ARTICLE AD BOX
ବାଲିକୁଦା: ଗୌରାଙ୍ଗ ମୃତ୍ୟୁକୁ ୭ ଦିନ ବିତିଲା, ହେଲେ ନ୍ୟାୟ ଅପେକ୍ଷାରେ ପରିବାର। ହତ୍ୟା ଅଭିଯୋଗରେ ନାମ ଥିବା ୩ ଜଣଙ୍କ ବିରୋଧରେ ଏପର୍ଯ୍ୟନ୍ତ ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରି ୪ ବର୍ଷର ଝିଅକୁ କୋଳରେ ଧରି ବାଲିକୁଦା ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ମୃତ ଗୌରାଙ୍ଗ ଚରଣ ଦାସଙ୍କ ବିଧବା ପତ୍ନୀ ସ୍ୱର୍ଣ୍ଣପ୍ରଭା ବାଗ। ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ଓଳାଶ ଗ୍ରାମର ଗୌରାଙ୍ଗ ଚରଣ ଦାସଙ୍କ ମୃତଦେହ ଗତ ସପ୍ତାହରେ କଟିଜଙ୍ଗା ଗ୍ରାମ ନିକଟସ୍ଥ ଏକ କୁକୁଡ଼ା ଫାର୍ମ ନିକଟରେ ଥିବା ଚାକୁଣ୍ଡା ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଘଟଣାକୁ ନେଇ ପରିବାର ପକ୍ଷରୁ ଏହା ଆତ୍ମହତ୍ୟା ନୁହେଁ, ବରଂ ଗୌରାଙ୍ଗଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ସନ୍ଦେହ ପ୍ରକାଶ କରାଯାଇଥିଲା।
୪ ବର୍ଷର ଝିଅକୁ ଧରି ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ଗୌରାଙ୍ଗଙ୍କ ବିଧବା ପତ୍ନୀ
ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ବାଲିକୁଦା ଥାନାରେ କେସ୍ ନମ୍ବର ୨୯୩/୨୦୨୬ରେ ହତ୍ୟା ମାମଲା ରୁଜୁ ହୋଇଥିବା ପୂର୍ବରୁ ପୁଲିସ ପକ୍ଷରୁ କୁହାଯାଇଥିଲା। ଗୌରାଙ୍ଗ ତାଙ୍କ ଶ୍ୱଶୁର ଘର ଗ୍ରାମ ଅଳିହାର କିଛି ବ୍ୟକ୍ତିଙ୍କଠାରୁ ଟଙ୍କା ଉଧାର ନେଇଥିବା ଏବଂ ଟଙ୍କା ଫେରସ୍ତକୁ ନେଇ ତାଙ୍କୁ ଧମକ ଦିଆଯାଇଥିବା ପତ୍ନୀ ଅଭିଯୋଗରେ ଦର୍ଶାଇଥିଲେ। ଏହି ଆଧାରରେ ୩ ଜଣଙ୍କ ବିରୋଧରେ ସନ୍ଦେହ ପ୍ରକାଶ କରାଯାଇଥିବା ଜଣାପଡ଼ିଛି। ତେବେ ଘଟଣାର ୭ ଦିନ ପରେ ମଧ୍ୟ ଅଭିଯୋଗରେ ଥିବା ସମ୍ପୃକ୍ତ ୩ ଜଣଙ୍କ ବିରୋଧରେ କୌଣସି ଗିରଫ କିମ୍ବା ଅନ୍ୟାନ୍ୟ ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରି ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ନ୍ୟାୟ ପାଇବା ଦାବିରେ ଗୌରାଙ୍ଗଙ୍କ ବିଧବା ପତ୍ନୀ ନିଜର ମାତ୍ର ୪ ବର୍ଷର ଝିଅକୁ ଧରି ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ଧାରଣାକୁ ସମର୍ଥନ କରି ଓଳାଶ ଗ୍ରାମର ଶତାଧିକ ମହିଳା ଓ ପୁରୁଷଙ୍କ ସମେତ ବାଲିକୁଦାର ବୁଦ୍ଧିଜୀବୀମାନେ ମଧ୍ୟ ସାମିଲ ହୋଇଛନ୍ତି। ଗୌରାଙ୍ଗଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ କରିବା, ଅଭିଯୋଗର ନିରପେକ୍ଷ ତଦନ୍ତ କରିବା ଏବଂ ଦୋଷୀଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ସୂଚନା ଅନୁଯାୟୀ, ଏନେଇ ଗ୍ରାମବାସୀଙ୍କ ମିଳିତ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ବାଲିକୁଦା ଥାନା ଅଧିକାରୀଙ୍କୁ ପ୍ରଦାନ କରାଯିବ। ଗ୍ରାମବାସୀଙ୍କ ଦାବି ହେଉଛି, ମାମଲାରେ ଅଭିଯୋଗକାରୀ ପରିବାରକୁ ନ୍ୟାୟ ମିଳିବା ସହ ତଦନ୍ତରେ କୌଣସି ପ୍ରକାର ଅବହେଳା ନହେଉ। ଅନ୍ୟପକ୍ଷରେ, ଖବର ଲେଖାଯିବା ପର୍ଯ୍ୟନ୍ତ ବାଲିକୁଦା ଥାନା ଅଧିକାରୀ କାବୁଲି ବାରିକ ଧାରଣାରତ ପରିବାର ଓ ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା କରିନଥିବା ଧାରଣାରତ ଲୋକମାନେ କହିଛନ୍ତି। ଫଳରେ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ବସିଥିବା ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଥିଲା। ତେଣୁ ଏବେ ତଦନ୍ତ କେଉଁ ଦିଗରେ ଆଗେଇଛି, ଅଭିଯୋଗରେ ଥିବା ୩ ଜଣଙ୍କ ବିରୋଧରେ କଣ ପଦକ୍ଷେପ ନିଆଯାଇଛି ଏବଂ ମାମଲାର ଅଗ୍ରଗତି କଣ ତାହା ନେଇ ପୁଲିସ ପ୍ରଶାସନର ସ୍ପଷ୍ଟ ଉତ୍ତର ଦାବି କରିଛନ୍ତି ଗ୍ରାମବାସୀ। ମା’ଙ୍କ କୋଳରେ ୪ ବର୍ଷର ନିରୀହ ଝିଅ, ସାମ୍ନାରେ ନ୍ୟାୟ ପାଇଁ ଧାରଣା ଗୌରାଙ୍ଗଙ୍କ ମୃତ୍ୟୁର ସତ୍ୟ କେବେ ସାମ୍ନାକୁ ଆସିବ, ଏବେ ତାହା ଉପରେ ସମସ୍ତଙ୍କ ନଜର। ପୁଲିସ ପ୍ରଶାସନ ତୁରନ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ପରିବାରକୁ ନ୍ୟାୟ ଦେବା ଦିଗରେ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।
Death: ବାରସୁଆଁ ଲୌହ ଖଣିରେ ଅଘଟଣ, କାର୍ଯ୍ୟରତ ଶ୍ରମିକଙ୍କ ଚାଲିଗଲା ଜୀବନ

1 hour ago
2


