ର ନିଜସ୍ୱ ପରିଚୟ ବହନ କରେ। ସେହି ପରମ୍ପରାକୁ ସୁରକ୍ଷିତ ରଖିବା ସହ ସ୍ଥାନୀୟ କାରିଗରଙ୍କୁ ସଶକ୍ତ କରିବା ପାଇଁ ହସ୍ତତନ୍ତ ବସ୍ତ୍ର ବ୍ୟବହାର କରିବାକୁ ସେ ଆହ୍ବାନ ଜଣାଇଛନ୍ତି। ଭିଡିଓରେ ‘ସ୍ବଦେଶୀ’, ‘ଭୋକାଲ୍ ଫର୍ ଲୋକାଲ୍’ ଓ ‘ଆତ୍ମନିର୍ଭର ଭାରତ’ର ବାର୍ତ୍ତାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ହସ୍ତତନ୍ତ ସାମଗ୍ରୀ କ୍ରୟ କଲେ କେବଳ ଦେଶର ଐତିହ୍ୟ ରକ୍ଷା ହୁଏ ନାହିଁ, ବରଂ ବୁଣାକାର ଓ ସେମାନଙ୍କ ପରିବାରର ଜୀବିକାକୁ ମଧ୍ୟ ସହାୟତା ମିଳେ। ସ୍ଥାନୀୟ ଉତ୍ପାଦକୁ ପ୍ରାଧାନ୍ୟ ଦେବା ଦେଶର ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିଥାଏ।
Boyanika: ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶାରେ ଡିଜାଇନର ହସ୍ତତନ୍ତ କଲେକ୍ସନ
ପ୍ରତିବର୍ଷ ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଏ। ୧୯୦୫ ମସିହାରେ ଏହି ଦିନ ସ୍ବଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେହି ଐତିହାସିକ ଘଟଣାକୁ ସ୍ମରଣ କରିବା ସହ ଦେଶର ହସ୍ତତନ୍ତ ଶିଳ୍ପ ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ୨୦୧୫ ମସିହାରୁ କେନ୍ଦ୍ର ସରକାର ଏହି ଦିବସ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ବ୍ୟାପକ ଭାବେ ସେୟାର ହେଉଛି।

1 hour ago
1


