ARTICLE AD BOX
ନୂଆଦିଲ୍ଲୀ: “କବ୍ଜା ଛାଡ଼... ଆତଙ୍କ ଛାଡ଼... ଦେଶର ବିକାଶ ଉପରେ ଧ୍ୟାନ ଦିଅ।”
ଜାତିସଂଘର ମଞ୍ଚରେ ପାକିସ୍ତାନକୁ ଏମିତି କଡ଼ା ବାର୍ତ୍ତା ଦେଇ ଏବେ ଚର୍ଚ୍ଚାରେ ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ। କାଶ୍ମୀର ପ୍ରସଙ୍ଗ ଉଠାଇଥିବା ପାକିସ୍ତାନକୁ ଭାରତର ଏହି ଅଧିକାରୀ ଦେଇଛନ୍ତି ସିଧାସଳଖ ଜବାବ। କେବଳ କାଶ୍ମୀର ନୁହେଁ, ଆତଙ୍କବାଦ, ମାନବାଧିକାର ଏବଂ ପାକିସ୍ତାନର ଆର୍ଥିକ ସ୍ଥିତିକୁ ନେଇ ମଧ୍ୟ ରଖିଛନ୍ତି ଭାରତର ପକ୍ଷ। ତେବେ କିଏ ଏହି କ୍ଷିତିଜ ତ୍ୟାଗୀ? କେମିତି ଇଞ୍ଜିନିୟରରୁ ହେଲେ ଭାରତର କୂଟନୀତିଜ୍ଞ? ଆସନ୍ତୁ ଜାଣିବା ପୂରା କାହାଣୀ। ଜେନେଭାରେ ବସିଛି ଜାତିସଂଘ ମାନବାଧିକାର ପରିଷଦ। ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ ।
ଆଉ ଏହାର ଜବାବ ରଖି ଭାରତର କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ଦେଲେ କଡ଼ା ପ୍ରତିକ୍ରିୟା। ତ୍ୟାଗୀ କହିଥିଲେ, ପାକିସ୍ତାନ ଅନ୍ୟର ଅଞ୍ଚଳ ଉପରେ ଦାବି କରିବା କିମ୍ବା ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବଦଳରେ ନିଜ ଦେଶର ବିକାଶ ଉପରେ ଧ୍ୟାନ ଦେବା ଉଚିତ। ତାଙ୍କ କହିବା ଅନୁସାରେ, ଏଭଳି କାର୍ଯ୍ୟ କିମ୍ବା ପରିଷଦରେ ନାଟକବାଜି କଲେ ପାକିସ୍ତାନର ଆର୍ଥିକ ଋଣ ପରିଶୋଧରେ କୌଣସି ସହାୟତା ମିଳିବ ନାହିଁ । କ୍ଷିତିଜ ତ୍ୟାଗୀ ଏହା ସହ ପାକିସ୍ତାନ ଅଧୀନରେ ଥିବା କାଶ୍ମୀରର ସ୍ଥିତିକୁ ନେଇ ଆସିଥିବା ରିପୋର୍ଟର ମଧ୍ୟ ଉଲ୍ଲେଖ କରିଥିଲେ। ଜୁନ୍ଠାରୁ ସାଧାରଣ ଲୋକଙ୍କ ମୃତ୍ୟୁ, ଛାତ୍ରଛାତ୍ରୀଙ୍କ ଗିରଫଦାରୀ ଏବଂ ଖାଦ୍ୟ ଓ ଔଷଧ ଉପରେ କଟକଣା ଭଳି ପ୍ରସଙ୍ଗ ସେ ଉଠାଇଥିଲେ। ଏହାପରେ ୧୯୯୦ର କାଶ୍ମୀରୀ ପଣ୍ଡିତଙ୍କ ବିସ୍ଥାପନ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ତ୍ୟାଗୀ। ତାଙ୍କ ଅଭିଯୋଗ ଥିଲା, ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ହିଂସା କାରଣରୁ କାଶ୍ମୀରୀ ପଣ୍ଡିତମାନେ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେହି ଆତଙ୍କବାଦୀମାନେ ପରେ ବିଭିନ୍ନ ଧର୍ମର କାଶ୍ମୀରୀଙ୍କୁ ମଧ୍ୟ ଟାର୍ଗେଟ୍ କରିଥିବା ସେ କହିଥିଲେ।
ତେବେ ଜାତିସଂଘରେ ଏଭଳି ଦମଦାର ଭାବେ ଭାରତର ପକ୍ଷ ରଖୁଥିବା କ୍ଷିତିଜ ତ୍ୟାଗୀ କିଏ?
କ୍ଷିତିଜ ତ୍ୟାଗୀ ହେଉଛନ୍ତି ୨୦୧୨ ବ୍ୟାଚ୍ର ଭାରତୀୟ ବିଦେଶ ସେବା, ଅର୍ଥାତ୍ IFS ଅଧିକାରୀ। ବର୍ତ୍ତମାନ ସେ ଜେନେଭାସ୍ଥିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନରେ କାଉନସେଲର ଭାବେ କାର୍ଯ୍ୟରତ। ଜାତିସଂଘର ଅଧିକାରିକ ରେକର୍ଡରେ ମଧ୍ୟ ୨୦୨୬ରେ କ୍ଷିତିଜ ତ୍ୟାଗୀଙ୍କୁ ଏହି ପଦରେ ଉଲ୍ଲେଖ କରାଯାଇଛି।
କୂଟନୀତିଜ୍ଞ ହେବା ପୂର୍ବରୁ ତ୍ୟାଗୀ ଥିଲେ ଇଞ୍ଜିନିୟର। IIT ଖଡ଼ଗପୁରରୁ ମେକାନିକାଲ ଇଞ୍ଜିନିୟରିଂରେ BTech କରିବା ସହ ସେହି ଅନୁଷ୍ଠାନରୁ ଥର୍ମାଲ ଏନର୍ଜି ଆଣ୍ଡ ଏନଭାୟରନମେଣ୍ଟରେ MTech କରିଛନ୍ତି। IFSରେ ଯୋଗଦେବା ପୂର୍ବରୁ ସେ ବିଜନେସ୍ ଆନାଲିଷ୍ଟ ଭାବେ କାମ କରିଥିଲେ। ପରେ ଶକ୍ତି କ୍ଷେତ୍ର ସହ ଜଡ଼ିତ ସରକାରୀ ବିଭାଗରେ ବୈଜ୍ଞାନିକ ଭାବେ ମଧ୍ୟ କାମ କରିଥିଲେ। ୨୦୧୨ରେ UPSC ପାସ୍ କରି ଭାରତୀୟ ବିଦେଶ ସେବାରେ ପ୍ରବେଶ କରିଥିଲେ। ଲିସବନ୍, ବ୍ରାସିଲିଆ, କାଇରୋ ଓ ନୂଆଦିଲ୍ଲୀରେ ବିଭିନ୍ନ ଦାୟିତ୍ୱ ତୁଲାଇଛନ୍ତି। ଇଂରାଜୀ ସହ ହିନ୍ଦୀ, ଉର୍ଦ୍ଦୁ, ପର୍ତ୍ତୁଗୀଜ୍ ଓ ଆରବୀ ଭାଷାରେ ମଧ୍ୟ ତାଙ୍କର ଦକ୍ଷତା ରହିଛି।

1 day ago
2


