Goa SIR 2026: ଗୋଆର ୯୭ ଯୋଗ୍ୟ ଭୋଟରଙ୍କ ନାଁ ଚୂଡ଼ାନ୍ତ ତାଲିକାରୁ ବାଦ୍, ନିର୍ବାଚନ ଆୟୋଗକୁ ଘେରିଲେ ବିରୋଧୀ

3 days ago 5
ARTICLE AD BOX

ନୂଆଦିଲ୍ଲୀ: ଗୋଆରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପରେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରୁ ୯୭ ଜଣ ଯୋଗ୍ୟ ଭୋଟରଙ୍କ ନାଁ ବାଦ ପଡ଼ିଥିବା ନେଇ ନିର୍ବାଚନ ଆୟୋଗକୁ ବିରୋଧୀ ଦଳଗୁଡ଼ିକ ଘେରିଛନ୍ତି। ଏହି ୯୭ ଜଣଙ୍କୁ ସ୍ଥାନୀୟ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍‌ଓ) ଯାଞ୍ଚ ପରେ ଭୋଟର ତାଲିକାରେ ସାମିଲ କରିବାକୁ ଯୋଗ୍ୟ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଚୂଡ଼ାନ୍ତ ତାଲିକାରେ ସେମାନଙ୍କ ନାଁ ରହିନଥିଲା।

ରିପୋର୍ଟ ଅନୁଯାୟୀ, ଗୋଆର ଇଆର୍‌ଓମାନେ ପୂର୍ବରୁ ବାଦ୍ ଦିଆଯାଇଥିବା ନାଁକୁ ପୁଣି ଯୋଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଆବଶ୍ୟକ ପରିବର୍ତ୍ତନ କରିବାର ସୁବିଧା କେନ୍ଦ୍ରୀୟ ଇସିଆଇନେଟ୍‌ ସଫ୍ଟୱେର୍‌ରେ ଉପଲବ୍ଧ ନଥିଲା। ଗୋଆର ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ଗୋଏଲ୍‌ ଫେବ୍ରୁଆରି ୧୧ରୁ ୧୭ ତାରିଖ ମଧ୍ୟରେ ୭ ଦିନରେ ୮ ଥର ନିର୍ବାଚନ ଆୟୋଗକୁ ଚିଠି ଲେଖି ଏଥିପାଇଁ ରୋଲ୍‌ବ୍ୟାକ୍‌ ସୁବିଧା ଦେବାକୁ ଅନୁରୋଧ କରିଥିଲେ। ଆୟୋଗର ଜଣେ ଉପନିର୍ବାଚନ ଆୟୁକ୍ତ ମଧ୍ୟ ଆଇଟି ବିଭାଗକୁ ଆବଶ୍ୟକ ସଂଶୋଧନ କରିବାକୁ କହିଥିବା ରିପୋର୍ଟରେ ଦର୍ଶାଯାଇଛି।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଏସ୍‌ଆଇଆର୍‌ ସମୟରେ ତଥ୍ୟରେ ଅସଙ୍ଗତି ଦେଖାଯାଇଥିବା ଭୋଟରଙ୍କୁ ନିଜ ପକ୍ଷ ରଖିବା ଓ ଆବଶ୍ୟକ ଦଲିଲ ଦେବାର ସୁଯୋଗ ଦିଆଯାଇଥିଲା। ଗୋଆରେ ଏପରି ମାମଲାରେ ଦଲିଲ ଯାଞ୍ଚ ପରେ ୯୭ ଜଣଙ୍କୁ ଯୋଗ୍ୟ ବୋଲି ଇଆର୍‌ଓ ଓ ସହକାରୀ ଇଆର୍‌ଓମାନେ ନିଷ୍ପତ୍ତି ନେଇଥିଲେ। ତଥାପି ଫେବ୍ରୁଆରି ୨୧ରେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ସେମାନଙ୍କ ନାଁ ନଥିଲା। ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଏହି ୯୭ ନାଁ ତାଲିକାରେ ନଥିବା ଯାଞ୍ଚରୁ ଜଣାପଡ଼ିଛି। ଏହି ଘଟଣାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସିଆଇ ସହ ମିଶି ଭୋଟ୍‌ ଚୋରିରେ ସମ୍ପୃକ୍ତ ଥିବା କଂଗ୍ରେସ ଅଭିଯୋଗ କରିଛି। ରମେଶଙ୍କ ଅଭିଯୋଗ ଅନୁସାରେ, ଇସିଆଇନେଟ୍‌ର କେନ୍ଦ୍ରୀକୃତ ନିୟନ୍ତ୍ରଣ ଯୋଗୁଁ ଭୂମିସ୍ତରରେ ଆଇନଗତ ଦାୟିତ୍ୱ ତୁଲାଉଥିବା ଇଆର୍‌ଓମାନେ ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରି ନଥିଲେ। ସେ ଏହାକୁ ନେଇ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ଏହି ଘଟଣାକୁ ଗୁରୁତର ବୋଲି କହି ନିର୍ବାଚନ ଆୟୋଗଠାରୁ ସ୍ପଷ୍ଟୀକରଣ ଦାବି କରିଛନ୍ତି।

ତେବେ ନିର୍ବାଚନ ଆୟୋଗ ଏହି ବିବାଦ ନେଇ କହିଛି ଯେ ଇସିଆଇନେଟ୍‌ ସମେତ ଏହାର ଡିଜିଟାଲ୍‌ ବ୍ୟବସ୍ଥା କଠୋର ତଥ୍ୟ ସୁରକ୍ଷା ବ୍ୟବସ୍ଥା ଅଧୀନରେ କାମ କରେ। ଆୟୋଗର କହିବାନୁଯାୟୀ, ଇଆର୍‌ଓ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଆଇନ ଅନୁସାରେ ଭୋଟରଙ୍କ ନାଁ ଯୋଡ଼ିବା ଓ ବାଦ୍ ଦେବାର ଅଧିକାର ରଖନ୍ତି। ଏସ୍‌ଆଇଆର୍‌ ସମେତ ଗତ ଏକ ବର୍ଷର ସମସ୍ତ ନିଷ୍ପତ୍ତି ପୂର୍ଣ୍ଣ ଆୟୋଗର ସହମତିରେ ନିଆଯାଇଛି ବୋଲି ଆୟୋଗ ସ୍ପଷ୍ଟ କରିଛି। ଗୋଆର ଏହି ଘଟଣା ଏବେ ଭୋଟର ତାଲିକା ପରିଚାଳନାରେ ସଫ୍ଟୱେର୍‌ ବ୍ୟବସ୍ଥା ଓ ଭୂମିସ୍ତରର ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ମଧ୍ୟରେ ସମନ୍ୱୟକୁ ନେଇ ପ୍ରଶ୍ନ ଉଠାଇଛି।

‘ଲଫାପା’ ଚିହ୍ନକୁ ନେଇ ପ୍ରଶ୍ନ କରିଛନ୍ତି ଅଦାଲତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.