ARTICLE AD BOX
କୋଲକାତା: ପ୍ରାକୃତିକ ଗ୍ୟାସ୍ ସଙ୍କଟ ଯୋଗୁଁ ବାଂଲାଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାର ପ୍ରଭାବ ହାଣ୍ଡିଶାଳଠୁ ଆରମ୍ଭ କରି କଳ କାରଖାନା ଏବଂ ପରିବହନ ସେବା ସବୁଠାରେ ଅନୁଭୂତ ହେଉଛି। ଲୋକେ ରୋଷେଇ କରିବା ପାଇଁ ସମସ୍ୟାରେ ପଡ଼ିଛନ୍ତି। ହୋଟେଲ, ରେଷ୍ଟୁରାଣ୍ଟରେ ଖାଦ୍ୟ ଦର ପୂର୍ବ ତୁଳନାରେ ଢେର୍ ବଢ଼ିଯାଇଛି। ଗ୍ୟାସ୍ ଅଭାବ ଯୋଗୁଁ ବହୁ ଶିଳ୍ପ ବନ୍ଦ ହେବା ସହିତ ଦେଶରେ ବିଦ୍ୟୁତ କାଟ୍ ଜାରି ରହିଛି। ଗତ ଦୁଇ ବର୍ଷ ମଧ୍ୟରେ ଦେଶର ସାତଟି ପ୍ରମୁଖ ଶିଳ୍ପାଞ୍ଚଳରେ ୪୫୭ଟି ଶିଳ୍ପ ୟୁନିଟ୍ ସ୍ଥାୟୀ ଭାବରେ ବନ୍ଦ ହୋଇଯାଇଛି। ସେଥିମଧ୍ୟରେ ୧୦୮ଟି ପୋଷାକ ସମ୍ବନ୍ଧୀୟ ୟୁନିଟ୍ ଏବଂ ୨୮୭ ଅନ୍ୟାନ୍ୟ ଉତ୍ପାଦନ ବ୍ୟବସାୟ ଥିଲା।
ଜାନୁଆରିରୁ ଅଗଷ୍ଟ ମଧ୍ୟରେ ୯୫ କାରଖାନା ବନ୍ଦ
କାରଖାନା ବନ୍ଦ ହେବା ଫଳରେ ନିଯୁକ୍ତି ଉପରେ ସିଧାସଳଖ ପ୍ରଭାବ ପଡ଼ିଛି। ଜାନୁଆରିରୁ ଅଗଷ୍ଟ ୨୦୨୬ ମଧ୍ୟରେ ୯୫ କାରଖାନା ବନ୍ଦ ହୋଇଯାଇଯାଇଛି। ଫଳରେ ୬୧,୮୮୧ ଜଣ ଚାକିରି ହରାଇଛନ୍ତି। ସେହିପରି ବିଦ୍ୟୁତ୍ ଉତ୍ପାଦନ ପ୍ଲାଣ୍ଟ ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ଲୋକେ ଅନ୍ଧାରରେ ରହିଛନ୍ତି। ବିଭିନ୍ନ ବ୍ୟବସାୟିକ ସଂସ୍ଥାକୁ ରାତି ୮ଟା ସୁଦ୍ଧା ଦୋକାନ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଫଳରେ ସେମାନଙ୍କର ଆୟ ପ୍ରଭାବିତ ହେଉଛି। ସେମାନେ ନିଜ ନିଜ କର୍ମଚାରୀଙ୍କ ସଂଖ୍ୟା କମ୍ କରିବାରେ ଲାଗିଛନ୍ତି। ସେହିପରି ପରିବହନ ସେବା ମଧ୍ୟ ଠପ୍ ହୋଇଯାଇଛି। ଗ୍ୟାସ୍ ଚାଳିତ ଯାନ ବନ୍ଦ ହୋଇଯାଇଛି। ଡ୍ରାଇଭରମାନେ ବେକାର ହୋଇଯାଇଛନ୍ତି। ଦେଶରେ ବେରାଜଗାରଙ୍କ ସଂଖ୍ୟା ବଢ଼ତବା ଯୋଗୁଁ ଅପରାଧ ବଢ଼ିବାରେ ଲାଗିଛି।

1 hour ago
1


