ARTICLE AD BOX
ଭୁବନେଶ୍ବର: ରାଜ୍ୟବ୍ୟାପି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ବୈତରଣୀ, ବୁଢାବଳଙ୍ଗ, ସାଳନ୍ଦୀ ଓ ବ୍ରାହ୍ମଣୀ ନଦୀ ଓ ତାର ଶାଖାନଦୀଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଶତାଧିକ ଗ୍ରାମର ଲକ୍ଷାଧିକ ପରିବାର ପ୍ରଭାବିତ ହୋଇଛନ୍ତି। ଉପରମୁଣ୍ଡ ଛତିଶଗଡ଼ିରେ ବର୍ଷା ହେବା ହେବା ଫଳରେ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।
ଚଳିତ ବର୍ଷ ବୈତରଣୀରେ ବଡ଼ବନ୍ୟା ଆସିବା ଫଳରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ହାଟଡ଼ିହି ବ୍ଲକ୍ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଆନନ୍ଦପୁରରେ ଘାଇ ହେବା ସହିତ ହାଟଡ଼ିହି ବ୍ଲକ୍ ର ୯ଟି ପଞ୍ଚାୟତର ୪୦ଟି ଗ୍ରାମର ୩୧ହଜାର ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାର ମୋଟ୍ ୭୮ ପଞ୍ଚାୟତର ୭୧୩ଟି ଗାଁ, ୫ଟି ସହରାଞ୍ଚଳ ବୈତରଣୀ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ସେହିପରି ବୈତରଣୀ ବନ୍ୟା ଫଳରେ ବିଶେଷ କରି ଯାଜପୁର ଜିଲ୍ଲାର ଦଶରଥପୁର, ଯାଜପୁର, କୋରେଇରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।
/sambad/media/post_attachments/2a2c0b00-a4e.png)
ଦଶରଥପୁର ବ୍ଲକରେ ବୈତରଣୀ ଓ ଶାଖା କାଣି ନଦୀରେ ଏକାଧିକ ଘାଇ ସୃ୍ଷ୍ଟି କରି ଯୋଗଯୋଗ ବିଚ୍ଛିନ୍ନ ହୋଇଛି। ଶତାଧିକ ଲୋକଙ୍କୁ ଆଶ୍ରୟ ସ୍ଥଳ ଓ ସ୍କୁଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଏପରିକି ଯାଜପୁର ଜିଲ୍ଲାରେ ୨ଜଣ ବନ୍ୟାଜଳରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ସେହିପରି ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ଓ ବୈତରଣୀ ନଦୀ ବନ୍ୟା ତାଣ୍ଡବ ଖେଳାଇଛି। ଭଦ୍ରକ ସହର ସହିତ ଭଣ୍ଡାରିପୋଖରୀ, ଧାମନଗର ବ୍ଲକ୍ ଅଞ୍ଚଳରେ ବନ୍ୟାପାଣି ଢେଉ ମାରୁଛି। ଯାଜପୁର ଓ ଭଦ୍ରକ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅପର ପକ୍ଷରେ ବୁଢାବଳଙ୍ଗ ନଦୀର ବନ୍ୟା ଓ ଲଗାଣ ବର୍ଷରେ ଜିଲ୍ଲା ମହକୁମା ବାଲେଶ୍ବର ସହର, ସଦର ବ୍ଲକ୍ ସମେତ ନୀଳଗିରି ପ୍ରଭୃତି ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି।
ଏବେ ପୁଣି ବ୍ରାହ୍ମଣୀରେ ବନ୍ୟା ଆସିବା ଫଳରେ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ମାର୍ଥାପୁର-ଯମୁନାକୋଟ ପୂର୍ତ୍ତ ରାସ୍ତା ଉପରେ ୫ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଛି। ବ୍ରାହ୍ମଣୀ ବନ୍ୟା ଫଳରେ ଢେଙ୍କାନାଳ, ଅନୁଗୁଳ ଓ ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ବ୍ରାହ୍ମଣୀ ନଦୀ ଓ ତାର ଶାଖା ନଦୀ ଖରସ୍ରୋତା ବନ୍ୟା ଫଳରେ ଯାଜପୁର ଜିଲ୍ଲାର ଧର୍ମଶାଳା, ରସୁଲଗଡ଼, ଯାଜପୁର, ବରୀ ଓ ବିଝାରପୁର ବ୍ଲକ୍ରେ ବ୍ୟାପକ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ସଜାଗ ରହିବାକୁ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଛି। ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ ସେବା ଯୋଗାଇ ଦେଇଛନ୍ତି।
ପ୍ରକାଶ ଥାଉକି ବୈତରଣୀ, ବୁଢାବଳଙ୍ଗ, ସାଳନ୍ଦୀ ଓ ବ୍ରାହ୍ମଣୀ ନଦୀର ବନ୍ୟା ପରେ ଏବେ ମହାନଦୀରେ ବନ୍ୟା ଆସୁଥିବା ଖବର ପ୍ରକାଶ ପଇବା ପରେ ଅବବାହିକାରେ ସତର୍କତା ଅବଲମ୍ବନ କରାଯାଇଛି। ମହାନଦୀ ବନ୍ୟା ସୃଷ୍ଟି ହେବାରୁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

4 hours ago
1


