ARTICLE AD BOX
ଗୌରାଙ୍ଗ ଚରଣ ପରିଡ଼ା
୧୯୩୮ ମାର୍ଚ୍ଚ ୨୫ରୁ ୩୧ ତାରିଖ ସାତଦିନ ଧରି ପୁରୀ ଜିଲ୍ଲାର ଡେଲାଙ୍ଗ ବେରବୋଇରେ ଅନୁଷ୍ଠିତ ହୋଇଥିବା ଗାନ୍ଧୀ ସେବାସଂଘ ଅଧିବେଶନର ମାର୍ଚ୍ଚ ୨୮ ତାରିଖ ଥିଲା ବିଶ୍ରାମ ଦିନ। ସେଦିନ କୌଣସି ସଭା କାର୍ଯ୍ୟକ୍ରମ ନ ଥିଲା। ଦୁର୍ଗା ବେନ (ମହାଦେବ ଦେଶାଇଙ୍କ ସ୍ତ୍ରୀ) ଏବଂ ଅନ୍ୟ କିଛି ମହିଳା ସାଥୀଙ୍କୁ ସାଙ୍ଗରେ ନେଇ କସ୍ତୁରବା ପୁରୀ ବୁଲି ଯାଇଥିଲେ। ଗାନ୍ଧୀଜୀ କିନ୍ତୁ ପୁରୀ ଯାଇ ନଥିଲେ। ବେରବୋଇର ଚାଞ୍ଚ ଛପର କୁଡ଼ିଆ ଘରଟିରେ ବସି ନିଜ ବନ୍ଧୁ, ଆତ୍ମୀୟଙ୍କ ପାଖକୁ ସେ କିଛି ଚିଠି ଲେଖିଥିଲେ।
ଗାନ୍ଧୀ ସେଦିନ ଖୁବ୍ ଖୁସି ଥିଲେ। ସବୁ ଚିଠିରେ ସମ୍ମିଳନୀର ପ୍ରଶଂସା ଥିଲା। କସ୍ତୁରବା ପୁରୀ ଯିବା କଥା ଥିଲା। ସେ ଖୁସି କିନ୍ତୁ ସନ୍ଧ୍ୟାବେଳକୁ ଦୁଃଖ ହୋଇଗଲା ଯେତେବେଳେ ସେ ଶୁଣିଲେ, କସ୍ତୁରବା ଜଗନ୍ନାଥ ମନ୍ଦିର ଭିତରକୁ ଯାଇଛନ୍ତି।
କସ୍ତୁରବା ମନ୍ଦିରକୁ ଏକା ଯାଇ ନ ଥିଲେ। ତାଙ୍କ ସହ ଦୁର୍ଗା ଦେଶାଇ ଓ ଅନ୍ୟମାନେ ବି ଥିଲେ। ଗାନ୍ଧୀଜୀଙ୍କ ପାଇଁ ତାଙ୍କ ଆତ୍ମୀୟଙ୍କ ଦ୍ୱାରା ଏହା ଏକ ସୈଦ୍ଧାନ୍ତିକ ବିଚ୍ୟୁତି ଥିଲା। ଯେଉଁ ମନ୍ଦିରକୁ ଦଳିତ ଯିବା ମନା ସେ ମନ୍ଦିର ସେ ଯିବେ ନାହିଁ ବୋଲି ନୀତିଗତ ନିଷ୍ପତ୍ତି ହୋଇଥିଲା। ୧୯୩୪ ମସିହାରେ ନଅ ମାସବ୍ୟାପୀ ଭାରତ ସାରା ‘ହରିଜନ ଯାତ୍ରା’ ଏବଂ ଓଡ଼ିଶାରେ ବୈଶାଖୀ ଖରାରେ ଗାନ୍ଧୀ ପଦଯାତ୍ରାର ପ୍ରସଙ୍ଗ ଥିଲା ଦଳିତଙ୍କ ମନ୍ଦିର ପ୍ରବେଶ। କସ୍ତୁରବା ଏ ନେଇ ଅବଗତ ଥିଲେ।
କସ୍ତୁରବାଙ୍କ ଜଗନ୍ନାଥ ମନ୍ଦିର ପ୍ରବେଶ ଘଟଣା ବ୍ୟଥିତ କରିଥିଲା ଗାନ୍ଧୀଙ୍କୁ। ଦେହର ରକ୍ତଚାପ ତାଙ୍କର ଅସ୍ୱାଭାବିକ ଭାବେ ବଢ଼ି ଯାଇଥିଲା। ଦେହ ଥରୁଥିଲା। ଯେ କୌଣସି ଅଘଟଣ ଘଟିବାର ଆଶଙ୍କା ଥିଲା।
ଗାନ୍ଧୀଜୀ ଏଥିପାଇଁ ଦୋଷ ଦେଇଥିଲେ ମହାଦେବ ଦେଶାଇଙ୍କୁ- ପୁରୀ ଯିବା ପୂର୍ବରୁ ଦୁର୍ଗା ଓ ଅନ୍ୟମାନଙ୍କୁ ମହାଦେବ ଭଲଭାବେ ବୁଝେଇ ଦେଇ ନ ଥିଲେ କାହିଁକି?
ମହାଦେବ ଦେଶାଇ କିନ୍ତୁ ଗାନ୍ଧୀଜୀଙ୍କୁ କିଛି କହି ନ ଥିଲେ। ଇଂରାଜୀରେ ଛୋଟ ଏକ ନୋଟ ଲେଖି ଜଣେଇ ଦେଲେ, ‘ବାପୁ, ଇଏ ମୋର ଇସ୍ତଫା ପତ୍ର। ମୋତେ ଆପଣ ଆପଣଙ୍କ ବ୍ୟକ୍ତଗତ ସଚିବ ପଦରୁ ଅବ୍ୟାହତି ଦିଅନ୍ତୁ। ସ୍ୱର୍ଗରେ ଦେବତାମାନଙ୍କ ସହ ରହିବା ଆନନ୍ଦ ଓ ଗୌରବର କଥା, ଅଥଚ ମର୍ତ୍ତ୍ୟରେ ଜଣେ ମାତ୍ର ମହାତ୍ମାଙ୍କ ସହ ରହିବା ଭିନ୍ନ ଏକ ଘଟଣା। (‘ଟୁ ଲିଭ ଉଇଥ ସେଣ୍ଟସ ଇନ ହେଭେନ ଇଜ ବ୍ଲିସ ଆଣ୍ଡ ଗ୍ଲୋରି, ବଟ ଟୁ ଲିଭ ଉଇଥ ଏ ସେଣ୍ଟ ଅନ ଆର୍ଥ ଇଜ ଡିଫରେଣ୍ଟ ଷ୍ଟୋରି’)
ମାର୍ଚ୍ଚ ୩୦ ତାରିଖରେ ଗାନ୍ଧୀଜୀ ମହାଦେବଙ୍କୁ ଏକ ଚିଠିରେ କହିଦେଲେ, “ମୁଁ ତୁମକୁ ଛାଡ଼ି ପାରିବି ନାହିଁ, ମହାଦେବ! ତୁମେ ଛାଡ଼ି ଚାଲିଗଲେ ସୁଶୀଲା, ପ୍ୟାରେଲାଲ ବି ଛାଡ଼ି ଚାଲିଯିବେ। ଜଣେ ଅଜଣା ଲୋକଙ୍କ ହାତରେ ମୃତ୍ୟୁଠାରୁ ଜଣେ ପ୍ରିୟଜନଙ୍କ ହାତରେ ମୃତ୍ୟୁ ମୋ ପାଇଁ ଶ୍ରେୟସ୍କର।’’
Russia-Ukraine war: ଆମେରିକାର ଶାନ୍ତି ଉଦ୍ୟମ ସତ୍ତ୍ୱେ ରୁଷ୍-ୟୁକ୍ରେନ୍ରେ ରାତିସାରା ଆକ୍ରମଣ
ସବୁ ଦୋଷ ପ୍ରକୃତରେ କ’ଣ ମହାଦେବ ଦେଶାଇଙ୍କର ଥିଲା? ୧୯୩୮ ଏପ୍ରିଲ ୯ ତାରିଖ ‘ହରିଜନ’ ପତ୍ରିକାରେ ମହାଦେବ ଦେଶାଇ ଏକ ପ୍ରବନ୍ଧ ଲେଖିଲେ। ଏହା ବେରବୋଇ ଘଟଣାର ଯେପରି ଏକ ସ୍ପଷ୍ଟୀକରଣ ଥିଲା। ଏହାର ଶିରୋନାମା ଥିଲା, ‘ଏ ଟ୍ରାଜେଡି’ (ଏକ ଦୁଃଖଦ ଘଟଣା)। ମହାଦେବ ଦେଶାଇ ଲେଖିଥିଲେ, “ସେଦିନର ସେ ମନ୍ଦିର ପ୍ରବେଶ ଘଟଣା ଠିକ୍ ଥିଲା ଏମିତି- ‘ମୋ ସ୍ତ୍ରୀ ଦୁର୍ଗା ପ୍ରଥମେ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଯାଇଥିଲେ। ପରେ କସ୍ତୁରବା। ତାଙ୍କ ସହ ପୁରୀ ଯାଇଥିବା ଅନ୍ୟମାନେ କିନ୍ତୁ ମନ୍ଦିର ବାହାରେ ଅପେକ୍ଷା କରିଥିଲେ। ଅପେକ୍ଷାକାରୀଙ୍କ ଭିତରେ ଗାନ୍ଧୀଜୀଙ୍କ ଦ୍ବିତୀୟ ପୁତ୍ର ମଣିଲାଲ ଓ ବୋହୂ ସୁଶୀଲା ବି ଥିଲେ। ମୋର ଛୋଟ ପୁଅ ବାବଲା (ନାରାୟଣ ଦେଶାଇ) ମନ୍ଦିର ଦ୍ୱାର ସମ୍ମୁଖରେ ଛିଡ଼ା ହୋଇ ମନ୍ଦିରରେ ଦଳିତମାନଙ୍କ ପ୍ରବେଶରେ କଟକଣା ନେଇ ପଣ୍ଡାଙ୍କ ସହ ଯୁକ୍ତି କରୁଥିଲା।’”
ମହାଦେବଙ୍କ ଚିଠିରେ କୌଣସି କପଟତା ନ ଥିଲା। ମହାଦେବ ଲେଖିଥିଲେ, “ମୋ ସ୍ତ୍ରୀ ଡେଲାଙ୍ଗ ଅଧିବେଶନକୁ ଆସିଲାବେଳେ ପୁରୀ ବୁଲି ଯିବେ ବୋଲି ସର୍ତ୍ତ ରଖିଥିଲେ। ସେ ସାଧାରଣତଃ କୌଣସି ଗାନ୍ଧୀ ସମ୍ମିଳନୀରେ ଯୋଗ ଦିଅନ୍ତି ନାହିଁ। ଏଥର ସେ ଡେଲାଙ୍ଗ ଆସି ପୁରୀ ଯିବାଟା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଗାନ୍ଧୀଜୀ ମଧ୍ୟ ମୋ ସ୍ତ୍ରୀ ପାଇଁ ପୁରୀ ଯିବାର ବ୍ୟବସ୍ଥା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ସମ୍ମିଳନୀ ବେଳେ ପୁରୀ ଯିବା ବ୍ୟବସ୍ଥା ସମ୍ପର୍କରେ ବାପୁ ମୋତେ ବାରମ୍ବାର ମନେ ପକାଇ ଦେଇଥିଲେ।”
ମହାଦେବ ଦେଶାଇ ପୁଣି ଲେଖିଥିଲେ, “ଜଗନ୍ନାଥ ମନ୍ଦିରକୁ ଯେ ଦଳିତ ଯିବା ମନା, ମୋ ସ୍ତ୍ରୀ କେବେ ଜାଣି ନ ଥିଲେ। ମୁଁ ତାଙ୍କୁ କିଛି କହି ବି ନଥିଲି। ଅଧିବେଶନର ପ୍ରଥମ ଦିନ ଖଦି ପ୍ରଦର୍ଶିନୀ ଉନ୍ମୋଚନ ସଭାରେ ଗାନ୍ଧୀଜୀ କିନ୍ତୁ ମନ୍ଦିର ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝେଇ ଦେଇଥିଲେ। ସେ ସଭାରେ ମୋ ସ୍ତ୍ରୀ ଦୁର୍ଗା ଉପସ୍ଥିତ ଥିଲେ। ଅଜ୍ଞତା ତେଣୁ କ୍ଷମଣୀୟ ନୁହେଁ।’’
ଖୁବ୍ କ୍ଷୋଭର ସହ ମହାଦେବ ତାଙ୍କ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି, “ମୋର ବିଶ୍ୱାସ ଥିଲା, ବାପୁ କ୍ଷମା କରିଦେବେ। ତାଙ୍କ ପାଇଁ କିନ୍ତୁ ଅସ୍ପୃଶ୍ୟତା ପ୍ରସଙ୍ଗ ବେଶୀ ଅନ୍ତରଙ୍ଗ ଥିଲା। ତାଙ୍କ ନିଜ ଲୋକ ତାଙ୍କ ସିଦ୍ଧାନ୍ତକୁ ନ ମାନିବା ତାଙ୍କୁ ବେଶୀ ବ୍ୟଥିତ କରିଥିଲା। ଅତ୍ୟଧିକ ରକ୍ତଚାପ ବୃଦ୍ଧି ଯୋଗୁଁ ସେ ଏକ ପ୍ରକାର ମୂର୍ଚ୍ଛା ଯିବା ଅବସ୍ଥାକୁ ଚାଲି ଆସିଥିଲେ।’’
ମହାଦେବ ତାଙ୍କ ଲେଖାର ଉପସଂହାରରେ କହିଛନ୍ତି, “ମୁଁ ଗାନ୍ଧୀଜୀଙ୍କ ଏକ ଦ୍ୱାରପାଳ। ତାଙ୍କ ଉପରେ ଯେପରି କିଛି ଅତ୍ୟଧିକ ମାନସିକ ଓ ଦୈହିକ ଚାପ ନ ପଡ଼ିବ, ମୁଁ ସବୁବେଳେ ସତର୍କ ରହିଛି। ବାପୁଙ୍କ ସମ୍ବେଦନଶୀଳ ମନକୁ ଯେ ମୁଁ ବୁଝିପାରିଲିନି, ଏହା ମୋର ଦୁଃଖ ଥିଲା। ମୋତେ ଦୋଷୀ ଦୋଷୀ ଲାଗିଥିଲା। ମୁଁ ଆବେଗବଶତଃ ମୋର ଇସ୍ତଫାପତ୍ର ଲେଖିଦେଇଥିଲି। ଏବଂ ଗାନ୍ଧୀଜୀଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହୋଇଗଲେ ମୋ କଥା ଲେଖିବି ବୋଲି ଠିକ୍ କରିଥିଲି।’’
ମହାଦେବଙ୍କ ଶେଷକଥା ଥିଲା, “ଓଡ଼ିଶାର ପବିତ୍ର ଓ ଶାନ୍ତ ପରିବେଶରେ ଅନୁଷ୍ଠିତ ଗାନ୍ଧୀ ସେବାସଂଘ ଅଧିବେଶନରେ ଯଦି ଏପରି ଅଘଟଣ ଘଟି ନଥାନ୍ତା, ସମ୍ମିଳନୀର ଶେଷ ତିନିଦିନ ଅଧିକ ଆନନ୍ଦଦାୟକ ଓ ଶିକ୍ଷଣୀୟ ହୋଇଥାଆନ୍ତା। ଉପସ୍ଥିତ କର୍ମୀମାନେ କିନ୍ତୁ ଅସ୍ପୃଶ୍ୟତା ଦୂରୀକରଣକୁ ମୁଖ୍ୟ ପ୍ରସଙ୍ଗ ଭାବେ ଗ୍ରହଣ କରି ବେରବୋଇ (ଓଡ଼ିଶା) ଛାଡ଼ିଥିଲେ।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮

1 hour ago
2


