Flood In Mahanadi: ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବସାଧାରଣଙ୍କ ପ୍ରବେଶ ନିଷିଦ୍ଧ

3 hours ago 1
ARTICLE AD BOX

କଟକ: ମହାନଦୀରେ ବନ୍ୟାଜଳର ପ୍ରବାହ ହ୍ରାସ ପାଉଥିଲେ ମଧ୍ୟ ଏହାର ଗତି ଅତ୍ୟନ୍ତ ମନ୍ଥର ରହିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୁରି ୪୮ ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି। ମୁଣ୍ଡଳୀରେ ପ୍ରତି ୩ ଘଣ୍ଟାରେ ପ୍ରାୟ ୧୦ ହଜାର କ୍ୟୁସେକ୍ ଜଳ କମୁଥିବା ବେଳେ ନଦୀରେ ସ୍ରୋତ ଏବେ ମଧ୍ୟ ଅତ୍ୟନ୍ତ ପ୍ରବଳ ରହିଛି। ଏପରି ସ୍ଥିତିରେ ହୀରାକୁଦ ଜଳଭଣ୍ଡାରର ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡଳୀରେ ଜଳପ୍ରବାହ ସମାନ ରହିବା କିମ୍ବା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ବନ୍ୟା ଆଶ୍ରୟସ୍ଥଳୀରେ ଥିବା ବିପନ୍ନଙ୍କୁ ଖାଦ୍ୟ ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ କଟକ ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିପଦପ୍ରବଣ ଅଞ୍ଚଳରେ ମାଇକ ମାଧ୍ୟମରେ ପ୍ରଚାର କରାଯାଇ ସଚେତନତା ସୃଷ୍ଟି କରାଯିବା ସହ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ସମସ୍ତ ନଦୀଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ନଦୀରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଚଳ, ସେଲ୍‌ଫି ନେବା, ଜଳଧାର ନିକଟରେ ଠିଆ ହେବା ଏବଂ ଜିଲ୍ଲାର ସମସ୍ତ ବ୍ୟାରେଜ୍ ଅଞ୍ଚଳକୁ ଯିବା ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି।

Flood In Mahanadi: ମହାନଦୀରେ ବନ୍ୟା; ସୁରକ୍ଷିତ ଓ ବୈଜ୍ଞାନିକ ଢାଞ୍ଚାରେ ବନ୍ୟାଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ

ସେହିପରି ବାଲିଯାତ୍ରା ତଳ ପଡ଼ିଆରେ ସାଧାରଣ ଲୋକଙ୍କ ଯାତାୟାତ, ସମାବେଶ ଓ ଭିଡ଼ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି। ବ୍ୟାରେଜ୍, ବ୍ରିଜ୍‌ କିମ୍ବା ନଦୀବନ୍ଧ ଉପରେ ଠିଆ ହୋଇ ବନ୍ୟାଜଳ ଦେଖିବା, ସେଲ୍‌ଫି ନେବା କିମ୍ବା ଭିଡିଓଗ୍ରାଫି କରିବା ମଧ୍ୟ କଡ଼ାକଡ଼ି ଭାବେ ନିଷିଦ୍ଧ ରହିବ। କେବଳ ଜରୁରିକାଳୀନ ସେବା ଓ ବନ୍ୟା ପରିଚାଳନା ସହ ଜଡ଼ିତ ଅଧିକାରୀମାନେ ଏହି ଅଞ୍ଚଳକୁ ପ୍ରବେଶ କରିପାରିବେ।

ମହାନଦୀ ଓ ଏହାର ଶାଖାନଦୀରେ ସମସ୍ତ ପ୍ରକାର ମାଛଧରା କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ନଦୀକୁ ନ ଯିବାକୁ କଡ଼ା ଚେତାବନୀ ଦିଆଯାଇଛି। ଯେଉଁ ରାସ୍ତା, ପୋଲ କିମ୍ବା କଲଭର୍ଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି, ସେଠାରେ ଯାନବାହନ ଓ ପଦଚାରୀଙ୍କ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ରହିବ। ଜିଲ୍ଲା ପ୍ରଶାସନ ‘ଶୂନ୍ୟ ଜୀବନହାନୀ’ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ବେଳେ ସାମାନ୍ୟ ଅବହେଳାକୁ ମଧ୍ୟ ଗୁରୁତର ଭାବେ ନିଆଯିବ ବୋଲି ସତର୍କତା ଜାରି କରାଯାଇଛି। ଏହି ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚେତାବନୀ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.