ARTICLE AD BOX
ଭଦ୍ରକ (ହରିହର ନାୟକ): ବନ୍ୟା ୪ ଦିନ ବିତିବାକୁ ଯାଉଥିବା ବେଳେ ଭଦ୍ରକ ଜିଲ୍ଲାରେ ଲୋକେ ବୈତରଣୀ ଓ ସାଳନ୍ଦୀ ନଦୀ ଜଳରେ ଉବୁଟୁବୁ ହେଉଛନ୍ତି। ବିଶେଷ କରି ଧାମନଗର ବ୍ଲକର ୩୦ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ବ୍ଲକର ଅଧୁରାଲି ଜୋନ୍ ଓ ଧୁଷୁରୀ ଜୋନ୍ରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଭଦ୍ରକ-ଆରଡି ରାସ୍ତା ବନ୍ୟାଜଳରେ ବୁଡ଼ିଯାଇଥିବା ବେଳେ ଗମନାଗମନରେ ସମସ୍ୟା ସୃଷ୍ଠି ହୋଇଛି।
ବନ୍ୟାର ୪ ଦିନ ପରେ ମଧ୍ୟ ଏହି ରାସ୍ତାର ଅର୍ଣ୍ଣପାଲ, ମଙ୍ଗଳପୁର, ଡିଲୋ, କୋଠାର, ଆରଡି ଠାରେ ରାସ୍ତା ବୁଡ଼ି ଯାଇଛି। ଏହି ମୁଖ୍ୟରାସ୍ତା ଉପରେ ବନ୍ୟାଜଳ ଲହଡି ମାରୁଥିବା ବେଳେ ବସ୍ ଚଳାଚଳ ବନ୍ଦ ରହିଛି। ଭଦ୍ରକରୁ ଲୋକମାନେ ବସ୍ରୁ ଓହ୍ଲାଇ ଚାଲିଚାଲି କିମ୍ବା ବାଇକ୍ରେ ଯାଉଛନ୍ତି। ବନ୍ୟାଜଳରେ ଜ୍ୱରରେ ପୀଡ଼ିତ ହୋଇ ଭଦ୍ରକ ମେଡ଼ିକାଲକୁ ଆସିବାକୁ ହେଲେ କିଛି ଲୋକ ସେମାନଙ୍କ ପିଲାଙ୍କୁ ନାଉପଚା କରି କାନ୍ଧରେ ବସାଇ ବନ୍ୟାପାଣିରେ ପଶି ରାସ୍ତା ଅତିକ୍ରମ ହୋଇ ଆସୁଛନ୍ତି। ଏହି ଅଞ୍ଚଳରେ ଥିବା କୋଠାର, ଅଶୁରାଲି ମେଡ଼ିକାଲ ବନ୍ୟାଜଳରେ ବୁଡି ଯାଇଥିବା ବେଳେ ଲୋକେ ଭଦ୍ରକ ମେଡ଼ିକାଲକୁ ଆସୁଛନ୍ତି। ଏଭଳି ଦୃଶ୍ୟ ଆଜି ରାସ୍ତା ସାରା ହେଖିବାକୁ ମିଳିଛି।
କେବଳ ସେତିକି ନୁହେଁ, ଏହି ଅଞ୍ଚଳରେ ୨୦ ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଥିବା ବେଳେ ଚାଷ ଓ ପନିପରିବା ଖେତ ସଂପୂଣ୍ଣ ଉଜୁଡି ଯାଇଛି। ଲୋକଙ୍କ ଘରଦ୍ବାର ବନ୍ୟାଜଳରେ ବୁଡ଼ି ରହୁଛି। ଲୋକଙ୍କୁ ଉଚ୍ଚ ସ୍ଥାନରେ ରଖାଯାଇଛି। ଏହି ଅଞ୍ଚଳରେ ବିଶେଷ କରି ଅଶୁରାଳି, କୋଠାର, ଗଢ଼ିଆଲି, ଧୁଷୁରୀ ଏନ୍ ଏ ନ ସି, ସାହାସପୁର, ବମକୁରା, ନଦୀ ଗାଁ, ଭଟସାହି, ହସନାବାଦ୍ ଅର୍ଜୁନପୁର, କାସିମ୍ପୁର, ଫତେପୁର, ପାଲସାହି, ରଇପୁର ଆଦି ପଞ୍ଚାୟତର ଲୋକେ ଜଳବନ୍ଦି ରହିଛନ୍ତି।
ଧାମନଗର ବ୍ଲକର ୧ ଲକ୍ଷ ୬୩ ହଜାର ଲୋକ ଜଳବନ୍ଦି ରହିଥିବା ବେକେ ଏମାନଙ୍କ ପାଇଁ ଆବଶ୍ୟକ ସରକାରୀ ସହାୟତା ୭ ଦିନ ପାଇଁ ଯୋଗାଇ ଦେବାକୁ ଲୋକମାନେ ଦାବି କରିଛନ୍ତି। ବନ୍ୟା ଯୋଗୁଁ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟର ଅଭାବ ଦେଖା ଯାଇଛି। ଲୋକେ ଗୋରୁଗାଈଙ୍କୁ ଫିଟାଇ ଦେଇଥିବା ବେଳେ ଏଗୁଡ଼ିକ ରାସ୍ତା ଉପରକୁ ପଲାଇ ଆସୁଛନ୍ତି।
ଗୋଖାଦ୍ୟ ମିଳୁ ନାହିଁ। ଭୋକ ଉପାସରେ ରହୁଛନ୍ତି ଗୋରୁ ଗାଈ। ସ୍କୁଲ ଘରେ ଏବେ ବିପନ୍ନ ଲୋକମାନେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଖାଇ ଜୀବନ ବଞ୍ଚାଇ ଥିବା ବେକେ ଏମାନଙ୍କୁ ସରକାରୀ ସହାୟତା ଦିଆଯାଉ ବୋଲି ବିପନ୍ନ ଲୋକମାନେ ଦାବି କରିଛନ୍ତି। ଅନେକ ଗ୍ରାମର ଲୋକଙ୍କ ପାଖରେ ଉପଯୁକ୍ତ ରିଲିଫ ପହଞ୍ଚି ନଥିବା ଭଳି ଅଭିଯୋଗ ଆସୁଛି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଉଛି। ଏହି ଅଞ୍ଚଳକୁ ଡାକ୍ତର ଟିମ୍ ସ୍ୱତନ୍ତ୍ର ଭାବରେ ପଠାଇବାକୁ ଦାବି କରାଯାଇଛି।

2 hours ago
1


