ARTICLE AD BOX
ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ମନ୍ଥରତା ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜନିତ ଅନିଶ୍ଚିତତା ସତ୍ତ୍ୱେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ମଜଭୁତ ରହିଛି। ୨୦୨୬-୨୭ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକ (ଜୁଲାଇ ସେପ୍ଟେମ୍ବର)ରେ ଦେଶର ଅର୍ଥନୀତି ୭.୩୫ ପ୍ରତିଶତ ହାରରେ ବଢ଼ିଥିବା ନେଇ ଆକଳନ କରିଛି ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ। ଗୁରୁବାର ପ୍ରକାଶିତ ଅକ୍ଟୋବର ମାସର ମାସିକ ଅର୍ଥନୈତିକ ସମୀକ୍ଷାରେ ଏହି ଆକଳନ କରାଯାଇଛି। ଏହା ପୂର୍ବରୁ ଏପ୍ରିଲରୁ ଜୁନ୍ ତ୍ରୈମାସିକରେ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ୭.୮ ପ୍ରତିଶତ ବଢ଼ିଥିଲା। ଶିଳ୍ପ ଉତ୍ପାଦନ, ଶକ୍ତି ବ୍ୟବହାର, ବନ୍ଦର କାରବାର, ଜିଏସ୍ଟି ଆଦାୟ ଏବଂ ଗାଡ଼ି ବିକ୍ରିରେ ଉନ୍ନତି ଦ୍ୱିତୀୟ ତ୍ରୈମାସିକର ଅଭିବୃଦ୍ଧିକୁ ବଳ ଯୋଗାଇଛି।
ତେବେ ଅର୍ଥନୀତି ଆଗରେ କିଛି ଆହ୍ୱାନ ମଧ୍ୟ ରହିଛି। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଦେଶର ଆମଦାନି ଖର୍ଚ୍ଚ ବଢ଼ିବା ଆଶଙ୍କା ରହିଛି। ଅନ୍ୟପଟେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ଖର୍ଚ୍ଚ ବଢ଼ାଇପାରେ। ସେହିପରି ଖରିଫ ଫସଲର ଉତ୍ପାଦନ ଏବଂ ଆଗାମୀ ରବି ଚାଷ ଉପରେ ପାଣିପାଗର ପ୍ରଭାବକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି।
ଭାରତର ଅର୍ଥନୀତି ସୁଦୃଢ଼? GDP ଅଭିବୃଦ୍ଧି ପୂର୍ବାନୁମାନ ୭ପ୍ରତିଶତ ବୃଦ୍ଧି
ସରକାରଙ୍କ ଆକଳନ ଅନୁଯାୟୀ, ଦେଶର ଘରୋଇ ଚାହିଦା, ପୁଞ୍ଜିନିବେଶ ଓ ଶିଳ୍ପ କାର୍ଯ୍ୟକଳାପ ଆର୍ଥିକ ଅଭିବୃଦ୍ଧିକୁ ସହାୟତା କରିବ। କିନ୍ତୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ତୈଳ ଦରରେ ସ୍ଥିରତା ଏବଂ କୃଷି ଉତ୍ପାଦନ ବଜାୟ ରଖିବା ଆଗାମୀ ମାସଗୁଡ଼ିକରେ ନୀତି ନିର୍ଦ୍ଧାରକଙ୍କ ପାଇଁ ମୁଖ୍ୟ ଆହ୍ୱାନ ହେବ। ତେଣୁ ଆଗାମୀ ମାସଗୁଡ଼ିକରେ ସରକାରଙ୍କ ପାଇଁ ତିନୋଟି କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ସେଗୁଡ଼ିକ ହେଲା ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଯୋଗାଣ ସ୍ୱାଭାବିକ ରଖିବା, ତୈଳ ଦରର ଅସ୍ଥିରତାର ପ୍ରଭାବ କମାଇବା ଏବଂ ଉତ୍ପାଦନ ଓ ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା।

1 hour ago
2


