ARTICLE AD BOX
ଭୁବନେଶ୍ୱର: ଏକ ବଡ଼ ଶିକ୍ଷା ହବ୍ ଭାବେ ରାଜଧାନୀ ଭୁବନେଶ୍ୱର ପରିଚିତ ହେଉଛି। ଉଚ୍ଚଶିକ୍ଷା ପାଇଁ ଏଠାକୁ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଅନେକ ଛାତ୍ରଛାତ୍ରୀ ଆସୁଛନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ପାଠାଗାର ପରି ଏକ ମୌଳିକ ଆବଶ୍ୟକତା ଏଠି ପୂରଣ ହୋଇପାରୁନି। ତିନିଟି ବଡ଼ ସରକାରୀ ପାଠାଗାର ଭାବେ ହରେକୃଷ୍ଣ ମହତାବ ଗ୍ରନ୍ଥାଗାର, ସନ୍ଥକବି ଭୀମଭୋଇ ପାଠାଗାର, ଜୟଦେବ ଭବନରେ ଥିବା ସୂଚନା ଓ ଲୋକସମ୍ପର୍କ ଭବନ ପାଠାଗାର ଏବଂ ସହିଦ ନଗରସ୍ଥିତ ପାଠାଗାର ଉପରେ ସମସ୍ତଙ୍କୁ ନିର୍ଭରଶୀଳ ହେବାକୁ ପଡ଼ୁଛି। ସେଠାରେ ଥିବା ବହିଗୁଡ଼ିକର ସଂଖ୍ୟା ଓ ମାନର କଥା ତ ପରେ ଆସିବ, ସେଠାରେ ବସିବାକୁ ମଧ୍ୟ ଯଥେଷ୍ଟ ଆସନ ନାହିଁ। ସକାଳ ୮ଟା ପୂର୍ବରୁ ଲାଇବ୍ରେରି ସମ୍ମୁଖରେ ଲାଗୁଛି ପିଲାଙ୍କ ଲମ୍ବା ଧାଡ଼ି।
We speak cuttack words: ‘ଆମେ କଟକିଆ: ଆମେ କହିବା କଟକ କଥା’ ପାଞ୍ଚ ପ୍ରସଙ୍ଗରେ ଶେଷଯାଏଁ ଲଢ଼ିବାକୁ ସମସ୍ତେ ସହମତ
ଜୟଦେବ ଭବନରେ ଥିବା ପାଠାଗାରଟି ବହୁ ସମସ୍ୟା ଦେଇ ଗତି କରୁଛି। ୧୯୭୬ ମସିହାରୁ ପିଲାଙ୍କ ପାଇଁ ଖୋଲା ହୋଇଥିବା ଲାଇବ୍ରେରିରେ ସିଟ୍ ସଂଖ୍ୟା ମାତ୍ର ୨୦୦। ସେଥିରେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ସିଟ୍ ବଣ୍ଟା ହୋଇଯାଇଛି। ଫଳରେ କିଏ ତଳେ ଆସନ ପାରି ବସୁଛି ତ କିଏ ବାହାରେ ଅଥବା ପାଠାଗାର ସମ୍ମୁଖରେ ଥିବା ଇନ୍ଦିରା ଗାନ୍ଧୀ ପାର୍କରେ ବସି ପଢ଼ୁଛନ୍ତି। ପୁଣି ପରିଚାଳନା ଅଭାବରୁ କମ୍ପ୍ୟୁଟରଗୁଡ଼ିକ ଖରାପ ହୋଇଯାଇଥିବାରୁ ପରିସରରେ ଥିବା ଇ-ଲାଇବ୍ରେରି ବନ୍ଦ ହୋଇଯାଇଛି। ୨୦୦ ସିଟ୍କୁ ପିଲା ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଥିବାରୁ କମ୍ପ୍ୟୁଟରଗୁଡ଼ିକୁ ହଟାଇ ଦିଆଯାଇ ସେଠାରେ ପିଲାମାନେ ବସୁଛନ୍ତି। ପୁଣି ଏଠାରେ ପୁସ୍ତକ ନାହିଁ। କେବଳ ପତ୍ରିକା ଓ ଖବରକାଗଜ ଆସୁଛି।
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପ୍ରତିଦିନ ଶହଶହ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବବର୍ଗ ଆସିଥାନ୍ତି। କିନ୍ତୁ ଏଠାରେ ମାତ୍ର ୬୦୦ ପିଲା ବସିପାରୁଛନ୍ତି। ଉପଲବ୍ଧ ବହିଗୁଡ଼ିକ ମଧ୍ୟ ସେଭଳି ଉତ୍ସାହପ୍ରଦ ନୁହେଁ ବୋଲି ପିଲାମାନେ କହିଛନ୍ତି। ବହିର ସଂଖ୍ୟା ନୁହେଁ, ମାନକୁ ଗୁରୁତ୍ବ ଦିଆଯିବା ଉଚିତ। ନୂଆ ସମୟର ଆବଶ୍ୟକତାକୁ ଦେଖି ବହି ରଖାଯିବା ଉଚିତ ବୋଲି ଏଠାକୁ ଆସୁଥିବା ଅନେକ ଛାତ୍ରଛାତ୍ରୀ କହିଛନ୍ତି। ସେହିପରି ବାପୁଜୀନଗରସ୍ଥିତ ସନ୍ଥକବି ଭୀମଭୋଇ ପାଠାଗାରରେ ୨୨୦ ସିଟ୍ ରହିଛି। ଏଠାରେ ପାଖାପାଖି ୫୫୯୨ ପୁସ୍ତକ ରହିଛି। ସହିଦନଗର ସ୍ଥିତ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସେସ୍ ସେଣ୍ଟର୍ରେ ଥିବା ଲାଇବ୍ରେରିରେ ମାତ୍ର ୩୦ଟି ପିଲା ବସିପାରିଲା ଭଳି ସ୍ଥାନ ରହିଛି। ପୂର୍ବାହ୍ଣ ୯ଟା ମଧ୍ୟରେ ସେସବୁ ସିଟ୍ ପୂରା ହୋଇଯାଉଥିବାରୁ ପରେ ଆସୁଥିବା ଛାତ୍ରଛାତ୍ରୀ ନିରାଶ ହୋଇ ଫେରୁଛନ୍ତି। ଏପରିକି ସରକାରୀ ଚାକିରି ପରୀକ୍ଷା ପାଇଁ ଦରକାର ଥିବା ସାଧାରଣ ବହି ମଧ୍ୟ ସେଠାରେ ନାହିଁ। ପୁଣି ଉପରୋକ୍ତ ଲାଇବ୍ରେରିଗୁଡ଼ିକ ରାଜଧାନୀର କେନ୍ଦ୍ରସ୍ଥଳୀରେ ରହିଛି। ହେଲେ ଏଠାରେ ରହିବା ଆର୍ଥିକ ଦୃଷ୍ଟିରୁ ଖର୍ଚ୍ଚବହୁଳ ଥିବାରୁ ଅନେକ ଛାତ୍ରଛାତ୍ରୀ ପଟିଆ, ଖଣ୍ଡଗିରି, ଲୁଇସ୍ ରୋଡ୍, ଭିଏସ୍ଏସ୍ନଗର, ଡୁମୁଡୁମା ଆଦି ଘରୋଇ ହଷ୍ଟେଲରେ ରହୁଛନ୍ତି। ସେମାନଙ୍କ ପାଇଁ ଲାଇବ୍ରେରିଗୁଡ଼ିକର ଦୂରତା ବହୁତ ଅଧିକ ହୋଇଯାଉଛି।
ଖୁବ୍ଶୀଘ୍ର ଆଙ୍ଗୁଳି ଟିପରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସ୍ମିତା ମହାନ୍ତି କହିଛନ୍ତି ଯେ ବିଭାଗ ଅଧୀନରେ ଥିବା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଓ ସନ୍ଥକବି ଭୀମଭୋଇ ପାଠାଗାର ଆଙ୍ଗୁଳି ଟିପରେ ପହଞ୍ଚାଇବା ପାଇଁ କାର୍ଯ୍ୟ ଚାଲିଛି। ନାସନାଲ ମିସନ ଅନ୍ ଲାଇବ୍ରେରି ସହାୟତାରେ ପାଠାଗାରକୁ ଡିଜିଟାଇଜ୍ କରାଯିବ। ପିଲାମାନେ ଯେକୌଣସି ସ୍ଥାନରେ ରହି ପାଠାଗାରର ସଦସ୍ୟତା ନେଇପାରିବେ। ପାଠାଗାରରେ ଥିବା ଲକ୍ଷାଧିକ ପୁସ୍ତକର ଗ୍ରନ୍ଥସୂଚନା ସମେତ ହଜିଯାଉଥିବା ବହୁ ପୁସ୍ତକକୁ ପିଡିଏଫ୍ ମାଧ୍ୟମରେ ପଢ଼ିପାରିବା ପାଇଁ କାମ ଚାଲିଛି। ଦିବ୍ୟାଙ୍ଗମାନଙ୍କ ପଢ଼ିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଚାଲିଛି। ସହରର ଚାରିଟି ଜୋନ୍ରେ ପାଠାଗାର ଖୋଲିବା ପାଇଁ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।

1 hour ago
1


