Geology of Odisha: ହିମବାହ ରଚେ ହାହାକାର: ଓଡ଼ିଶା ଭୂତତ୍ତ୍ବକୁ ଆକାର ଦେଇଛି ହିମବାହ

2 hours ago 1
ARTICLE AD BOX

ଗ୍ଲେସିଅର୍‌ ବା ହିମବାହର ବିଘଟନ ଯୋଗୁଁ ନେପାଳର ମହାପ୍ରଳୟ ପୃଥିବୀକୁ ସ୍ତବ୍‌ଧ କରିଦେଇଛି। ଏଭଳି ବିପର୍ଯ୍ୟୟ ବେଳେ ସାରା ବିଶ୍ବରେ ଗ୍ଲେସିଅର୍‌ ଓ ସମ୍ଭାବ୍ୟ ବିପଦକୁ ନେଇ ଚର୍ଚ୍ଚା। ଏହି ଧବଳ ପାହାଡ଼ ହୁଏତ ଦିନେ ମାନବଜାତି ପାଇଁ କଳାଦିନ ନେଇ ଆସିପାରେ। ବିଶ୍ବର ଅନେକ ଅଞ୍ଚଳ ଭଳି ଓଡ଼ିଶାର ଭୂତତ୍ତ୍ବକୁ ବଦଳାଇ ଦେଇଥିବା ହିମବାହକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ। 

ଦିନ ନେପାଳ-ଚୀନ୍‌ ସୀମାନ୍ତ ଇଲାକାର ଆକାଶ ଥିଲା ନିର୍ମେଘ। ଟୋପାଏ ବି ବର୍ଷା ନ ଥିଲା। କିନ୍ତୁ  ହଠାତ୍‌ ମାଡ଼ିଆସିଲା ଆକସ୍ମିକ ବନ୍ୟା। କର୍ଦ୍ଦମ ଓ ଜଳରେ କେତେକ ନଗରୀ ଓ ଜନବସତିକୁ ଡୁବାଇ ଦେଲା। ବାସ୍ତବ କଥା ହେଉଛି, ହିମବାହ ତରଳି ତନ୍ମଧ୍ୟରେ ସୃଷ୍ଟି ହୋଇଥିବା ଗୋଟାଏ ଜଳାଶୟ ଅକସ୍ମାତ ଧସି ପଡ଼ିବାରୁ ବନ୍ୟା ମାଡ଼ି ଆସିଲା। ଏତାଦୃଶ ବିରଳ ପ୍ରାକୃତିକ ଦୁର୍ବିପାକରେ ପ୍ରାୟ ୪୬୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଆହୁରି ୧,୪୯୮ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଭୂମିକମ୍ପ ଅଥବା ଭୂଚଳନ ଯୋଗୁଁ ହିମବାହ ଧସି ପଡ଼ିବାରୁ ଏଭଳି ପ୍ରଳୟ ଘଟିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ ଓ ଅନ୍ୟ କେତେକ ବିଶେଷଜ୍ଞ କହୁଛନ୍ତି।

ହିମବାହ ସ୍ଖଳନ ବାସ୍ତବରେ କ’ଣ? ଏହା ବିଗିଡ଼ି ଚାଲିଥିବା ଜଳବାୟୁ ପରିବର୍ତ୍ତନଜନିତ ପ୍ରଳୟଙ୍କରୀ ପରିଣାମ ନୁହେଁ ତ? ସରଳ ଭାଷାରେ କହିଲେ, ‌େଗ୍ଲସିଅଲ୍‌ କୋଲାପ୍ସ ବା ହିମବାହ ସ୍ଖଳନ ହେଉଛି ଚିରକାଳ ଜମାଟ ବାନ୍ଧି ରହିଥିବା ପ୍ରଶସ୍ତ ବରଫ ଆସ୍ତରଣରୁ ଖଣ୍ଡେ ପ୍ରକାଣ୍ଡ ଅଂଶ ଫାଟି ବିଚ୍ଛିନ୍ନ ହୋଇଯିବା। କଦାଚିତ୍‌ ଏହି ବୃହଦ୍‌କାୟ ବିଚ୍ଛିନ୍ନ ବରଫ ଚଟାଣର ଆକାର କୋଟି କୋଟି କ୍ୟୁବିକ୍‌ ମିଟର୍‌ ହୋଇଥାଏ। ଏଥିରେ ବରଫ ସହିତ ଶିଳା ଓ ଜଳ ମଧ୍ୟ ରହିଥାଏ। କିଛି ବିଶେଷଜ୍ଞମାନଙ୍କ ମତ ଯେ, ଏହି ଦୁର୍ବିପାକ ଅନ୍ତରାଳରେ ରହିଛି ସମଗ୍ର ହିମାଳୟ ଅଞ୍ଚଳରେ ଘଟୁଥିବା ଗ୍ଲେସିଅଲ୍‌ କ୍ଷୟ ବା ତରଳି ଯାଉଥିବା ହିମବାହ।

ପୃଥିବୀରେ ବରଫର ଭୂମିକା କ’ଣ?
ହିମବାହ କଥା ଜାଣିବା ପୂର୍ବରୁ ଆଗ ଜାଣି ନେବା ପୃଥିବୀରେ ବରଫର ଭୂମିକା କ’ଣ? ବରଫ ପୃଥିବୀ ଓ ସାଗର ପାଇଁ ସୁରକ୍ଷା କବଚ ଭଳି କାର୍ଯ୍ୟ କରେ। ଉଜ୍ଜ୍ବଳ ଓ ଧବଳ ବରଫ ସମଷ୍ଟି ମାତ୍ରାଧିକ ଉତ୍ତାପ ପ୍ରତିଫଳନ କରି ମହାଶୂନ୍ୟକୁ ପ୍ରତ୍ୟାବର୍ତ୍ତନ କରାଇ ପୃଥିବୀକୁ ଅପେକ୍ଷାକୃତ ଶୀତଳ ରଖେ। ଏହାର ଦୃଷ୍ଟାନ୍ତ ହେଉଛି, ଆର୍କଟିକ୍‌ ବା ଉତ୍ତରମେରୁ ଅଞ୍ଚଳ। ଏହି ଅଞ୍ଚଳ ବିଷୁବରେଖା ଅଞ୍ଚଳ ଅପେକ୍ଷା ଶୀତଳ। ଏହାର କାରଣ ହେଲା, ସୂର୍ଯ୍ୟ କିରଣରୁ ଆସୁଥିବା ଉତ୍ତାପ ଉତ୍ତରମେରୁ ଅଞ୍ଚଳରେ ଥିବା ବରଫ ଉପରେ ପ୍ରତିଫଳିତ ହୋଇ ପୁନଶ୍ଚ ମହାଶୂନ୍ୟକୁ ଫେରିଯାଏ।

କେଉଁଠି କେତେ ହିମବାହ
ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଥିବା ଗ୍ଳେସିଅର୍‌ ବା ଚିରତୁଷାରସ୍ତୂପ, ସରଳ ଭାଷାରେ କହିଲେ ଏହା ହେଉଛି ଏକ ଏକ ବୃହଦ୍‌କାୟ ବରଫ ଖଣ୍ଡ, ଯାହା ସାଧାରଣତଃ କେବେ ତରଳେ ନାହିଁ। ଶହ ଶହ ଅଥବା ହଜାର ହଜାର ବର୍ଷ ତଳୁ ଆପଣାଛାଏଁ ଗଠିତ ଏହିସବୁ ଓଜନଦାର ବରଫ ଖଣ୍ଡକୁ ସମ୍ପ୍ରତି ଚଳନ୍ତି ଭାଷାରେ ହିମବାହ କୁହାଯାଉଛି। ସମୟକ୍ରମେ ଜଳବାୟୁ କିଭଳି ପରିବର୍ତ୍ତିତ ହୋଇଛି ତା’ର ବିଜ୍ଞାନସମ୍ମତ ରେକର୍ଡ ଏହି ପୁରାତନ ତୁଷାରସ୍ତୂପରୁ ଜାଣିହୁଏ। ହିମବାହ ଉପରେ ଗବେଷଣା କରି ମନୁଷ୍ୟ ଆଜି ଜାଣିପାରୁଛି ଯେ, ପୃଥିବୀ କେତେ ଦ୍ରୁତ ବେଗରେ ଉତ୍ତପ୍ତ ହୋଇଚାଲିଛି। ସମ୍ପ୍ରତି ପୃଥିବୀ ଭୂଭାଗର ପ୍ରାୟ ୧୦ ପ୍ରତିଶତ ଅଞ୍ଚଳ ସ୍ବାଭାବିକ ଭାବେ ସୃଷ୍ଟ ଏହି ହିମବାହ ବରଫ ଦ୍ବାରା ଆବୃତ। ଏହାର ପ୍ରାୟ ୯୦ ପ୍ରତିଶତ ରହିଛି ଆଣ୍ଟାର୍କଟିକାରେ ଏବଂ ବାକି ୧୦ ପ୍ରତିଶତ ରହିଛି ଗ୍ରିନ୍‌ଲାଣ୍ଡ୍‌ ଆଇସ୍‌ କ୍ୟାପ୍‌ ନାମରେ ବିଦିତ ବରଫ ଆସ୍ତରଣରେ।

sfsfhfshfshs

ଆଣ୍ଟାର୍କଟିକା ଓ ଗ୍ରିନ୍‌ଲାଣ୍ଡ୍‌ରେ ଦ୍ରୁତ ହିମବାହ ବିଗଳନ ମଧ୍ୟ ସମୁଦ୍ର ସ୍ରୋତ ଉପରେ ପ୍ରଭାବ ପକାଇଥାଏ। ହିମବାହରୁ ବିଗଳିତ ଜଳଧାରା ଅତ୍ୟନ୍ତ ଶୀତଳ ହୋଇଥିବାରୁ ଅପେକ୍ଷାକୃତ ଉଷ୍ଣ ସମୁଦ୍ର ଜଳରେ ପ୍ରବେଶ କରିବାରୁ ସମୁଦ୍ର ସ୍ରୋତ ମନ୍ଥର ହୋଇଯାଏ। ଏହାଛଡ଼ା ଭୂଭାଗରେ ଥିବା ହିମବାହରୁ ବରଫ ତରଳିବାରୁ ସମୁଦ୍ର ପତ୍ତନ ବୃଦ୍ଧି ପାଇଚାଲିଛି। କେବଳ ଯେ ଭୂଭାଗରେ ବରଫ ସୃଷ୍ଟି ହୁଏ, ତାହା ନୁହେଁ। ସମୁଦ୍ରରେ ବି ବରଫ ସୃଷ୍ଟି ହୁଏ। କିନ୍ତୁ, ଏ ଦୁଇଟି କଥା ମଧ୍ୟରେ ବିଶେଷ ଫରକ ରହିଛି। ସମୁଦ୍ରରେ ସୃଷ୍ଟି ହେଉଥିବା ବରଫ ସମୁଦ୍ର ମଧ୍ୟରେ ହିଁ ତରଳେ। ସମୁଦ୍ର ବରଫ ପାଣି ଗ୍ଲାସ୍‌ରେ ପଡ଼ିଥିବା ବରଫ ଖଣ୍ଡ ସଦୃଶ। ଏହା ତରଳି ଗଲେ ଯେମିତି ଗ୍ଲାସ୍‌ର ଜଳସ୍ତର ବୃଦ୍ଧି ପାଏନାହିଁ, ସେମିତି ସମୁଦ୍ରରେ ସୃଷ୍ଟ ବରଫ ତରଳିଲେ ଜଳସ୍ତର ବୃଦ୍ଧି ପାଏନାହିଁ। କିନ୍ତୁ, ଭୂଭାଗରେ ସୃଷ୍ଟି ହୋଇଥିବା ବୃହଦାକାର ହିମବାହରୁ ପ୍ରକାଣ୍ଡ ଅଥବା ଛୋଟ ଶିଳାକୃତି ବରଫ ଖଣ୍ଡ ଭାଙ୍ଗି ସମୁଦ୍ର ମଧ୍ୟରେ ପଡ଼େ। ଭୁପୃଷ୍ଠରେ ଥିବା ହିମବାହରୁ ବରଫ ତରଳି ପ୍ରଥମେ ଭୂପୃଷ୍ଠରେ ଜଳ ଜମା ହୋଇ ରହେ ଓ କ୍ରମେ ଝରିଯାଇ ସମୁଦ୍ରରେ ମିଶେ।

ହିମବାହ ସ୍ଖଳନ ମନୁଷ୍ୟକୃତ?
ଊନବିଂଶ ଶତାବ୍ଦୀ ପ୍ରାରମ୍ଭରୁ ସମଗ୍ର ବିଶ୍ବରେ ଥିବା ବିଭିନ୍ନ ହିମବାହ ଦ୍ରୁତ ବେଗରେ ତରଳି ଚାଲିଛି। ଏହାର ଅସଲ କାରଣ‌ ହେଉଛି, ମାନବୀୟ କାର୍ଯ୍ୟକଳାପ। ବିଶେଷକରି, ଶିଳ୍ପ ବିପ୍ଳବ ଆରମ୍ଭ ହେବା ଫଳରେ କାର୍ବନ୍‌ ଡାଇଅକ୍‌ସାଇଡ୍‌ ଓ ଅନ୍ୟାନ୍ୟ ଗ୍ରିନ୍‌ ହାଉସ୍‌ ଗ୍ୟାସ୍‌ ବା ଉତ୍ତାପ ଅବରୋଧକାରୀ ବାଷ୍ପ ନିର୍ଗମନ ବୃଦ୍ଧି ପାଇଲା। ସେଥିଯୋଗୁଁ ବାୟୁମଣ୍ଡଳ ଉତ୍ତପ୍ତ ହେଲା। ପରିଶେଷରେ ବାୟୁମଣ୍ଡଳ ଉତ୍ତାପ ମେରୁ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଲା।

ସେହି ହେତୁ ହିମବାହ ସବୁ ଦ୍ରୁତ ବେଗରେ ତରଳି ସମୁଦ୍ରରେ ପ୍ରବେଶ କରୁଛି ଓ ସମୁଦ୍ର ପତ୍ତନ ବୃଦ୍ଧି ପାଇବାରୁ ପୁନର୍ବାର ତାହା ଭୂପୃଷ୍ଠ ଉପରକୁ ମାଡ଼ି ଆସୁଛି। ଆଗାମୀ କିଛି ଦଶନ୍ଧି ମଧ୍ୟରେ ମନୁଷ୍ୟ ଉଲ୍ଲେଖନୀୟ ଭାବେ ଅଙ୍ଗାରକ ଭଳି ଉତ୍ତାପ ଆବଦ୍ଧକାରୀ ବାଷ୍ପ ନିର୍ଗମନ ଦମନ କରିବାକୁ ଉଦ୍ୟମ ଚଳାଇଛି, ତଥାପି ୨୧୦୦ ମସିହା ପୂର୍ବରୁ ବିଶ୍ବରେ ଥିବା ଅବଶିଷ୍ଟ ହିମବାହର ଏକତୃତୀୟାଂଶ ତରଳି ଯିବ। ତେଣେ ସମୁଦ୍ର ବରଫ ଅବସ୍ଥା ବି ସେହିଭଳି। ଉତ୍ତର ମେରୁ ଅଞ୍ଚଳରେ ଥିବା ସର୍ବପୁରାତନ ଓ ସବୁଠୁ ଘନ ବରଫରୁ ୯୫ ପ୍ରତିଶତ ଇତିମଧ୍ୟରେ ତରଳି ସାରିଛି। ସେହି ହେତୁ ବୈଜ୍ଞାନିକମାନେ କହୁଛନ୍ତି ଯେ, ଯଦି ଉତ୍ତାପ ଅାବଦ୍ଧକାରୀ ବାଷ୍ପ ନିର୍ଗମନ ଅବାଧରେ ବୃଦ୍ଧି ପାଇଚାଲିବ, ତା’ହେଲେ ୨୦୪୦ ସୁଦ୍ଧା ଉତ୍ତରମେରୁ ଅଞ୍ଚଳ ବରଫଶୂନ୍ୟ ହୋଇ ଯାଇପାରେ। ଏଥିରେ ସହଯୋଗ କରିବ ଦ୍ରୁତ ବର୍ଦ୍ଧମାନ ସମୁଦ୍ର ଓ ବାୟୁ ତାପମାତ୍ରା।

୨୦ ଫୁଟ୍‌ ବୃଦ୍ଧି ପାଇବ ସମୁଦ୍ର ପତ୍ତନ
ହିମବାହ ବିଗଳନ ହେତୁ ସମୁଦ୍ର ପତ୍ତନ ବୃଦ୍ଧି ପାଉଛି। ସେଥିଯୋଗୁଁ ଉପକୂଳ କ୍ଷୟ ହେଉଛି। ଉଷ୍ଣ ବାୟୁ ଓ ସମୁଦ୍ର ଉତ୍ତାପ ମିଳିତ ଭାବେ ଅଧିକରୁ ଅଧିକ ତୀବ୍ର ଉପକୂଳବର୍ତ୍ତୀ ବାତ୍ୟା ସୃଷ୍ଟି କରୁଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଗ୍ରିନ୍‌ଲାଣ୍ଡ୍‌ ଓ ଆଣ୍ଟାର୍କଟିକ୍‌ ବରଫ ଆସ୍ତରଣ ବୈଶ୍ବିକ ସମୁଦ୍ର ପତ୍ତନ ବୃଦ୍ଧି ନିମନ୍ତେ ଦାୟୀ। ଗ୍ରିନ୍‌ଲାଣ୍ଡ୍‌ର ବରଫ ଆସ୍ତରଣ ୨୦୦୩ ମସିହାରେ ଯେତେ ତରଳୁଥିଲା, ସମ୍ପ୍ରତି ତାହା ଚାରିଗୁଣ ଅଧିକ ତରଳିଲାଣି। ହିସାବ କରି ଦେଖାଯାଇଛି ଯେ, ସାମ୍ପ୍ରତିକ ସମୁଦ୍ର ପତ୍ତନ ବୃଦ୍ଧି ପ୍ରତି ଗ୍ରିନ୍‌ଲାଣ୍ଡ୍‌ ବରଫ ଆସ୍ତରଣ ବିଗଳନର ଅବଦାନ ୨୦ ପ୍ରତିଶତ।
ଏ ଦୁଇଟି ସ୍ଥାନର ବରଫ ବିଗଳନ ଉପରେ ଆଗାମୀ ଦିନର ସମୁଦ୍ର ପତ୍ତନ ବୃଦ୍ଧି ନିର୍ଭର କରୁଛି। ଯଦି ଉତ୍ତାପ ଆବଦ୍ଧକାରୀ ବାଷ୍ପ ନିର୍ଗମନ ବୃଦ୍ଧି ପାଇ ଚାଲେ, ତେବେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଗ୍ରିନ୍‌ଲାଣ୍ଡ୍‌ ବରଫ ଆସ୍ତରଣ ବିଗଳନ ଆହୁରି ଦୁଇଗୁଣ ବୃଦ୍ଧି ପାଇବ। ଯଦି ଗ୍ରିନ୍‌ଲାଣ୍ଡ୍‌ରେ ଥିବା ସମସ୍ତ ବରଫ ତରଳି ଯାଏ, ବିଶ୍ବବ୍ୟାପୀ ସମୁଦ୍ର ପତ୍ତନ ୨୦ଫୁଟ୍‌ ବୃଦ୍ଧି ପାଇବ।

ପୃଥିବୀର ଅନ୍ୟ ଯେକୌଣସି ପ୍ରାନ୍ତ ଅପେକ୍ଷା ସମ୍ପ୍ରତି ଉତ୍ତରମେରୁ ଅଞ୍ଚଳ ଦୁଇଗୁଣ ଉତ୍ତପ୍ତ ହେଉଛି। ଫଳ ସ୍ବରୂପ, ସେ ଅଞ୍ଚଳରେ ଥିବା ସମୁଦ୍ର ବରଫ ମଧ୍ୟ ପ୍ରତି ୧୦ବର୍ଷରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଉଛି। ବରଫ ତରଳୁଥିବାରୁ ସମୁଦ୍ରରେ ଥିବା କୃଷ୍ଣକାୟ ଚକଡ଼ା ସବୁ ଫୁଟି ବାହାରୁଛନ୍ତି। ସେଥିଯୋଗୁଁ ପୂର୍ବରୁ ଶୀତଳ ଥିବା ମେରୁ ଅଞ୍ଚଳର ଶୀତଳତା ବିଲୁପ୍ତ ହୋଇଗଲାଣି। ତା’ଛଡ଼ା ଏଥିଯୋଗୁଁ ବାୟୁ ତାପମାତ୍ରା ଉତ୍ତପ୍ତ ହୋଇ ସମୁଦ୍ର ମଧ୍ୟସ୍ଥ ସ୍ବାଭାବିକ ଜଳ ସଞ୍ଚାଳନରେ ବ୍ୟାଘାତ ସୃଷ୍ଟି କରୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏସବୁ ଅଞ୍ଚଳରେ ଯାହାକିଛି ଘଟୁଛି, ସମଗ୍ର ବିଶ୍ବରେ ଏହାର କୁପରିଣାମ ପରିଲକ୍ଷିତ ହେଉଛି। ସମୁଦ୍ର ବରଫ ଓ ହିମବାହ ତରଳୁଥିବାରୁ ଏବଂ ସମୁଦ୍ର ସ୍ରୋତ ଉଷ୍ଣ ହେଉଥିବାରୁ ବିଶ୍ବବ୍ୟାପୀ ପାଣିପାଗ ଧାରାରେ ବ୍ୟାଘାତ ସୃଷ୍ଟିହେଉଛି। ଉଷ୍ଣ ଜଳ ଯୋଗୁଁ ମାଛମାନଙ୍କର ଅଣ୍ଡାଦେବା ସ୍ଥାନ ପରିବର୍ତ୍ତନ ହେଉଛି, ଫଳରେ ମତ୍ସ୍ୟଶିଳ୍ପ କ୍ଷତି ସହୁଛି। ଥରକୁ ଥର ଭୀଷଣ ବନ୍ୟା ଓ ତୀବ୍ର ବାତ୍ୟା ଆସୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରାକୃତିକ ଦୁର୍ବିପାକ କବଳିତ ହେଉଛି। ସେସବୁ ଅଞ୍ଚଳ ପୁନଶ୍ଚ ସ୍ବାଭାବିକ କରିବା ଲାଗି କୋଟି କୋଟି ଟଙ୍କା ବ୍ୟୟ କରିବାକୁ ପଡୁଛି।

ଏହି ସପ୍ତାହରେ ସାରା ପୃଥିବୀକୁ ସ୍ତବ୍ଧ କରିଦେଇଛି ନେପାଳରେ ସଂଘଟିତ ଜଳ ପ୍ରଳୟ। ଇତିହାସ ପାଲଟିଯାଇଛି ଅନେକ ଭୂଖଣ୍ଡ। ଅଗଷ୍ଟ ୨୬ ତାରିଖରେ ନେପାଳ ଓ ସୀମାବର୍ତ୍ତୀ ତିବ୍ବତ ଅଞ୍ଚଳରେ ହୋଇଥିବା ଭୟଙ୍କର ଭୂସ୍ଖଳନ ଓ ଗ୍ଲେସିଅର୍‌ ବା ହିମବାହ ଭାଙ୍ଗିବା ଯୋଗୁଁ ଦେଖାଦେଇଥିଲା ଏହି ବିପତ୍ତି। ଆଶ୍ଚର୍ଯ୍ୟଜନକ କଥା ହେଲା, ହଠାତ୍‌ ବିରାଟ ବିରାଟ ବରଫ ପାହାଡ଼ ଭାଙ୍ଗି ପାଣି ଓ ମାଟି ଏକାକାର ହୋଇ ପ୍ରବଳ ବେଗରେ ମାଡ଼ି ଆସିଥିଲା। ଏହି ହିମବାହ ସ୍ଖଳନର କାରଣ ଖୋଜିବାରେ ଏବେ ସାରା ପୃଥିବୀ ବ୍ୟସ୍ତ, ଧ୍ବଂସସ୍ତୁପ ଭିତରୁ ଜୀବନ ସନ୍ଧାନ କରିବାରେ ବି ବ୍ୟସ୍ତ। ତେବେ ହିମବାହ ଏହି ପ୍ରଥମଥର ଲାଗି ପୃଥିବୀ ପୃଷ୍ଠରେ ଏତେବଡ଼ ମାନବିକ ସଙ୍କଟ ଛିଡ଼ା କରିନାହିଁ। ହଜାର ହଜାର, ଏପରିକି କୋଟି କୋଟି ବର୍ଷ ତଳୁ ହିମବାହ ପୃଥିବୀର ଭୂଚିତ୍ର ପରିବର୍ତ୍ତନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଥିରୁ ଆମ ରାଜ୍ୟ ଓଡ଼ିଶା ବାଦ୍‌ ପଡ଼ିନାହିଁ। କୋଟି କୋଟି ବର୍ଷ ତଳର ହିମଯୁଗରେ ଏଭଳି ଅନେକ ପ୍ରାକୃତିକ ଘଟଣା ଘଟିଛି, ଯାହା ଓଡ଼ିଶାକୁ ନୂଆ ଆକାର ଦେଇଛି। କହିବାକୁ ଗଲେ, କେତେ ଶହ ନିୟୁତ ବର୍ଷ ତଳେ ଓଡ଼ିଶାରେ ଥିଲା ବରଫର ଏକ ସାମ୍ରାଜ୍ୟ। ରାଜ୍ୟର ଭୂତାତ୍ତ୍ବିକ ଗଠନ, ବିଶେଷକରି କୋଇଲା ଭଳି ଖଣିଜ ସମ୍ପଦର ସୃଷ୍ଟି ପଛରେ ରହିଛି ପ୍ରାଚୀନ ହିମବାହର ନିର୍ଣ୍ଣାୟକ ଭୂମିକା।

ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଆର୍ଦ୍ର ଜଳବାୟୁରେ ଓଡ଼ିଶା ହନ୍ତସନ୍ତ ହେଉଛି। ଏହାକୁ ସାମ୍ନା କରିବା ଆଜିର ଦିନରେ ଏକ ବଡ଼ ଆହ୍ବାନ ପାଲଟିଛି। ତେବେ କୋଟି କୋଟି ବର୍ଷ ତଳେ ଏହି ଭୂଭାଗର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଭୂବିଜ୍ଞାନୀମାନଙ୍କ ମତରେ, ଆଜିକୁ ପ୍ରାୟ ୨୮ରୁ ୩୦ କୋଟି ବର୍ଷ ତଳେ ଏବେ ଓଡ଼ିଶା କୁହାଯାଉଥିବା ଭୂଭାଗର ଏକ ବିସ୍ତୃତ ଅଞ୍ଚଳ ବରଫର ମୋଟା ଚାଦର ତଳେ ପୋତି ହୋଇ ରହିଥିଲା। ଏହି ଯୁଗକୁ ବୈଜ୍ଞାନିକ ଭାଷାରେ ‘ପେର୍‌ମୋ-କାର୍ବୋନିଫେରସ୍‌ ଯୁଗ’ ବୋଲି କୁହାଯାଇଥାଏ। ସେତେବେଳେ ଏହି ବହୁ ପ୍ରାଚୀନ ହିମବାହ ବା ଗ୍ଲେସିଅର୍‌ଗୁଡ଼ିକର ଚଳନ ଓ ଏହି ପ୍ରକ୍ରିୟା ହିଁ ଓଡ଼ିଶାର ଭୂତାତ୍ତ୍ବିକ ଗଠନ ତଥା ପ୍ରଚୁର କୋଇଲା ଭଣ୍ଡାର ସୃଷ୍ଟିର ମୂଳଦୁଆ ପକାଇଥିଲା। ଭୂ-ତାତ୍ତ୍ବିକ ସର୍ବେକ୍ଷଣରୁ ଜଣାପଡ଼ିଥିବା ହିମବାହର ସବୁଠାରୁ ବଡ଼ ପ୍ରମାଣ ହେଉଛି, କୋଇଲାର ଭଣ୍ଡାର ଭାବେ ସାରା ପୃଥିବୀରେ ଜଣାଶୁଣା ଅନୁଗୋଳ ଜିଲ୍ଲାର ତାଳଚେର ସମେତ ମହାନଦୀ-ଇବ୍‌ ନଦୀର ଅବବାହିକା। ଜାପାନସ୍ଥିତ ଓସାକା ସିଟି ବିଶ୍ବବିଦ୍ୟାଳୟର ଭୂବିଜ୍ଞାନୀ ଡବ୍ଲୁ. ମାଏଜିମା, ଓସାକା ମ୍ୟୁଜିୟମ୍‌ ଅଫ୍‌ ନ୍ୟାଚୁରାଲ୍‌ ହିଷ୍ଟ୍ରିର ଟି. ନାକାଜୋ ଓ  ଓସାକା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଭୂବିଜ୍ଞାନୀମାନଙ୍କ ସମେତ ଓଡ଼ିଶାର କେତେକ ଭୂବିଜ୍ଞାନୀ ଏ ଦିଗରେ ଦୀର୍ଘ ଦିନରୁ ଗଭୀର ଅଧ୍ୟୟନ କରି ଏକ ନୂଆ ଦିଗ ଆବିଷ୍କାର କରିପାରିଛନ୍ତି।

ଭୂବିଜ୍ଞାନୀମାନେ ତାଙ୍କ ଗବେଷଣାଲବ୍ଧ ସାରାଂଶରେ ତାଳଚେର ଫର୍ମେସନ୍‌ ବା ତାଳଚେର ଶିଳାସ୍ତର ଉନ୍ମେଷର ଉଲ୍ଲେଖ କରନ୍ତି। ଭାରତ ଯେତେବେଳେ ପ୍ରାଚୀନ ଭୂଖଣ୍ଡ ଗଣ୍ଡୱାନାଲ୍ୟାଣ୍ଡର ଅଂଶ ଥିଲା, ସେତେବେଳେ ଏହି ଅଞ୍ଚଳ ଦେଇ ଗତି କରୁଥିବା ହିମବାହଗୁଡ଼ିକ ନିଜ ସହିତ ବିପୁଳ ପରିମାଣର ପଥର, ବାଲି ଓ କାଦୁଅ ବୋହି ଆଣିଥିଲେ। ହିମବାହର ଅବକ୍ଷେପଣ ଯୋଗୁଁ ସୃଷ୍ଟି ହୋଇଥିବା ଏହି ସ୍ୱତନ୍ତ୍ର ଶିଳାସ୍ତର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଭୂବିଜ୍ଞାନୀମାନଙ୍କ କହିବା ଅନୁସାରେ, ବୋଲ୍‌ଡର୍‌ ବେଡ୍‌ ଓ ଭୂ-ପୃଷ୍ଠରେ ପଥର, ବାଲି ଆଦିର ଘର୍ଷଣ ଚିହ୍ନ ଅନୁଗୋଳ ଜିଲ୍ଲାର ତାଳଚେର, ସମ୍ବଲପୁରର ମହାନଦୀ ତଥା ଝାରସୁଗୁଡ଼ା ଇବ୍‌ ନଦୀ ଅବବାହିକାର ହିମବାହ ଗୋଡ଼ି ପଥର ସ୍ତର (Glacial Boulder Beds)ରେ ଦେଖିବାକୁ ମିଳେ। ତଥ୍ୟ ଅନୁସାରେ, ବହୁ ପ୍ରାଚୀନ କାଳରେ ଶକ୍ତିଶାଳୀ ହିମବାହଗୁଡ଼ିକ ଓଡ଼ିଶାର କଠିନ ଆର୍କିଆନ୍‌ ପଥର ଉପର ଦେଇ ଗତି କରିବା ସମୟରେ ପ୍ରବଳ ଘର୍ଷଣ ଘଟିଥିଲା। ଏହି ଘର୍ଷଣ ଯୋଗୁଁ ପଥର ଉପରେ ଦୀର୍ଘ ସମାନ୍ତରାଳ ଗାର ବା ଘର୍ଷଣ ଚିହ୍ନ (Glacial Striations) ସୃଷ୍ଟି ହୋଇଛି। ଏହା ବରଫର ଗତିପଥକୁ ସ୍ପଷ୍ଟ ଭାବେ ଦର୍ଶାଉଥିବା କୁହାଯାଏ। ଗବେଷଣାରୁ ଜଣାପଡ଼ିଛି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯେତେବେଳେ ବରଫ ତରଳିବାକୁ ଲାଗିଲା, ସେତେବେଳେ ଓଡ଼ିଶାର ଅନେକ ସ୍ଥାନରେ ଅସ୍ଥାୟୀ ହ୍ରଦ ସୃଷ୍ଟି ହୋଇଥିଲା। ଏହି ହ୍ରଦଗୁଡ଼ିକର ତଳେ ସ୍ୱତନ୍ତ୍ର ପତଳା କାଦୁଅ ଓ ବାଲିର ସ୍ତର ‘ଭାର୍ଭ’ (Varves) ଜମା ହୋଇଥିଲା। ଏହି ସ୍ତରଗୁଡ଼ିକୁ ଅନୁଧ୍ୟାନ କରି ବୈଜ୍ଞାନିକମାନେ ଓଡ଼ିଶାର ପ୍ରାଚୀନ ଋତୁଚକ୍ର ଓ ଜଳବାୟୁର ଇତିହାସ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଥିବା କହନ୍ତି।  

ବିଭିନ୍ନ ସମୟରେ ଭୂବିଜ୍ଞାନୀମାନଙ୍କ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ, ହିମବାହ ଯୁଗ ପରେ ଓଡ଼ିଶାର ଜଳବାୟୁ ଧୀରେ ଧୀରେ ଗରମ ତଥା ଆର୍ଦ୍ର ହେଲା। ବରଫ ତରଳିବା ଦ୍ୱାରା ସୃଷ୍ଟି ହୋଇଥିବା ଉପତ୍ୟକା ଓ ଅବବାହିକାଗୁଡ଼ିକରେ ‘ଗ୍ଲୋସୋପ୍ଟେରିସ୍‌’ (Glossopteris) ନାମକ ପ୍ରାଚୀନ ଉଦ୍ଭିଦର ଘଞ୍ଚ ଜଙ୍ଗଲ ଗଢ଼ି ଉଠିଲା। ପରବର୍ତ୍ତୀ ସମୟରେ ଏହି ଜଙ୍ଗଲଗୁଡ଼ିକ ମାଟି ତଳେ ପୋତିହୋଇ ହିଁ କୋଇଲାରେ ରୂପାନ୍ତରିତ ହୋଇଥିଲା। ଆଜି ଓଡ଼ିଶାର ତାଳଚେର ଓ ଇବ୍‌ ଉପତ୍ୟକା ଦେଶର ପ୍ରସିଦ୍ଧ କୋଇଲା ଖଣି ଅଞ୍ଚଳ ଭାବେ ଜଣାଶୁଣା। କହିବାକୁ ଗଲେ, ଏହା ପ୍ରାଚୀନ ହିମବାହ ପ୍ରକ୍ରିୟାର ପରିଣାମ। ଓଡ଼ିଶାର ମାଟି ତଳେ ଲୁଚିଥିବା ଏହି ଭୂତାତ୍ତ୍ବିକ ରହସ୍ୟ ପ୍ରମାଣିତ କରେ ଯେ, ଆଜି ଆମେ ଯେଉଁ ଓଡ଼ିଶାକୁ ଦେଖୁଛୁ, ତା’ର ଭୂଭାଗ ଗଠନରେ ପ୍ରକୃତି କୋଟି କୋଟି ବର୍ଷ ଧରି ଅନେକ ପରିବର୍ତ୍ତନ ଆଣିଛି। ସେହିଭଳି ହିମବାହ ଆମ ରାଜ୍ୟକୁ କେବଳ ଏକ ସ୍ୱତନ୍ତ୍ର ଭୂରୂପ ଦେଇ ନାହିଁ, ବରଂ ଖଣିଜ ସମ୍ପଦ ମଧ୍ୟ ଅଜାଡ଼ି ଦେଇଛି। ଆଉ କେବଳ ତାଳଚେର ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଭାଗ ମଧ୍ୟ ଗଣ୍ଡୱାନା ଶିଳାସ୍ତର ସହିତ ଜଡ଼ିତ ବୋଲି କୁହାଯାଏ।

ହିମବାହ ପ୍ରକ୍ରିୟା ସମୟରେ ଉଚ୍ଚ ସ୍ଥାନରୁ ଭାସି ଆସିଥିବା ପଥରଖଣ୍ଡ ଏବଂ ନଦୀ-ହିମବାହ ଜାତୀୟ ଅବକ୍ଷେପ (Fluvio-glacial deposits) ଏହି ଅଞ୍ଚଳର ଭୂବିଜ୍ଞାନକୁ ପ୍ରଭାବିତ କରିଛି। ଏବର ବୌଦ୍ଧ ତଥା ସୋନପୁର ଜିଲ୍ଲାର କେତେକ ସୀମାନ୍ତ ଅଞ୍ଚଳରେ ବି ପ୍ରାଚୀନ ତାଳଚେର ସ୍ତରର ଅବଶେଷ ମିଳିଥାଏ ବୋଲି କେତେକ ଭୂବିଜ୍ଞାନୀ କହନ୍ତି। ଏହା ଦର୍ଶାଏ ଯେ, ପ୍ରାଚୀନ କାଳରେ ବରଫର ଚାଦର କେବଳ କୋଇଲା ଖଣି ଅଞ୍ଚଳରେ ସୀମିତ ନଥିଲା, ବରଂ ଏକ ବିରାଟ ଭୂଭାଗକୁ ବ୍ୟାପିଥିଲା। ଏହାକୁ ନେଇ ଅଧିକ ଗବେଷଣା ହେଲେ ଓଡ଼ିଶାରେ ସାଂପ୍ରତିକ ଭୂଭାଗ ଗଠନ‌ରେ ହିମବାହ କିଭଳି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, ସେ ସଂପର୍କରେ ଅଧିକ ସୂଚନା ମିଳିପାରିବ। ଆଗାମୀ ଦିନରେ ଏ ସମ୍ପର୍କରେ ଅଧିକ ଗବେଷଣାର ଅପେକ୍ଷା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.